ରେଳଧାରଣାରୁ ୨ଯୁବକଙ୍କ ମୃତଦେହ ଉଦ୍ଧାର

ଲାଞ୍ଜିଗଡ଼ : ଲାଞ୍ଜିଗଡ଼ ରେଲଧାରଣାରୁ ଶନିବାର ପୃଥକ ପୃଥକ ସ୍ଥାନରୁ ଦୁଇଟି ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକ ଦ୍ବୟ ହେଲେ ଲାଞ୍ଜିଗଡ ବଜାରପଡାର ଯୁବକ ପ୍ରତାପ ବାରିକ ଅନ୍ୟଜଣେ ମୃତକ ହେଲେ ନବରଙ୍ଗପୁର ଜିଲା ମଇଦଲପୁରର ଏସ୍‌.ଗଣପତି ଦୋରା। ପ୍ରାଥମିକ ତଦନ୍ତରୁ ଜଣେ ଅନଲାଇନ ଠକେଇର ଶିକାର ହୋଇ ଆତ୍ମହତ୍ୟା କରିଥିବାବେଳେ ଅନ୍ୟଜଣେ ପାରିବାରିକ ସମସ୍ୟା ପାଇଁ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ବଜାରପଡାର ଯୁବକ ପ୍ରତାପ ତିନିଦିନ ହେଲା ନିଖୋଜ ଥିଲା। ଶନିବାର ସକାଳୁ ଟିଟିଲାଗଡ ରେଳ ଷ୍ଟେସନ ପାଖାପାଖି ରେଳଧାରଣାରେ ତାଙ୍କ ମୃତଦେହ ଦେଖିବାକୁ ମିଳିଥିଲା। ମୃତ ପ୍ରତାପଙ୍କ ମୋବାଇଲରୁ ମିଳିଥିବା ଏକ ଭିଡିଓରୁ ଏହା ଆତ୍ମହତ୍ୟା ବୋଲି ଜଣାପଡିଛି। ଏହି ଭିଡିଓରେ ସେ ଅନଲାଇନ୍ ଠକେଇର ଶିକାର ହୋଇଥିବା କହୁଥିବାର ଦେଖିବାକୁ ମିଲିଛି। ରାଣାପ୍ରତାପ ସିଂହ ନାମକ ଜଣେ ବ୍ୟକ୍ତି କୌନ ବନେଗା କରୋଡପତିରେ ଲଟେରୀ ଜିଣିଥିବା ଦର୍ଶାଇ ତାଙ୍କ ଠାରୁ  ୩୦ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ନେଇଯାଇଥିବା ସେ କହିବା ସହ ଏଥିରେ ସେ ନିରାଶ ହୋଇ ଆତ୍ମହତ୍ୟା କରୁଛି ବୋଲି କହୁଥିବା ଜଣାପଡ଼ିଛି।

ସେହିପରି, ଅନ୍ୟଜଣେ ଯୁବକ ନବରଙ୍ଗପୁର ଜିଲା ମଇଦଲପୁରର ଏସ୍‌. ଗଣପତି ଦୋରା ଗତ ଦୁଇ ତାରିଖରୁ ଭୋଜି କରିବାକୁ ଯାଉଛି କହି ଘରୁ ବାହାରି ଆଉଫେରି ନ ଥିଲେ। ଘରୁ ଯିବାବେଳେ ନିଜର ସ୍କୁଟିକୁ ତାଙ୍କର ଜଣେ ସାଙ୍ଗଙ୍କୁ ଦେଇ ସେ ଯାଇଥିବାବେଳେ ଗତ ୧୪ ତାରିଖ ଦିନ ସେ ପିନ୍ଧିଥିବା ଦୁଇଟି ସୁନାମୁଦିକୁ କୋରିୟର ଯୋଗେ ଘରକୁ ପଠାଇଦେଇଥିବା ପରିବାର ଲୋକେ କହିଛନ୍ତି। ତେବେ ପରିବାର ଲୋକେ ଖୋଜାଖୋଜି ସତ୍ତ୍ୱେ ତାଙ୍କୁ ପାଇ ନ ଥିବାବେଳେ ଆଜି ସକାଳୁ ଲାଞ୍ଜିଗଡ ରୋଡ ଷ୍ଟେସନରେ ତାଙ୍କର ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା। ଆସନ୍ତା ମାର୍ଚ୍ଚ ମାସରେ ତାଙ୍କର ବିବାହ ଠିକ ହୋଇଥିବାବେଳେ କୁଆଡେ ନିର୍ବନ୍ଧ ମଧ୍ୟ ସରିଥିଲା ବୋଲି ପରିବାର ସୂତ୍ରରୁ ପ୍ରକାଶ ପାଇଛି। ତେବେ କୌଣସି ପାରିବାରିକ ସମସ୍ୟା ଯୋଗୁଁ ସେ ଘରୁ ଚାଲିଯିବା ସହ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ଏ ନେଇ ଟିଟିଲାଗଡ ଜିଆରପି ଥାନାରେ ଦୁଇଟି ପୃଥକ ପୃଥକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିବା ଏସ୍‌ଆଇ ରମେଶ ପାତ୍ର କହିଛନ୍ତି ।

 

 

Comments are closed.