ନିଖୋଜର ୨୦ ଦିନ ପରେ ନାଳରୁ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗରେ ୪ ଅଟକ

ପଥର ଛେଚି ହତ୍ୟା ପରେ ଏସିଡ ପକାଇ ଯୁବକକୁ ଜାଳିଦେଲେ

ଭଞ୍ଜନଗର : ଗଞ୍ଜାମ ଜିଲା ତାରସିଂ ଥାନା ଅନ୍ତର୍ଗତ ଟାଙ୍ଗଣ ଗ୍ରାମରୁ ୨୦ ଦିନ ଧରି ନିଖୋଜ ରହିଥିବା ଜଣେ ଯୁବକର ଗଳିତ ମୃତଦେହକୁ ପୁଲିସ୍‍ ଉଦ୍ଧାର କରିଛି। ନିଖୋଜ ଯୁବକ ସମ୍ପର୍କରେ ପୁଲିସ ଖୋଳତାଡ କରି ମଙ୍ଗଳବାର ମୃତଦେହ ଠାବ କରିବା ସହ ମୃତ୍ୟୁ ରହସ୍ୟାୁ ପରଦା ହଟାଇଛି। ଯୁବକକୁ ପଥରରେ ଛେଚି ଅତି ଜଘନ୍ୟ ଭାବେ ହତ୍ୟା କରିବା ପରେ ଦୁର୍ବୃତ୍ତମାନେ ଏସିଡରେ ମୁଣ୍ଡକୁ ପୋଡିଦେବା ପରେ ପଥର ବାନ୍ଧି ନିକଟସ୍ଥ କତରାନାଳରେ ପକାଇ ଦେଇଥିଲେ। ପଚିସଢି ଯିବା ପରେ ପଥରଟି ଆପେ ଆପେ ଖସିଯିବାରୁ ଗଳିତ ଶବଟି ପାଣିରେ ଭାସିଥିଲା। ଏଣେ ନିଖୋଜ ଯୁବକ ସନ୍ଧାନରେ ରହିଥିବା ପୁଲିସ ବିଭିନ୍ନ ସ୍ଥାନରେ ଚଢଉ କରି ଜଣକୁ ଥାନାରେ ଅଟକ ରଖି ଉତ୍ତମମଧ୍ୟମ କରି ହତ୍ୟା ରହସ୍ୟ ଉନ୍ମୋଚନ କରିଛି। ପୁଲିସ ଅଧିକ ତଦନ୍ତ ନିମନ୍ତେ ମୃତଦେହକୁ ବ୍ରହ୍ମପର ଏଫ୍‍ଏମ୍‍ଟିକୁ ପଠାଇଛି।

ସୂଚନା ପ୍ରକାରେ ଭଞ୍ଜନଗର ବ୍ଲକ ଲେ​‌େ​‌ମ୍ଭଇ ପଞ୍ଚାୟତ ଅନ୍ତର୍ଗତ ଟାଙ୍ଗଣ ଗ୍ରାମର କୋକ ସାହୁଙ୍କୁ ୩୦ ବର୍ଷୀୟ ପୁଅ ମିଥୁନ୍‍ ସାହୁ ଗ୍ରାମର ଅନ୍ୟ ଦୁଇ ସହଯୋଗୀଙ୍କ ସହ ନିକଟସ୍ଥ ରାଇପଲ୍ଲୀ ଗ୍ରାମକୁ ମଦ ପିଇବାକୁ ଯାଇଥିଲେ। ଏହା ଥିଲା ଡିସେମ୍ବର ୩ ତାରିଖ ସନ୍ଧ୍ୟା ସମୟ। ତିନିବନ୍ଧୁ ଗୋଟିଏ ବାଇକରେ ରାଇପଲ୍ଲୀ ଗ୍ରାମକୁ ଯାଇଥିଲେ। ହେଲେ ମିଥୁନ୍‍କୁ ଛାଡି ଅନ୍ୟ ଦୁଇ ବନ୍ଧୁ ନିଜ ନିଜ ଘରକୁ ଚାଲି ଆସିଥିଲେ। ମିଥୁନ୍‍ ସାମାନ୍ୟ ବିଳମ୍ବରେ ରାତି ପ୍ରାୟ ୮ଟାରେ ଚାଲି ଚାଲି ରାଇପଲ୍ଲୀଠାରୁ ଟାଙ୍ଗଣ ଗ୍ରାମ୍ୟ ରାସ୍ତାରେ ଏକାକୀ ଆସୁଥିବା ବେଳେ ରାସ୍ତାରେ ସେହି ଗ୍ରାମର କୃଷ୍ଣ ଗୌଡ ଓ ତାର ୩ ସହଯୋଗୀ ଅଟକାଇଥିଲେ। ୪ଜଣ ଯାକ ମିଥୁନ୍‍କୁ ଘେରିଯାଇ ଅମାନୁଷିକ ଭାବେ ଆକ୍ରମଣ କରିଥିଲେ। ଗୁରୁତର ମିଥୁନକୁ ସେଠାରୁ କିଛି ଦୂରରେ ଥିବା ନିର୍ଜନ ଗାଁ ଠାକୁରାଣୀ ମନ୍ଦିର ପାଖକୁ ଉଠାଇ ନେଇଥିଲେ। ଏକାକୀ ମିଥୁନ ଅସହାୟ ଅବସ୍ଥାରେ ଚାରି ଜଣଙ୍କୁ ମୁକାବିଲା କରିପାରିନଥିଲା। କୃଷ୍ଣ ଓ ତାର ତିନି ସହଯୋଗୀ ମିଥୁନ୍‍କୁ ପୁଣି ନିସ୍ତୁକ ମାଡ଼ ମାରିଥିଲେ। ସେ ତଳେ ପଡିଯିବା ପରେ ବାରମ୍ବାର ତାକୁ ପଥରରେ ଛେଚି ଅତି ନୃଶଂସ ଭାବେ ହତ୍ୟା କରିଥିଲେ। ମିଥୁନର ରକ୍ତ ଜୁଡୁବୁଡୁ ଶରୀର ଉପରେ ଏସିଡ୍‍ ଢାଳି  ଦେଇଥିଲେ।

ମିଥୁନର ମୁଣ୍ଡ ଓ ଶରୀରର କିଛି ଅଂଶ ପୋଡିଯିବା ପରେ ସେଠାରୁ ତାକୁ ନିକଟସ୍ଥ କତାରନାଳକୁ ଉଠାଇ ନେଇ ମୃତଦେହରେ ପଥରେ ବାନ୍ଧି ପାଣି ଭିତରକୁ ଫୋପାଡି ଚାଲି ଯାଇଥିଲେ। ଏଣେ ମିଥୁନ୍‍ ନିଖୋଜ ହେବାର ପରବର୍ତ୍ତୀ ଦିନ ବାପା କୋକ ତାରସିିଂ ଥାନାରେ ଏତଲା ଦେଇଥିଲେ । ଦୁଇ ସପ୍ତାହ ପର୍ୟ୍ୟନ୍ତ ମିଥୁନର କୌଣସି ଖୋଜଖବର ମିଳିନଥିଲା। ପରବର୍ତ୍ତୀ ସମୟରେ ଛତ୍ରପୁରରୁ ସନ୍ଧାନୀ କୁକୁର ଆସିଥିଲା। କୃଷ୍ଣ ଗୌଡ଼ର ଘରମୁହଁକୁ ଯାଇ କୁକୁର ଫେରି ଆସିଥିଲା। ଫଳରେ ଭୟଭୀତ କୃଷ୍ଣ ଘରଛାଡ଼ି ଭୁବନେଶ୍ୱର ଚାଲି ଯାଇଥିଲା। କୃଷ୍ଣ ଗ୍ରାମଛାଡ଼ି ଚାଲିଯିବା ପରେ ମୃତ ମିଥୁନ୍‍ର ବାପା କୋକୋ ସାହୁ ଅଧିକ ସନ୍ଦେହ କରି ତାରସିଂ ପୁଲିସ୍‍ରେ ଖବର ଦେଇଥିଲେ। ପୁଲିସ୍‍ ଏହି ଘଟଣାର ଅଧିକ ଖୋଳତାଡ଼ କରି ଭୁବନେଶ୍ୱରରେ ପହଞ୍ଚି ମୋବାଇଲ୍‍ ଟ୍ରାକ୍‍ କରି କୃଷ୍ଣକୁ ଧରିବାରେ ସକ୍ଷମ ହୋଇଥିଲା। କୃଷ୍ଣକୁ ତାରସିଂ ଥାନାକୁ ଆଣି ଅଧିକ ପଚରାଉଚୁରା କରିବା ପରେ ମିଥୁନ୍‍ ହତ୍ୟା ରହସ୍ୟ ଉନ୍ମୋଚିତ ହୋଇଥିଲା।

କୌଣସି ଏକ ପ୍ରସଙ୍ଗକୁ କେନ୍ଦ୍ର କରି ମୃତ ମିଥୁନ୍‍ ଓ କୃଷ୍ଣ ମଧ୍ୟରେ ବିବାଦ ଲାଗି ରହିଥିଲା। କ୍ରମଶଃ ଏହା ଭୟଙ୍କର ରୂପ ନେଇଥିଲା। ସବୁଦିନ ପାଇଁ କୃଷ୍ଣକୁ ରାସ୍ତାରୁ ହଟାଇ ଦେବାର ସଂକଳ୍ପ କରି କୃଷ୍ଣ ହତ୍ୟା ଯୋଜନା କରିଥିଲା। ମଙ୍ଗଳବାର ମିଥୁନ୍‍ର ଗଳିତ ଶବ କତାରନାଳରୁ ଉଦ୍ଧାର ହେବା ବେଳେ ଗ୍ରାମବାସୀ ରୁଣ୍ଡ ହୋଇଥିଲେ। ତାରସିଂ ପୁଲିସ୍‍ ସମେତ ଭଞ୍ଜନଗର ଏସ୍‍ଡିପିଓ ଶୁଭ୍ରାଂଶୁଶେଖର ମିଶ୍ର ଘଟଣାସ୍ଥଳରେ ପହଞ୍ଚି ମୁଖ୍ୟ ଅଭିଯୁକ୍ତ କୃଷ୍ଣ ସମେତ ଅନ୍ୟ ତିନି ସହଯୋଗୀଙ୍କୁ ଧରି ଆଣି ଥାନାରେ ଅଟକ ରଖିଛନ୍ତି।

Comments are closed.