ଡ଼୍ୟାମ୍‍ରୁ ଉଦ୍ଧାର ହେଲା ମାଇଁ ଓ ଭାଣିଜୀଙ୍କ ମୃତଦେହ

ସମାଜ ପୋର୍ଟାଲ ଡେସ୍କ: ଗଜପତି ଜିଲ୍ଲା ମୋହନା ବ୍ଲକ୍‍ ଅନ୍ତର୍ଗତ ଅଡ଼ବା ଥାନା ବୁଢ଼ାଡ଼ିହ ଗାଁରେ ଗତ ସଂନ୍ଧ୍ୟାରେ ଡ଼୍ୟାମରେ ବୁଡ଼ି ନିଖୋଜ ଥିବା ମାଇଁ ଓ ଭାଣିଜୀଙ୍କ ମୃତଦେହକୁ ଦମକଳବାହିନୀ ଆଜି ଉଦ୍ଧାର କରିଛି। ସୂଚନା ଅନୁଯାୟୀ, ଗତ ସନ୍ଧ୍ୟାରେ ମାଇଁ ଅବନି ମଣ୍ଡଳ ଓ ୧୦ ବର୍ଷିୟା ଭାଣିଜୀ ଇଷ୍ପାଞ୍ଜଳି ଶବର ନିକଟସ୍ଥ ଡ଼୍ୟାମକୁ ଗାଧୋଇବାକୁ ଯାଇଥିଲେ। ଗାଧୋଇବା ସମୟରେ ଭାଣିଜୀ ବୁଡି ଯାଉଥିବା ଦେଖି ତାକୁ ଉଦ୍ଧାର କରିବାକୁ ଯାଇ ମାଇଁ ଅବନି ମଧ୍ୟ ପାଣିରେ ବୁଡ଼ି ନିଖୋଜ ହୋଇଯାଇଥିଲେ। ପରିବାର ଲୋକେ ଓ ଗ୍ରାମବାସୀ ଡ୍ୟାମରେ ଖୋଜାଖୋଜି କରିଥିଲେ ସୁଦ୍ଧା ଉଭୟଙ୍କର କୌଣସି ସନ୍ଧାନ ମିଳିନଥିଲା।

ତେବେ ଆଜି ସକାଳେ ମାଇଁର ଶବ ଭାସୁଥିବାର ଦେଖିବାକୁ ମିଳିବା ପରେ ମୋହନା ଅଗ୍ନିଶମ କର୍ମଚାରୀ ଉଭୟ ମାଇଁ ଓ ଭାଣିଜୀର ଶବ ଉଦ୍ଧାର କରିଛନ୍ତି। ଅଡ଼ବା ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ଉଭୟଙ୍କ ମୃତଦେହ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି।

Comments are closed.