ଡ୍ୟାମ ପାଣିରେ ଗୋଡ଼ ଖସି ଛୁଆହାତୀର ମୃତ୍ୟୁ

ନୀଳଗିରି : ବାଲେଶ୍ୱର ଜିଲା ଅଧୀନ ନୀଳଗିରିସ୍ଥିତ କୁଲଡିହା ଅଭୟାରଣ୍ୟ ଭିତରୁ ଏକ ଛୁଆହାତୀର ମୃତଦେହ ଉଦ୍ଧାର କରାଯାଇଛି। ଶୋଷ ମେଣ୍ଟାଇବାକୁ ଆସି ଡ୍ୟାମରେ ଗୋଡ଼ ଖସି ଯିବାରୁ ୨ବର୍ଷର ଅଣ୍ଡିରା ଛୁଆହାତୀର ମୃତ୍ୟୁ ଘଟିଛି ବୋଲି ବନବିଭାଗ ପକ୍ଷରୁ କୁହାଯାଇଛି। ଅଭୟାରଣ୍ୟର ଗୋହିରାଭୋଳ ନ୍ୟାଚର୍ସ କ୍ୟାମ୍ପ ପଶ୍ଚିମ ପାର୍ଶ୍ବରେ ଥିବା ରିଷିଆ ଡ୍ୟାମକୁ ହାତୀଗୋଠ ପାଣି ପିଇବାକୁ ଆସିଥିଲେ। ସେଠାରେ ଥିବା ଏକ ଚତୁରୀ ଉପରେ ବସି ପାଣି ପିଉଥିବା ସମୟରେ ଗୋଡ଼ ଖସିଯିବାରୁ ଛୁଆହାତୀଟି ଡ୍ୟାମ ପାଣିରେ ପଡ଼ି ମୃତ୍ୟୁ ଘଟିଥିବା କୁହାଯାଉଛି। ଅନ୍ୟ ହାତୀମାନେ ତାକୁ ଉଦ୍ଧାର କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ।

ସୋମବାର ଅପରାହ୍ନରେ ପାଟ୍ରୋଲିଂରେ ଯାଇଥିବା ସବୁଜବାହିନୀ କର୍ମଚାରୀମାନେ ହାତୀର ମୃତଦେହ ଭାସୁଥିବା ଦେଖି ବିଭାଗକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ବାଲେଶ୍ୱର ଡିଏଫଓ ବିଶ୍ୱରାଜ ପଣ୍ଡା, ଏସିଏଫଓ ଶରତ ବେହେରା, କୁଲଡିହା ରେଞ୍ଜର ବିଜୟ ମହାପାତ୍ର ପ୍ରମୁଖ ସେଠାରେ ପହଞ୍ଚି ତଦନ୍ତ କରିବା ସହ ପାଣି ଭିତରୁ ହାତୀର ମୃତଦେହ ଉଦ୍ଧାର କରିଥିଲେ। ମୃତଦେହକୁ ବ୍ୟବଛେଦ କରାଯାଇ ଜଙ୍ଗଲ ଭିତରେ ପୋଡ଼ି ଦିଆଯାଇଥିବା ସୂଚନା ମିଳିଛି।

Comments are closed.