ବୃଦ୍ଧଙ୍କ ମୃତଦେହ ଉଦ୍ଧାର; କାରଣ ଅସ୍ପଷ୍ଟ

ସାରନଗରୀ : ଆଜି ସକାଳେ ଜଣେ ବୃଦ୍ଧଙ୍କ ମୃତଦେହ ଏକ ପୋଲ ନିକଟ ପାଚେରୀ କଡ଼ରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇବା ପରେ ଏହି ଘଟଣା ସମ୍ପର୍କରେ ପୁଲିସକୁ ସୂଚନା ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପହଂଚି ବୃଦ୍ଧଙ୍କ ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଜାରି ରଖିଛି । ମୃତ ବୃଦ୍ଧ ଜଣଙ୍କ ହେଲେ ସୁନୀଲ ଦାସ(୫୮)। ସେ ଟାଙ୍ଗରପାଲୀ ଥାନା ଅନ୍ତର୍ଗତ ବ୍ରିଟାନିଆ କଲୋନୀ ନିକଟ ମୁଣ୍ଡା ବସ୍ତିରେ ରହି ଆସୁଥିଲେ ବୋଲି ପୁଲିସ ସୂତ୍ରରୁ ପ୍ରକାଶ।
ମିଳିଥିବା ସୂଚନା ଅନୁଯାୟୀ, ପୂର୍ବରୁ ଦକ୍ଷିଣ ରାଉରକେଲା ଆଇଡ଼ିଏଲ ଛକରେ ବ୍ରିଟାନିଆ କଲୋନୀ ମୁଣ୍ଡା ବସ୍ତିରେ ରହୁଥିବା ସୁନୀଲ ଜୋତା, ଚପଲ ମରାମତି କରି ନିଜ ଗୁଜୁରାଣ ମେଂଟାଉଥିଲେ। ଗତ କିଛି ଦିନ ପୂର୍ବେ ସେ ଘରୁ ନିଖୋଜ ହୋଇ ଯାଇଥିଲେ ବୋଲି ପରିବାରବର୍ଗଙ୍କ ପକ୍ଷରୁ ସୂଚନା ମିଳିଛି। ଏନେଇ ସେତେବେଳେ ପରିବାର ଲୋକଙ୍କ ପକ୍ଷରୁ ଟାଙ୍ଗରପାଲୀ ଥାନାରେ ଏତଲା ଦିଆଯିବା ପରେ ପୁଲିସ ଏକ ନିଖୋଜ ମାମଲା ରୁଜୁ କରିଥିଲା। ଆଜି ସକାଳେ ସୁନୀଲଙ୍କ ମୃତଦେହ ଟାଙ୍ଗରପାଲୀ ନିକଟ ପାଚେରୀ କଡ଼ରୁ ଟାଙ୍ଗରପାଲୀ ପୁଲିସ ଉଦ୍ଧାର କରିଥିଲା । ବୃଦ୍ଧ ଜଣଙ୍କ ସେହି ପୋଲ ନିକଟକୁ କେଉଁ ଉଦ୍ଦ୍ୟେଶ ନେଇ ଆସିଥିଲେ ଓ ସେଠାରେ ତାଙ୍କର ମୃତ୍ୟୁ କିପରି ହେଲା ତାହାର ଖୋଳତାଡ଼ କରୁଛି ପୁଲିସ। ବୃଦ୍ଧ ଜଣଙ୍କ ହୁଏତ ପାଚେରୀ କଡ଼ର ଖୋଲା ଜାଗାରେ ପ୍ରବଳ ଥଣ୍ଡା ସହ୍ୟ କରିନପାରି ମୃତ୍ୟୁବରଣ କରି ଥାଇପାରନ୍ତି ବୋଲି ସାଧାରଣରେ ଆଲୋଚନା ହେଉଛି। ଟାଙ୍ଗରପାଲୀ ପୁଲିସ ବୃଦ୍ଧଙ୍କ ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏ ସମ୍ପର୍କରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି। ପୋଲ ନିକଟ ପାଚେରୀ କଡ଼ରୁ ବୃଦ୍ଧଙ୍କ ମୃତ ଦେହ ମିଳିବା ପରେ ସେଠାରେ ସ୍ଥାନୀୟ ଜନସାଧାରଣ ଓ ଦୋକାନୀଙ୍କ ଭିଡ଼ ଦେଖିବାକୁ ମିଳିଥିଲା।