ହାରିଗଲେ ମହାରଥୀ : ଅଦୃଶ୍ୟ ଶତ୍ରୁ ପଞ୍ଝାରେ ଅତିରଥୀ

‘ହାରିନାହିଁ ମହାରଥୀ ସରିନାହିଁ ରାଜନୀତି’- ଏହି ଲୋକପ୍ରିୟ ସଂଳାପର ଦୃପ୍ତ ଉଦ୍‌ଘୋଷକ ପିପିଲି ବିଧାୟକ ତଥା ବରିଷ୍ଠ ବିଜେଡି ନେତା ପ୍ରଦୀପ ମହାରଥୀଙ୍କ ପରଲୋକ ଘଟିଛି। ରାଜନୀତି ସରି ନଥିଲା; କିନ୍ତୁ ମହାରଥୀ ଜୀବନଯୁଦ୍ଧରେ ହାରିଗଲେ। ଶହେ ଘୋଡ଼ା ଓ ଶହେ ହାତୀ ସହିତ ଏକାକୀ ଯୁଦ୍ଧ କରିବାର ଦମ୍ଭ ରଖୁଥିବା ଓଡ଼ିଶା ରାଜନୀତିର ଏହି ମହାରଥୀ ଏକ ଅଦୃଶ୍ୟ କ୍ଷୁଦ୍ରାତିକ୍ଷୁଦ୍ର କୋଭିଡ୍‌-୧୯ ଭୂତାଣୁ ଦ୍ବାରା ପରାଜିତ ହୋଇଛନ୍ତି। ପିପିଲିରୁ ୭ଥର ବିଧାୟକ ଭାବେ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିବା ପ୍ରଦୀପ ମହାରଥୀ ଦୀର୍ଘ ପ୍ରାୟ ୩୫ ବର୍ଷ ଧରି ଓଡ଼ିଶା ରାଜନୀତିରେ ପ୍ରଭାବ ବିସ୍ତାର କରି ଆସିଥିଲେ। ରାଜନୈତିକ ଜୀବନରେ ଅନେକ ଘାତପ୍ରତିଘାତକୁ ଦୃଢ଼ତାର ସାମ୍ନାକରି ବିଜୟମଣ୍ଡିତ ହୋଇଥିବା ମହାରଥୀ ଯେ ସାମାନ୍ୟ ଭୂତାଣୁ ଆଗରେ ହାରିଯିବେ ଏକଥା ଏବେ ମଧ୍ୟ ବିଶ୍ବାସ ହେଉନାହିଁ।
ଓଡ଼ିଶା ରାଜନୀତିର ଏହି ଦୁଃଖଦ ସମୟରେ ବିଶ୍ବର ସର୍ବଶକ୍ତିମାନ ଓ ସର୍ବାଧିକ ବିକଶିତ ଯୁକ୍ତରାଷ୍ଟ୍ର ଆମେରିକାର ସର୍ବୋଚ୍ଚ କ୍ଷମତାସମ୍ପନ୍ନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ପତ୍ନୀ ମେଲାନିଆ ଟ୍ରମ୍ପ କରୋନା ଆକ୍ରାନ୍ତ ହୋଇଥିବା ଖବର ମିଳିଛି। ସେମାନଙ୍କୁ ଆମେରିକାର ଏକ ସେନା ଚିକିତ୍ସାଳୟରେ ଚିକିତ୍ସା କରାଯାଉଛି। ବୟସ ଓ ସ୍ବାସ୍ଥ୍ୟ ଦୃଷ୍ଟିରୁ ଆମେରିକାର ରାଷ୍ଟ୍ରପତିଙ୍କ ପାଇଁ କରୋନା ଜନିତ ବିପଦ ଆଶଙ୍କା ଅଧିକ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଚୀନ ଦ୍ବାରା ବିକଶିତ କରୋନାକୁ ହେୟଜ୍ଞାନ କରୁଥିବା ସର୍ବଶକ୍ତିମାନ ଟ୍ରମ୍ପ ଶେଷରେ ଏଭଳି ଏକ ସମୟରେ ସେହି ଭୂତାଣୁ ଦ୍ବାରା ଆକ୍ରାନ୍ତ ହୋଇଛନ୍ତି, ଯେତେବେଳେ ଆମେରିକାର ଆସନ୍ନ ରାଷ୍ଟ୍ରପତି ନିର୍ବାଚନରେ ସେ ରିପବ୍ଲିକାନ୍‌ ପ୍ରାର୍ଥୀ ରୂପେ ଦ୍ବିତୀୟଥର ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ତେଣୁ ଯଦି ସେଭଳି କିଛି ଗୁୁରୁତର ସଂକଟ ଓ ଅଭାବନୀୟ ଘଟଣାକୁ ଆମେରିକାର ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଏଡ଼ାଇ ଦେବାରେ ଅକ୍ଷମ ହୁଅନ୍ତି ତେବେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପ୍ରଭାବିତ ହେବାର ଆଶଙ୍କା ରହିଛି।
କେବଳ ପ୍ରଦୀପଙ୍କ ଭଳି ମହାରଥୀ କିମ୍ବା ଟ୍ରମ୍ପଙ୍କ ଭଳି ଅତିରଥୀ ନୁହନ୍ତି ବରଂ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌, ବ୍ରାଜିଲ ରାଷ୍ଟ୍ରପତି ଜୈର ବୋଲସୋନାରୋଙ୍କ ଭଳି ପ୍ରତିପତ୍ତିଶାଳୀ ଓ କ୍ଷମତାଶାଳୀ ବ୍ୟକ୍ତିତ୍ବ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଭାରତରେ ଉପରାଷ୍ଟ୍ରପତି ଭବନ ସମେତ, ରାଜ୍ୟପାଳ ଭବନ, କେନ୍ଦ୍ରମନ୍ତ୍ରୀମାନଙ୍କ ବାସଗୃହର ସୁରକ୍ଷା କବଚ ଭେଦ କରି କରୋନା ଅନୁପ୍ରବେଶ କରିଛି। ଏହି ଅଦୃଶ୍ୟଘାତକ ଏସ .ପି. ବାଲସୁବ୍ରମଣ୍ୟମଙ୍କ ପରି ପ୍ରଥିତଯଶା କଳାକାର, କେନ୍ଦ୍ରମନ୍ତ୍ରୀ ସୁରେଶ ଅଙ୍ଗଡ଼ି, ବହୁ ନେତା, ସମାଜସେବୀ, ଡାକ୍ତରଙ୍କ ପ୍ରାଣ ନେଇସାରିଛି ଓ ଏହି ଧାରା ଜାରି ରହିଛି।
ଏଠି ପ୍ରଶ୍ନଉଠିବା ସ୍ବାଭାବିକ ଯେ, ଜନସାଧାରଣଙ୍କୁ ସଚେତନ କରୁଥିବା ସ୍ବାସ୍ଥ୍ୟକର୍ମୀ, ଚିକିତ୍ସା କରୁଥିବା ଡାକ୍ତର, ସଂକ୍ରମଣ ନିୟନ୍ତ୍ରଣ ପାଇଁ ଯୋଜନା ଓ ନୀତି ନିର୍ଦ୍ଧାରଣ କରୁଥିବା ନେତା, ମନ୍ତ୍ରୀମାନେ ସଂକ୍ରମିତ ହେଉଛନ୍ତି କିପରି? ଅଦୃଶ୍ୟ ଭୂତାଣୁର ହେୟଜ୍ଞାନ ନା ସତର୍କତାର ଅଭାବ? ହୁଏତ ଏହି ଦୁଇଟି ମଧ୍ୟରୁ ପ୍ରଥମ କାରକ ହିଁ ଅଧିକ ଦାୟୀ। କରୋନାକୁ ହେୟଜ୍ଞାନ କରିବାର ଫଳ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ଦେଶବାସୀ ଭୋଗୁଛନ୍ତି। ବିଶ୍ବର ସର୍ବାଧିକ କରୋନା ସଂକ୍ରମିତ ଓ ମୃତକଙ୍କ ତାଲିକାରେ ଆମେରିକା ସର୍ବାଗ୍ରେ ରହିଛି। ମାସ୍କ ନପିନ୍ଧିବାକୁ ନିଜ ଜିଦ୍‌ରେ ଅଟଳ ରହିବା ଓ ଆମେରିକୀୟଙ୍କୁ ପ୍ରବର୍ତ୍ତାଇବାପରେ ଶେଷରେ ଟ୍ରମ୍ପ ମାସ୍କ ବ୍ୟବହାରର ଆବଶ୍ୟକତା ଓ ଉପଯୋଗିତାକୁ ଗ୍ରହଣ କଲେ; କିନ୍ତୁ ସେତେବେଳକୁ ଆମେରିକା ଏକ ଅଲୋଡ଼ା ରେକର୍ଡ଼ ସୃଷ୍ଟି କରିସାରିଥିଲା। ଏବେ ଟ୍ରମ୍ପ ମଧ୍ୟ ତା’ର ଶିକାର ହେଲେ। ଟ୍ରମ୍ପ ସୁସ୍ଥ ହେବେ କି ନାହିଁ ତାହା ଏକ ଭିନ୍ନ ପ୍ରଶ୍ନ। ବିଶ୍ବର ସର୍ବାଧିକ ବିକଶିତ ରାଷ୍ଟ୍ରର ରାଷ୍ଟ୍ରମୁଖ୍ୟଙ୍କ ନିକଟରେ ପହଞ୍ଚିପାରୁଥିବା ଭୂତାଣୁ କେତେ ଶକ୍ତିଶାଳୀ ଓ ଘାତକ ତାହା ଅନୁମେୟ। ଦିନକୁ ଦିନ ଏହି ଅଦୃଶ୍ୟ ଶତ୍ରୁର ପଞ୍ଝାରେ କବଳିତ ରଥୀ, ମହାରଥୀ ଓ ଅତିରଥୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏଠାରେ ଉଲ୍ଲେଖ ପ୍ରୟୋଜନ ଯେ, କରୋନାର ଉତ୍ପତ୍ତିସ୍ଥଳ ଚୀନ​‌େ​‌ର ସଂକ୍ରମଣ ସମ୍ପୂର୍ଣ୍ଣ ନିୟନ୍ତ୍ରିତ ଓ ଏହାର ରାଷ୍ଟ୍ରମୁଖ୍ୟ ସମ୍ପୂର୍ଣ୍ଣ ସୁରକ୍ଷିତ ଥିଲେ ହେଁ ବିଶ୍ବବ୍ୟାପୀ ଏହା କାୟା ବିସ୍ତାର କରିଚାଲିଛି। ଚୀନର ସୁଦକ୍ଷ ପରିଚାଳନା ଓ ସତର୍କତାକୁ କେହି କେହି ଏହାର ଶ୍ରେୟ ଦେଇପାରନ୍ତି। ପୁଣି ଅନ୍ୟ କେତେକଙ୍କ ମତରେ କୋଭିଡ୍‌-୧୯କୁ ବୈଶ୍ବିକ ମହାମାରୀ ରୂପ ଦେବା ପୂର୍ବରୁ ଚୀନ ଏହାର ପ୍ରତିଷେଧକ ଟିକା ବାହାର କରିସାରିଥିଲା।
ବର୍ତ୍ତମାନ ଆରୋପ ଓ ପ୍ରମାଣ ଖୋଜିବାର ସମୟ ନୁହେଁ। ଟିକା ଆସିବା ପର୍ଯ୍ୟନ୍ତ ଆମେ ଯଥାସମ୍ଭବ ନିଜର ସୁରକ୍ଷା କରିବାକୁ ହେବ। ମହାରଥୀମାନଙ୍କ ସଦ୍‌ଗତି ଓ ଅତିରଥୀମାନଙ୍କ ପରାଜୟର ଗ୍ଲାନିରେ ବ୍ୟଥିତ ନହୋଇ ଆମକୁ ସଂଗ୍ରାମ ଜାରି ରଖିବାକୁ ପଡ଼ିବ। ଅସ୍ତ୍ର ତ୍ୟାଗ ନକରି ଧୈର୍ଯ୍ୟ ଓ ସାହସର ସହିତ ଅଦୃଶ୍ୟ କରୋନା ଭୂତାଣୁ ବିରୋଧରେ ଲଢ଼ିବାକୁ ହେବ। ଏହି ଯୁଦ୍ଧରେ ଆମେ ସମସ୍ତେ ସେନାପତିର ଦାୟିତ୍ବ ନେଇ ଯୁଦ୍ଧ ପରିଚାଳନା କଲେ ମାନବ ସଭ୍ୟତା ବିଜୟମଣ୍ଡିତ ହେବ- ଏଥିରେ ସନ୍ଦେହ ନାହିଁ।

Comments are closed.