ତିନିଦିନ ନିଖୋଜ ପରେ ଗାଁ ବନ୍ଧରୁ ମୃତଦେହ ଉଦ୍ଧାର କଲା ପୁଲିସ

ମୋହନା : ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଚନ୍ଦ୍ରଗିରୀ ଫାଣ୍ଡି ଅଧିନସ୍ଥ ବାଉଁସୁରି ଗ୍ରାମର ଶୁକଦେଵ ଜାନୀ (୫୨) ସୋମବାର ଦିନ ସନ୍ଧ୍ୟା ସମୟରେ ଗ୍ରାମ ନିକଟସ୍ଥ ପୋଖରୀକୁ ସ୍ନାନଶୌଚ ହେବାକୁ ଯାଇ ଫେରି ନଥିଲେ । ବହୁ ଖୋଜା ଖୋଜି ପରେ ନିଖୋଜ ଥିବା ନେଇ ତାଙ୍କ ପୁଅ ଶୀତାରାମ ଜାନୀ ଓ ମା’ ହେମ ଜାନୀ ବୁଧବାର ଦିନ ମୋହନା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗର କିଛି ଘଣ୍ଟା ପରେ  ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକ ନିର୍ଦ୍ଦେଶ କ୍ରମେ ଏସଆଇ ଶ୍ରୀ ପାଣିଗ୍ରାହୀଙ୍କୁ ଘଟଣା ସ୍ଥଳକୁ ପଠାଇଥିଲେ। ପୁଲିସ ପହଞ୍ଚି ଗାଁ ନିକଟସ୍ଥ ପଞ୍ଚାୟତ ବନ୍ଧରେ ଜଣେ ବୃଦ୍ଧାଙ୍କ ମୃତ ଦେହ ଭାସୁଥିବା ଦେଖି ଅଗ୍ନିଶମ ବିଭାଗକୁ  ଖବର ଦେବାପରେ ଅଧିକାରୀ ତାରାକାନ୍ତ ମହାପାତ୍ର ଓ ତାଙ୍କ ଟିମ ଘଟଣା ସ୍ଥଳରେ ପହଞ୍ଚି  ବନ୍ଧରୁ ମୃତ ଦେହକୁ ଉଦ୍ଧାର କରିଥିଲେ। ମୃତ ଦେହଟି ଶୁକଦେଵ ଜାନୀଙ୍କ ବୋଲି ଜଣା ପଡ଼ିଛି । ଏନେଇ ମୋହନା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବକୁ ବ୍ରହ୍ମପୁର ବଡ ମେଡିକାଲକୁ ବ୍ୟବଚ୍ଛେଦ ନିମନ୍ତେ ପଠାଯାଇଥିବା ମୋହନା ଥାନା ଅଧିକାରୀ ଶ୍ରୀ ନାୟକ କହିଛନ୍ତି।

Comments are closed.