ବନ୍ଧୁକର ଖେଳ, ଗୁଳିରେ ଶେଷ

ଭୁବନେଶ୍ବର/କେନ୍ଦ୍ରାପଡ଼ା : ବନ୍ଧୁକ ଓ ଗୁଳିରେ ଖେଳ ଖେଳୁଥିବା ଦୁର୍ଦାନ୍ତ ଅପରାଧୀ ସେକ୍ ହାଇଦରର ଜୀବନ ଗୁଳିରେ ଚାଲି ଯାଇଛି। ତିନି ମାସ ତଳେ ହାଇଦର ଚମ୍ପଟ ମାରିବାକୁ ନେଇ ଅପଦସ୍ତ ହୋଇଥିବା ପୁଲିସ ଏଥର କିନ୍ତୁ ସୁଯୋଗ ହାତଛଡ଼ା କରିନାହିଁ।
ଥିଲା ଟ୍ରଲି ଚାଳକ : ପୁଲିସ ସଂଘର୍ଷରେ କୁଖ୍ୟାତ୍‌ ଅପରାଧୀ ସେକ ହାଇଦରର ମୃତ୍ୟୁ ଘଟିବା ପରେ ତା’ର ଅପରାଧ ସାମ୍ରାଜ୍ୟର ଅନ୍ତ ଘଟିଛି। ତା’ର ବିନା ଇଙ୍ଗିତରେ କୌଣସି ଅପରାଧ ସଙ୍ଗଠିତ ହେଉ ନ ଥିଲା। ପ୍ରତିଦ୍ୱନ୍ଦ୍ବୀଙ୍କୁ ହଟାଇବା ପାଇଁ ସେ ନିଜେ ଗୁଳି ଚଳାଇ ହତ୍ୟା କରିଥିଲା। ତା’ ଆତଙ୍କରେ କେନ୍ଦ୍ରାପଡ଼ା, ଜଗତସିଂହପୁର, ପାରାଦ୍ୱୀପ, ଯାଜପୁର, ଜଗତପୁର ଶିଳ୍ପାଞ୍ଚଳ, କଟକ ଏପରିକି ରାଜ୍ୟର ଅନ୍ୟ କେତେକ ଜିଲା ଆତଙ୍କିତ ଥିଲା। ଜେଲରେ ଥାଇ ମଧ୍ୟ ସେ ଟେଣ୍ଡର ଫିକ୍ସିଂ, ଦାଦା ବଟି ଆଦାୟ, ବ୍ୟବସାୟୀଙ୍କୁ ହତ୍ୟା ଧମକ ଦେଉଥିଲା। ତା’ର ମୃତ୍ୟୁ ପରେ ତା’ର ଅପରାଧ ସାମ୍ରାଜ୍ୟ ଅନ୍ତ ଘଟିଛି।
୧୯୯୫ରୁ ଅପରାଧ ଆରମ୍ଭ : ହାଇଦରର ଘର କେନ୍ଦ୍ରାପଡ଼ା ପୌରସଂସ୍ଥା ଅନ୍ତର୍ଗତ ରଣପଡ଼ା ଗ୍ରାମରେ। ହାଇଦରର ବାପା ସେକ ଆୟୁବ ରିକ୍ସା ଚଳାଇ ପରିବାର ପ୍ରତିପୋଷଣ କରୁଥିଲେ। ପରିବାରର ଆର୍ଥିକ ବୋଝ ହାଲୁକା କରିବା ପାଇଁ ପ୍ରଥମେ ସେ ରିକ୍ସା ଚଳାଇଥିଲା। ଏହା କଷ୍ଟକର ହେବାରୁ ସେ ଟ୍ରଲି ଚଳାଇଲା। ୧୯୯୫ ମସିହା ତାକୁ ଟେଣ୍ଡର ଫିକ୍ସିଂ କାର୍ଯ୍ୟରେ କେତେକ ଠିକାଦାର ଲଗାଇଲେ। ଏହିଠାରୁ ହାଇଦରର ଅପରାଧ ସାମ୍ରାଜ୍ୟ ଆରମ୍ଭ ହୋଇଥିଲା। କେନ୍ଦ୍ରାପଡ଼ାର ଅନ୍ୟତମ ଦୁର୍ଦାନ୍ତ ଟିଟୋ ଓରଫ ଉସ୍‌ମାନ ଅଲ୍ଲୀର ସହଯୋଗୀ ଭାବେ କାର୍ଯ୍ୟ କରୁଥିବା ହାଇଦର ପରବର୍ତ୍ତୀ ସମୟରେ ନିଜସ୍ବ ଦଳ ଗଠନ କରିଥିଲା। ସେହିପରି କେନ୍ଦ୍ରାପଡା ଜିଲାରେ ତାହାର ଅନ୍ୟତମ ପ୍ରତିଦ୍ବନ୍ଦ୍ବୀ ସେକ୍ ସୁଲେମାନ ପ୍ରତିଦ୍ବିନ୍ଦୀ ଥିବାରୁ ତାହାର ସାନ ଭାଇ ସେକ୍‌ ଚୁନାକୁ ୨୦୦୫ରେ ମେ ୩୧ରେ ଷ୍ଟୁଆର୍ଟ ସ୍କୁଲ ଛକ ନିକଟ ବାହାଇ ଭବନ କଡ଼ରେ ଥିବା ଏକ ଟାୟାର ଦୋକାନରେ ହାଇଦର ଏବଂ ତା’ର ସହଯୋଗୀ ଏକ ବୋଲେରୋ ଗାଡ଼ିରେ ଆସି ଗୁଳି କରି ହତ୍ୟା କରିଥିଲେ।
ଅପରାଧ ଗୋଷ୍ଠୀ ଗଠନ: ଚାହିଦା ବଢ଼ିବାରୁ ସେ ଅପରାଧ ଗୋଷ୍ଠୀ ଗଠନ କରି ଠିକାକାମ ଦେଉଥିବା ଯନ୍ତ୍ରୀ ମାନଙ୍କୁ ଧମକ ଚମକ ଦେବା ଆରମ୍ଭ କଲା। ଯନ୍ତ୍ରୀମାନେ ତାକୁ ଭୟ କରି ତା’ କଥାରେ ନିର୍ଦ୍ଦିଷ୍ଟ ଠିକାଦାରମାନଙ୍କୁ ଟେଣ୍ଡର ଦେବାକୁ ବାଧ୍ୟ ହେଉଥିଲେ। ଏହାପରେ ହାଇଦର ରଣପଡ଼ା ଗ୍ରାମରେ ଏକ କୋଠାଘର କରିଥିଲା। ସେହି କୋଠାରେ ଦିନକୁ ଦିନ ଠିକାଦାରଙ୍କ ଭିଡ ଲାଗିଲା।
ଅଲଗା ହୋଇଥିଲା ସୁଲେମାନ : ଏହିସବୁ ବ୍ୟବସାୟରେ ସେକ୍‍ ହାଇଦର କୋଟିପତି ହୋଇଥିବାବେଳେ ଅନ୍ୟମାନଙ୍କୁ ସେମାନଙ୍କ ଭାଗ ନ ଦେବାରୁ ତା’ର ଘନିଷ୍ଟ ସହଯୋଗୀ ମଲ୍ଲିକ ସୁଲେମାନ, ବିଜୟ ନାୟକ ପ୍ରମୁଖ ଦଳରୁ ବାହାରି ଟିଟୋ ସହ ମିଶି ଅନ୍ୟ ଏକ ଗ୍ୟାଙ୍ଗ ଗଠନ କଲେ। ଏହା ଫଳରେ ଏକ ଶକ୍ତିଶାଳୀ ଗ୍ୟାଙ୍ଗ ୨୦୦୫ ମସିହା ବେଳକୁ ଦୁଇ ଭାଗରେ ବିଭକ୍ତ ହୋଇଗଲା। ବିଭିନ୍ନ ଠିକାକାମକୁ ନେଇ ସେମାନଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ବିତା ହେବା ଫଳରେ ଗ୍ୟାଙ୍ଗୱାର ସୃଷ୍ଟି ହେଲା। ଫଳରେ ଉଭୟ ପକ୍ଷରୁ ୧୦ରୁ ଅଧିକ ମୁଣ୍ଡ ଗଡ଼ିଲା।
ହୋଇଥିଲା ମରଣାନ୍ତକ ଆକ୍ରମଣ : ହାଇଦରର ଏକଚାଟିଆ କାରବାରକୁ ସହ୍ୟ କରି ନ ପାରି ଗ୍ୟାଙ୍ଗର ସଦସ୍ୟମାନେ ୨୦୦୪ରେ ତାକୁ ହତ୍ୟା ଉଦ୍ୟମ କରିଥିଲେ। ଆକ୍ରମଣ ଏତେ ତୀବ୍ର ଥିଲା ଯେ ଭୁଜାଲି ଚୋଟରେ ତା’ର ୩୨ ଦାନ୍ତ ଝଡି ପଡ଼ିଥିଲା। ସେ ମରିଗଲା ଭାବି ସୁଲେମାନର ସହଯୋଗୀମାନେ ସେଠରେ ତାକୁ ଫିଙ୍ଗି ପଳାଇଥିଲେ। ହେଲେ ସେ ବଞ୍ଚି ଯାଇଥିଲା।
ରଶ୍ମିରଞ୍ଜନ ହତ୍ୟାକାଣ୍ଡ : ମାମଲାରେ ଭୁବନେଶ୍ବର ସ୍ବତନ୍ତ୍ର କାରାଗାରରେ ଥିବା ସମୟରେ ୨୦୦୮ରେ ଷଡଯନ୍ତ୍ର କରି ସହିଦନଗର ଥାନା ଅଞ୍ଚଳରୁ କେନ୍ଦୁଝରର ଖଣି ବ୍ୟବସାୟୀ ରଶ୍ମିରଞ୍ଜନ ମହାପାତ୍ରଙ୍କୁ ଅପହରଣ କରିବାର ନକ୍ସା ତିଆରି କରିଥିଲା। ରଶ୍ମିରଞ୍ଜନଙ୍କୁ ରାଜ୍ୟ ବାହାରର ଅପରାଧୀଙ୍କ ସହଯୋଗରେ ଅପହରଣ କରି ନେଇ ରାଞ୍ଚି ନିକଟରେ ହତ୍ୟା କରିଥିଲା। ଏପରିକି ପ୍ରମାଣ ନଷ୍ଟ କରିବା ଲାଗି ରଶ୍ମିରଞ୍ଜନଙ୍କ ମୃତଦେହକୁ ସମ୍ପୂର୍ଣ୍ଣ ପୋଡ଼ି ଦିଆଯାଇଥିଲା। ତଥାପି ହାଇଦର ରଶ୍ମିରଞ୍ଜନଙ୍କୁ ମୁକୁଳାଇବା ଲାଗି ପରିବାର ଲୋକଙ୍କଠାରୁ ପ୍ରାୟ ଦେଢ଼ କୋଟି ଟଙ୍କା ନେଇ ଯାଇଥିଲା। ଏହି ଘଟଣାରେ ହାଇଦର ଏବଂ ବାହାର ରାଜ୍ୟର ସମ୍ପୃକ୍ତ ୨ ଜଣ ଅପରାଧୀଙ୍କୁ ଆଜୀବନ କାରାଦଣ୍ଡ ଆଦେଶ ଦିଆଯାଇଥିଲା। ଏହି ମାମଲାରେ ଅନ୍ୟ ଜଣେ ଅଭିଯୁକ୍ତ ସେକ୍‌ ଔଲାଦ୍‌ ଏବେବି ଫେରାର୍‌ ଅଛି।
ହୋଇଯାଇଥିଲା ଫେରାର : କଟକ ବଡ଼ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆସିଥିବା ବେଳେ ଗତ ଏପ୍ରିଲ ୧୦ରେ ଫେରାର ହୋଇ ଯାଇଥିଲା। ହାଇଦରାବାଦର ସଙ୍ଗାରେଡ୍ଡୀ ଜିଲାରେ ଥିବା ବେଳେ କମିସନରେଟ ପୁଲିସ ସହାୟତାରେ ହାଇଦରାବାଦ ପୁଲିସ ଦ୍ୱାରା ଗିରଫ ହୋଇଥିଲା। ଏହାପରେ ତାକୁ ଚୌଦ୍ୱାର ଜେଲରେ ରଖାଯାଇଥିଲା।
କେନ୍ଦ୍ରାପଡ଼ାରେ ପୁଲିସ ଛାଉଣି : ହାଇଦରର ମୃତ୍ୟୁ ପରେ କେନ୍ଦ୍ରାପଡ଼ା ଜିଲାରେ ଆଇନ୍‍ଶୃଙ୍ଖଳା ପରିସ୍ଥିତି ଉପୁଜିବା ଆଶଙ୍କା କରି ବିଭିନ୍ନ ଛକ ସ୍ଥାନମାନଙ୍କରେ ବନ୍ଧୁକଧାରୀ ପୁଲିସ ମୁତୟନ କରାଯାଇଛି। ହାଇଦରର ସହଯୋଗୀମାନେ କାଳେ କୌଣସି ଅପରାଧ ଘଟାଇବେ ସେ ନେଇ ପୁଲିସ ସଜାଗ ରହିଛି।
ନୂଆ ଅପରାଧୀ ଛାନିଆ : ହାଇଦରର ମୃତ୍ୟୁ ପରେ କେନ୍ଦ୍ରାପଡ଼ାରେ ଥିବା ନୂଆ ଅପରାଧୀଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି। ବଡବଡ ଗ୍ୟାଙ୍ଗଷ୍ଟରମାନେ ଜେଲରେ ଥିବାବେଳେ କିଛି ଯୁବକ ଦଳ ଗଠନ କରି ଚୋରି, ଡକାୟତି, ଦାଦାବଟି ଆଦାୟ, ଧମକ ଚମକ ଆଦି ବିଭିନ୍ନ ଅପରାଧ ଘଟାଉଥିଲେ। ହାଇଦରର ମୃତ୍ୟୁ ପରେ ଗ୍ୟାଙ୍ଗ ଚଳାଉଥିବା ସଦସ୍ୟମାନେ ଏବେ ଆତ୍ମଗୋପନ କରିଥିବା ଜଣାପଡ଼ିଛି।
ହାଇଦରର ପରିବାରବର୍ଗ : ହାଇଦରର ସ୍ତ୍ରୀ ହସିନା ବିବି ସହ ତିନିପୁଅ ମୁନା, ଚୁନେଇ ଓ ଅଜୋ ଅଛନ୍ତି। ଏବେ ଜେଲରେ ବଡ଼ପୁଅ ମୁନା ଅଛି। ଦୁଇ ପୁଅ ବାହାରେ ରହି ଠିକାଦାରୀ କରୁଛନ୍ତି। ହାଇଦରର ତିନି ଝିଅ ଓ ତିନି ଜ୍ୱାଇଁ ମଧ୍ୟ ଅଛନ୍ତି। ଜିରୋ ପଏଣ୍ଟ’ରୁ ତା ବାପାଙ୍କୁ ଗୁଳି କରାଯାଇ ହତ୍ୟା କରାଯାଇ ଥିବା ପୁଅ ସେକ ଚୁନେଇ କହିଛି ।

Comments are closed.