ନିଜ ଅନ୍ତିମ ସଂସ୍କାର ନିମନ୍ତେ ଲୋଡ଼ାପଡ଼ିଲା ଟଙ୍କା; ବ୍ୟାଙ୍କରେ ପହଞ୍ଚିଲା ଶବ

ଜମା ଟଙ୍କା ଉଠାଇବା ପାଇଁ ବ୍ୟାଙ୍କ ଯାଆନ୍ତି ଜମାକାରୀ । ମାତ୍ର ନିଜ ଅନ୍ତିମ ସଂସ୍କାର ନିମନ୍ତେ ଟଙ୍କା ଲାଗି ଜଣେ ମୃତବ୍ୟକ୍ତି କେମିତି ବ୍ୟାଙ୍କ ଯାଇପାରିବେ ? ମାତ୍ର ଅବିଶ୍ବାସ ହେଉଥିଲେ ହେଁ ଘଟଣାଟି ସତ । ମୃତ ବ୍ୟକ୍ତିଙ୍କ ଜମା ଟଙ୍କା ଉଠାଇବା ପାଇଁ ଗାଁ ଲୋକମାନେ ତାଙ୍କୁ ନେଇ ବ୍ୟାଙ୍କ ସାମ୍ନାରେ ୩ ଘଣ୍ଟା ବସି ରହିବା ଓ ଶେଷରେ ବ୍ୟାଙ୍କ କର୍ତ୍ତୃପକ୍ଷ ୧୦ ହଜାର ଟଙ୍କା ଦେଇ ଏହାର ସମାଧାନ କରିବା ଚର୍ଚାର ବିଷୟ ହୋଇଛି ।

ଏହି ଘଟଣା ବିହାରର ଶାହଜହାଁପୁର ଥାନା ଅଞ୍ଚଳର ସିଗରିୟାୱା ଗାଁରେ ଘଟିଛି । ଗାଁର ମହେଶ ଯାଦବ ନାମକ ଜଣେ ବ୍ୟକ୍ତି ଗତ ମଙ୍ଗଳବାର ମୃତ୍ୟୁବରଣ କରିଥିଲେ । ଗ୍ରାମବାସୀ ତାଙ୍କର ଅନ୍ତିମ ସଂସ୍କାର କରିବାକୁ ବାହାରିଲେ, ମାତ୍ର କେହି ଏଥିପାଇଁ ଟଙ୍କା ବାହାର କଲେ ନାହିଁ । ଶେଷରେ ଗ୍ରାମବାସୀ ସେହି ଗାଁରେ ଥିବା କାନାରା ବ୍ୟାଙ୍କର ଶାଖାରେ ପହଞ୍ଚିଲେ । ଏହି ବ୍ୟାଙ୍କରେ ମହେଶ ଯାଦବଙ୍କର ଆକାଉଣ୍ଟ ରହିଥିଲା ଓ ସେଥିରେ କିଛି ଜମାରାଶି ମଧ୍ୟ ଥିଲା ।

ଗ୍ରାମବାସୀ ବ୍ୟାଙ୍କ ମ୍ୟାନେଜରଙ୍କୁ ମହେଶର ଅନ୍ତିମ ସଂସ୍କାର ନିମନ୍ତେ ତାର ଜମାଖାତାରୁ ଟଙ୍କା ଉଠାଇବାକୁ ଚାହିଁଥିଲେ । ମାତ୍ର ବ୍ୟାଙ୍କର କର୍ମଚାରୀମାନେ ଏହା ହୋଇପାରିବ ନାହିଁ ବୋଲି କହି ସେମାନଙ୍କୁ ଫେରାଇ ଦେଇଥିଲେ । ଟଙ୍କା ଉଠାଣ ଓ ନେଣ ଦେଣ ପାଇଁ କାନାରା ବ୍ୟାଙ୍କର କିଛି ସ୍ୱତନ୍ତ୍ର ନିୟମ ରହିଛି । ଯେଉଁଥିବା ବ୍ୟାଙ୍କ ଅଧିକାରୀ ମୃତ ମହେଶଙ୍କ ଆକାଉଣ୍ଟରୁ ଟଙ୍କା ଦେବାକୁ ମନା କରିଥିଲେ ।

ଶେଷରେ ଗ୍ରାମବାସୀ ବାଧ୍ୟ ହୋଇ ମହେଶଙ୍କ ଘର ନିକଟକୁ ଫେରି ଆସିଲେ । ମାତ୍ର କିଛି ସମୟ ପରେ ନିଜ ମଧ୍ୟରେ ଆଲୋଚନା କରି ମହେଶଙ୍କ ଶବକୁ ଧରି ବ୍ୟାଙ୍କରେ ପହଞ୍ଚି ଗଲେ । ଏହା ଦେଖି ବ୍ୟାଙ୍କ କର୍ମଚାରୀମାନେ ତାଟକା । ପ୍ରାୟ ୩ ଘଣ୍ଟା ଧରି ମହେଶଙ୍କ ଶବ ବ୍ୟାଙ୍କ ମଧ୍ୟରେ ପଡ଼ି ରହିବା ପରେ ବ୍ୟାଙ୍କ ମ୍ୟାନେଜର ନିଜ ପକ୍ଷରୁ ୧୦ ହଜାର ଟଙ୍କା ଦେଇ ଗ୍ରାମବାସୀଙ୍କୁ ବୁଝାସୁଝା କରି ଫେରାଇଥିଲେ ।

ମହେଶ ଅବିବାହିତ ଥିଲେ ଓ ତାଙ୍କ ଜମାଖାତାରେ କେହି ନୋମିନି ନ ଥିଲେ । ତେଣୁ ଟଙ୍କା ପ୍ରଦାନରେ ସମସ୍ୟା ହୋଇଥିଲା । ତାଙ୍କ ଜମାଖାତାରେ ପ୍ରାୟ ଲକ୍ଷାଧିକ ଟଙ୍କା ଜମା ରହିଥିଲେ ମଧ୍ୟ ସେ ଏହାର କେୱାଇସି ଅପଡ଼େଟ୍ କରି ନ ଥିଲେ । ତେଣୁ ବ୍ୟାଙ୍କ ମ୍ୟାନେଜର ଟଙ୍କା ଦିଆଯାଇ ପାରିବ ନାହିଁ ବୋଲି କହିଥିଲେ ।

Comments are closed.