ଶବ ଦାହରେ ବିଳମ୍ବକୁ ନେଇ ଉତ୍ତେଜନା, ରାସ୍ତାରୋକ

ଫୁଲବାଣୀ : ଫୁଲବାଣୀ କୋଭିଡ୍ ହସ୍ପିଟାଲରେ ଆଜି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇ ଯାଇଥିବା ବେଳେ ଶବ ଦାହରେ ବିଳମ୍ବ ଯୋଗୁଁ ଉତେଜନା ପ୍ରକାଶ ପାଇବା ସହ ଗ୍ରାମବାସୀଙ୍କ ଦ୍ୱାରା  ରାସ୍ତା ରୋକ କରାଯାଇଥିଲା। ପରେ ତହସିଲଦାର ଓ ପୌର କାର୍ଯନିର୍ବାହୀ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ସହ ପୌର ପରିଷଦ ପକ୍ଷରୁ ଶବ ଦାହ ବ୍ୟବସ୍ଥା କରିବା ପରେ ଉତ୍ତେଜନା କମିବା ସହ ରାସ୍ତାରୋକ ହଟିଥିଲା।

ସୂଚନା ଅନୁଯାୟୀ, ଆଜି ଖଜୁରିପଡ଼ା ବ୍ଳକ ଅନ୍ତର୍ଗତ ବାରିକୁମ୍ପା ଗ୍ରାମର ଜଣେ ୫୫ ବର୍ଷର ବ୍ୟକ୍ତି ଗତ ୧୦ ଦିନ ହେଲା କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଆଜି ତାଙ୍କର ମୃତ୍ୟୁ ହୋଇ ଯାଇଥିଲା। ଖବର ପାଇ ତାଙ୍କ ପରିବାର ବର୍ଗ ଓ କିଛି ଗ୍ରାମବାସୀ ପହଞ୍ଚିଥିଲେ। ଚିକିତ୍ସାଳୟ ପକ୍ଷରୁ ଆମ୍ବୁଲାନ୍ସ ଦ୍ୱାରା ଶବକୁ ଏଫସିଆ ଛକ ଶ୍ମଶାନକୁ ଯାଇଥିଲେ। ସେଠାରେ ପୌରପାଳିକା ପକ୍ଷରୁ ଶବ ଦାହର ବ୍ୟବସ୍ଥା କରିବା କଥା। ବହୁତ ସମୟ ଅପେକ୍ଷା କରିବା ପରେ ମଧ୍ୟ ପୌରପାଳିକାର କୌଣସି କର୍ମଚାରୀ ନପହଁଚିବାରୁ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖା ଦେଇଥିଲା। ଉତ୍ତେଜିତ ଲୋକେ ବିଜୟୱାଡା-ରାଂଚି ରାଜପଥକୁ ଅବରୋଧ କରିଥିଲେ। ଖବର ପାଇ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ବଳଦେବ ବେହେରା ପହଂଚି ଲୋକଙ୍କୁ ବୁଝା ସୁଝା କରିବା ସହ ଶବ ଦାହ ବ୍ୟବସ୍ଥା କରିଥିଲେ। ଏହା ପରେ ଉତ୍ତେଜନା ହ୍ରାସ ପାଇବା ସହ ରାସ୍ତାରୋକ ହଟିଥିଲା।

Comments are closed.