ଏମିତି ଆସେ ମୃତ୍ୟୁ ; ଖେଳୁଥିବାବେଳେ କୁଡ଼ିଆରେ ଜଳିଗଲେ ୨ ଶିଶୁକନ୍ୟା

ଝରିଗାଁ : କୁଡ଼ିଆରେ ଖେଳୁଥିଲେ। ହଠାତ୍‍ କେଉଁଆଡ଼ୁ ନିଆଁ ଉଡ଼ି ଆସି ସେମାନେ ଖେଳୁଥିବା କୁଡ଼ିଆରେ ଲାଗିଗଲା। ନିର୍ବୋଧ ଶିଶୁକନ୍ୟା ଦୁଇଜଣ ଏ ସମ୍ପର୍କରେ ଜାଣି ନ ଥିଲେ। ଫଳରେ ଅଳ୍ପ ସମୟ ମଧ୍ୟରେ କୁଡ଼ିଆଟି ସମ୍ପୂର୍ଣ୍ଣ ଜଳିଯାଇଥିଲା ଓ କୁଡ଼ିଆ ଭିତରେ ଖେଳୁଥିବା ଏହି ନିଷ୍ପାପ ଶିଶୁ ଦ୍ୱୟ ସମ୍ପୂର୍ଣ୍ଣ ଜଳିଗଲେ। ଅକାଳେ ଝଡ଼ିଗଲା ଦୁଇଟି କଅଁଳ ଜୀବନ। ଏଭଳି ହୃଦୟ ବିଦାରକ ଘଟଣା ନବରଙ୍ଗପୁର ଜିଲା ଝରିଗାଁ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।

ଝରିଗାଁ ବ୍ଲକରେ କିଛି ଦିନ ହେବ ଧନାଗଦା, ମକା ଗଦା ପ୍ରଭୃତିରେ ନିଆଁଲାଗି ସମ୍ପତ୍ତି ପୋଡିଯିବା ଘଟଣା ଘଟି ଚାଲିଥିବା ବେଳେ ଅନେକ ପରିବାର ଯତ୍ନବାନ ହେଉନାହାନ୍ତି। ଆଜି ଝରିଗାଁ ବ୍ଲକ ଅନ୍ତର୍ଗତ ଗୁରୁସିଙ୍ଗା ପଞ୍ଚାୟତ ମଇନାପଦର ଗ୍ରାମର କାମସାହିିର ଦୁଇ ଭାଇ ସାଂସନ ସାନ୍ତା ଓ ପବିତ୍ର ସାନ୍ତା ଆଜି ପରିବାରର ସମସ୍ତ ସଦସ୍ୟ ମିଶି ଘରଠାରୁ ଅଧ କି.ମି.ଦୂରରେ ଥିବା ମକା ଖଳାକୁ ଯାଇଥିଲେ। ସାଥିରେ ସାଂସନର ଦୁଇଝିଅ ସୁଜାତା ସାନ୍ତା(୪), ଅର୍ଚ୍ଚିତା ସାନ୍ତା(୨) ଏବଂ ପବିତ୍ର ସାନ୍ତାଙ୍କ ଝିଅ ଆଲିନା ସାନ୍ତା(୩) ମିଶି ପରିବାର ସହ ମକା ବାଡିକୁ ନ ଯାଇ ଧାନ ଖଳାରେ ଥିବା ଅସ୍ଥାୟୀ କୁଡ଼ିଆରେ ଖେଳିବା ପାଇଁ ରହିଯାଇଥିଲେ। ପରିବାର ସଦସ୍ୟ ଅଧକି.ମି. ଦୂରରେ ଥିବା ମକାବାଡିରେ ମକା ଭାଙ୍ଗିବାରେ ବ୍ୟସ୍ତ ଥିବା ବେଳେ ସମୟ ପ୍ରାୟ ୩ଟା ବେଳେ ଧାନଖଳାରେ ଥିବା ଅସ୍ଥାୟୀ ଘର ସହ ମକାର ଶୁଖିଲା ଅଂଶଗୁଡିକ ଜଳୁଥିବା ଦେଖି ଗ୍ରାମବାସୀ ଓ ପରିବାର ସଦସ୍ୟ ଘଟଣାସ୍ଥଳକୁ ଧାଇଁ ଆସିଥିଲେ। ତେବେ ନିଆଁକୁ ଆୟତ୍ତ କଲାବେଳକୁ ସବୁ ଶେଷ ହୋଇଯାଇଥିଲା। ଅସ୍ଥାୟୀ ଘର (କୁଡ଼ିଆ)ମଧ୍ୟରେ ସୁଜାତା ଓ ଆଲିନାଙ୍କ ଦଗ୍ଧ ଶରୀରକୁ ଉଦ୍ଧାର କରିଥିଲେ। ସୌଭାଗ୍ୟବଶତଃ ଅର୍ଚ୍ଚିତା ଘଟଣାସ୍ଥଳରୁ କିଛି ଦୂରରେ ବସି କାନ୍ଦୁଥିବା ସେମାନେ ଦେଖିବାକୁ ପାଇଥିଲେ। ଅଗ୍ନିକାଣ୍ଡ ନେଇ ପରିବାରବର୍ଗ ସଠିକ ଭାବେ କହିପାରୁ ନ ଥିବା ବେଳେ ରୋଷେଇ କରିଥିବା ନି ନିଆଁ ଉଡି ଆସି ଅସ୍ଥାୟୀ ଘରେ ଲାଗିଥାଇପାରେ କିମ୍ବା ସେ ଘରେ ଥିବା ଡିଆସିଲି ପାଇଁ ଶିଶୁମାନେ ନିଜେ ନିଆଁ ଲଗାଇଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି। ସାଂସନଙ୍କ ୩ଝିଅ ଓ ଗୋଟିଏ ପୁଅ ମଧ୍ୟରୁ ସୁଜାତା ଦ୍ୱିତୀୟ ଝିଅ ଥିବା ବେଳେ ପବିତ୍ରଙ୍କ ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ଥିବା ବେଳେ ସେ ବଡ ଝିଅ ଥିଲା। ତେବେ ଦୁଇ ଶିଶୁଙ୍କ ଜୀବନ୍ତ ଦଗ୍ଧ ଘଟଣା ପରେ ସମଗ୍ର ପରିବାର ମୁକ ପାଲଟିଯାଇଥିବା ବେଳେ ଗାଁରେ ଶୋକର ଛାୟା ଖେଳିଯାଇଛି। ଏ ଘଟଣା ନେଇ ପୁଲିସ କିମ୍ବା ଅଗ୍ନିଶମ ବିଭାଗକୁ ଖବର ଦିଆଯାଇ ନ ଥିବା ଜଣାଯାଇଛି।

Comments are closed.