ବିଦ୍ୟୁତ ବିଭାଗର ଅବହେଳା, ମୁକୁଳା ଟ୍ରାନ୍ସଫର୍ମର ନେଲା ଯୁବକଙ୍କ ଜୀବନ

ଦେବଗଡ: ଆଜି (ମଙ୍ଗଳବାର) ପ୍ରତ୍ୟୂଷରେ ଦେବଗଡ ଥାନା ଅନ୍ତର୍ଗତ କାଲକାଠ ଗ୍ରାମରେ ଥିବା ଏକ ମୁକୁଳା ଟ୍ରାନ୍ସଫର୍ମର ସଂସ୍ପର୍ଷରେ ଆସି ଜଣେ ଯୁବକଙ୍କର ଶୋଚନୀୟ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ ଆଜି ଭୋର ପ୍ରାୟ ୫ଟା ସମୟରେ କାଲକାଠ ଗ୍ରାମର କାର୍ତ୍ତୀକ ପାତ୍ରଙ୍କ ପୁଅ ବିଶ ପାତ୍ର(୩୫)ଙ୍କ ମୃତଦେହ ଗ୍ରାମରେ ଥିବା ମୁକୁଳା ଟ୍ରାନ୍ସଫର୍ମରରେ ଲଟକି ରହିଥିବା ଦେଖି ଗ୍ରାମବାସୀମାନେ ବିଦ୍ୟୂତ ବିଭାଗ କର୍ତ୍ତୃପକ୍ଷଙ୍କୁ ଜଣାଇବାପରେ ବିଭାଗୀୟ କର୍ମଚାରୀମାନେ ସେଠାରେ ପହଂଚି ବିଦ୍ୟୁତ ସରବରାହ ବିଚ୍ଛିନ୍ନ କରିବାସହ ଏନେଇ ଦେବଗଡ ଥାନା ପୁଲିସକୁ ସୂଚନା ଦେଇଥିଲେ।

ବିଦ୍ୟୁତ ଆଘାତରେ ଯୁବକଙ୍କର ମୃତ୍ୟୁ ଖବର ପ୍ରଚାରିତ ହେବାପରେ କାଲକାଠ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା ଓ ତାଙ୍କର ମୃତ୍ୟୁ ପାଇଁ ଗ୍ରାମବାସୀ ମାନେ ବିଦ୍ୟୁତ ବିଭାଗ କର୍ତ୍ତୃପକ୍ଷଙ୍କ ଅବହେଳାକୁ ଦାୟୀ କରିବା ସହ ମୃତକଙ୍କ ପରିବାରକୁ ଆର୍ଥୀକ ସହାୟତା ପ୍ରଦାନ ପାଇଁ ଦାବୀ କରିଥିଲେ। ଗ୍ରାମବାସୀଙ୍କ ଦାବୀକୁ ଦୃଷ୍ଟିରେ ରଖି ଦେବଗଡ ବିଦ୍ୟୂତ ବିଭାଗ(ୱେସ୍କୋ) ନିର୍ବାହୀ ଯନ୍ତ୍ରୀ ସତ୍ୟବ୍ରତ ପଣ୍ଡା ଓ କନିଷ୍ଠ ଯନ୍ତ୍ରୀ ଅଭିଳାଷ ସ୍ୱାଇଁ ସେଠାରେ ପହଂଚିବା ପରେ ବସାଲଇ ପଂଚାୟତର ସରପଂଚ ଦିଲ୍ଲିପ କୁମାର ପଟ୍ଟନାୟକ ଓ ସମିତି ସଦସ୍ୟ ଭୁବନେଶ୍ୱର ପ୍ରଧାନ ବିଦ୍ୟୁତ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ ସହ ଆଲୋଚନା କରିବାପରେ ବିଦ୍ୟୁତ ବିଭାଗ ପକ୍ଷରୁ ୭ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ମୁକୁଳା ଟ୍ରାନ୍ସଫର୍ମର ଚାରିପଟେ ବ୍ୟାରିକେଡ ବ୍ୟବସ୍ଥା କରାଯିବା ପାଇଁ ବିଦ୍ୟୁତ ବିଭାଗ ପକ୍ଷରୁ ପ୍ରତିଶୃତି ଦେବା ପରେ ଉତ୍ତେଜନା ପ୍ରଶମିତ ହୋଇଥିଲା।ଇତିମଧ୍ୟରେ ପୁଲିସ ମୃତଦେହ ବ୍ୟବଚ୍ଛେଦ କରିବାପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି।

Comments are closed.