ପୁଅର ଠେଙ୍ଗା ମାଡରେ ବାପାର ମୃତ୍ୟୁ

ଦେବଗଡ : ଦେବଗଡ ଥାନା ଅନ୍ତର୍ଗତ ରଙ୍ଗିଆଟିକ୍ରା ଗ୍ରାମରେ ଗତକାଲି ରାତ୍ରିରେ ଜଣେ ମଦ୍ୟପ ପୁଅର ଠେଙ୍ଗା ମାଡରେ ବାପାର ମୃତ୍ୟୁ ଘଟଣା ସମ୍ପୃକ୍ତ ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଛି।
ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତ୍ରି ପ୍ରାୟ ୧୦ଟା ସମୟରେ ରଙ୍ଗିଆ ଟିକ୍ରା ଗ୍ରାମର ଗୋବିନ୍ଦ ମୁଣ୍ଡା(୬୦) ଓ ତାଙ୍କ ପୁଅ ଅମୁଲ୍ୟ(୩୫) ଘରକୁ ଫେରିବା ପରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତକ୍ଷୀପ୍ତ ହୋଇ ନିଶାଶକ୍ତ ଅବସ୍ତାରେ ଥିବା ପୁଅ ଅମୁଲ୍ୟ ବାପା ଗୋବିନ୍ଦଙ୍କୁ ଠେଙ୍ଗାରେ ନିସ୍ତୁକ ମାଡ଼ ମାରିଥିଲା। ଏହାପରେ ଏକ ଟାଙ୍ଗିଆ ସାହାଯ୍ୟରେ ଆକ୍ରମଣ ପାଇଁ ଗୋଡାଉଥିଲା। ଏହା ଦେଖି ଗୋବିନ୍ଦଙ୍କ ସାନପୁଅ ଗଣ ମୁଣ୍ଡା ବାପାଙ୍କୁ ଉଦ୍ଧାର କରି ଗାଁ ମୁଣ୍ଡରେ ଥିବା ଲକ୍ଷ୍ମୀ ପୂଜା ମଣ୍ଡପକୁ ନେଇଯାଇ ସେଠାରେ ଆଶ୍ରୟ ଦେଇଥିଲେ। ତେବେ ଆଜି ସକାଳେ ଉକ୍ତ ମଣ୍ଡପରେ ଗୋବିନ୍ଦଙ୍କର ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା। ଫଳରେ ଗ୍ରାମବାସୀମାନେ ହତ୍ୟାକାରୀ ପୁଅ ଅମୁଲ୍ୟକୁ ଘେରି ରହିବା ସହ ଏ ସମ୍ପର୍କରେ ସାନପୁଅ ଗଣ ଦେବଗଡ଼ ଥାନା ପୁଲିସକୁ ସୂଚନା ଦେଇଥିଲେ। ଦେବଗଡ଼ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ହତ୍ୟାକାରୀ ପୁଅ ଅମୁଲ୍ୟକୁ ଥାନାକୁ ଆଣିଥିବା ଜଣାପଡିଛି।