ପୃଥ୍ବୀଙ୍କ ବିସ୍ଫୋରକ ବ୍ୟାଟିଂ ; ଦିଲ୍ଲୀର ସହଜ ବିଜୟ

ଅହମ୍ମଦାବାଦ : ଆଇପିଏଲ୍‌ରେ ଗୁରୁବାର ସନ୍ଧ୍ୟାର ମ୍ୟାଚ୍‌ରେ ସହଜ ବିଜୟ ହାସଲ କରିଛି ଦିଲ୍ଲୀ କ୍ୟାପିଟାଲ୍‌ସ। ବୋଲରଙ୍କ ଶୃଙ୍ଖଳିତ ପ୍ରଦର୍ଶନ ପରେ ପୃଥ୍ବୀ ସ’ଙ୍କ ବିସ୍ଫୋରକ ଇନିଂସ ବଳରେ କଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ଦଳକୁ ୭ ୱିକେଟରେ ଦିଲ୍ଲୀ ପରାସ୍ତ କରିଛି। ଆ‌େ​‌ନ୍ଦ୍ର ରସେଲ୍‌ ଓ ଶୁବ୍‌ମାନ ଗିଲ୍‌ଙ୍କ ଉପଯୋଗୀ ଇନିଂସ ବଳରେ ପ୍ରଥମେ ବ୍ୟାଟିଂକରି କେକେଆର୍ ୬ ୱିକେଟରେ ୧୫୪ ରନ୍ କରିଥିଲା। ପରେ ପୃଥ୍ବୀ ସ’ଙ୍କ ଆକ୍ରମଣାତ୍ମକ ଅର୍ଦ୍ଧଶତକ ବଳରେ ୧୬.୩ ଓଭରରେ ୩ ୱିକେଟ ହରାଇ ଦିଲ୍ଲୀ କ୍ୟାପିଟାଲ୍‌ସ ବିଜୟୀ ହୋଇଥିଲା। ୭ମ ମ୍ୟାଚ୍‌ରେ ଏହା ଦିଲ୍ଲୀର ୫ମ ବିଜୟ। ୧୦ ପଏଣ୍ଟ ସହ ଦିଲ୍ଲୀ ୨ୟ ସ୍ଥାନକୁ ଉନ୍ନୀତ ହୋଇଛି। ଅନ୍ୟପକ୍ଷରେ ୭ମ ମ୍ୟାଚ୍‌ରେ ୫ମ ପରାଜୟ ପରେ ୪ ପଏଣ୍ଟ ସହ ୫ମ ସ୍ଥାନରେ ରହିଛି କେକେଆର୍‌।
ଶିବମ୍ ମାଭି ବୋଲିଂ କରିଥିବା ଇନିଂସର ପ୍ରଥମ ଓଭରରେ ୬ଟିଯାକ ବଲ୍‌ରେ ଚୌକାମାରି ବିସ୍ଫୋରକ ଢଙ୍ଗରେ ୧୫୫ ରନ୍‌ର ପିଛା ଆରମ୍ଭ କରିଥିଲେ ପୃଥ୍ବୀ ସ’। ପ୍ରଥମ ୫ ଓଭରରେ ଦିଲ୍ଲୀ କ୍ୟାପିଟାଲ୍‌ସ ୬୬ ରନ୍ କରିଥିଲା। ମାତ୍ର ୧୮ ବଲ୍‌ରେ ପୃଥ୍ବୀ ସ’ ଅର୍ଦ୍ଧଶତକ ପୂରଣ କରିଥିଲେ। ଚଳିତ ଆଇପିଏଲ୍‌ରେ ଏହା ଦ୍ରୁତତମ ଅର୍ଦ୍ଧଶତକ। ଚଳିତ ଟୁର୍ଣ୍ଣାମେଣ୍ଟରେ ଏହା ପୃଥ୍ବୀଙ୍କ ୨ୟ ଅର୍ଦ୍ଧଶତକ। ଶିଖର ଧାୱନ୍ ମଧ୍ୟ ଦର୍ଶନୀୟ ବ୍ୟାଟିଂ କରିଥିଲେ। ପ୍ରଥମ ୱିକେଟ ପାଇଁ ପୃଥ୍ବୀ-ଧାୱନ୍ ୧୪ ଓଭରରେ ୧୩୨ ରନ୍‌ର ଭାଗିଦାରୀ କରିଥିଲେ। ଧାୱନ ୪୭ ବଲ୍‌ରୁ ଗୋଟିଏ ଛକା ଓ ୪ଟି ଚୌକା ସହ ୪୬ ରନ୍‌କରି ଆଉଟ ହୋଇଥିଲେ। ୧୬ଶ ଓଭରରେ ଆଉଟ ହୋଇଥିବା ପୃଥ୍ବୀ ସ’ ୪୧ ବଲ୍‌ରୁ ୩ଟି ଛକା ଓ ୧୧ଟି ଚୌକା ସହ ୮୨ ରନ୍ କରିଥିଲେ। ସେହି ଓଭରରେ ଅଧିନାୟକ ଋଷଭ ପନ୍ତ୍ ୮ ବଲ୍‌ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୧୬ ରନ୍‌କରି ଅାଉଟ୍‌ ହୋଇଥିଲେ। ମାର୍କସ ଷ୍ଟୋଇନିସ୍ ୬ ରନ୍‌କରି ଅପରାଜିତ ଥିଲେ। କମିନ୍‌ସ ୩ଟିଯାକ ୱିକେଟ ନେଇଥିଲେ।
ଟସ୍ ଜିତି ଦିଲ୍ଲୀ କ୍ୟାପିଟାଲ୍‌ସ ଫିଲ୍‌ଡିଂର ନିଷ୍ପତ୍ତି ନେଇଥିଲା। ନୀତୀଶ ରାଣା ୧୫ ରନ୍‌କରି ଆଉଟ ହେବା ପରେ ୨ୟ ୱିକେଟ ପାଇଁ ଶୁବ୍‌ମାନ ଗିଲ୍‌ ଓ ରାହୁଲ ତ୍ରିପାଠୀ ୪୪ ରନ୍ ଯୋଡ଼ିଥିଲେ। ତ୍ରିପାଠୀ ୧୭ ବଲ୍‌ରୁ ୨ଟି ଚୌକା ସହ ୧୯ ରନ୍‌ କରିଥିଲେ। ପରେ ଗୋଟିଏ ଓଭରରେ ଅଧିନାୟକ ଇଓନ୍ ମୋର୍ଗାନ୍ ଓ ସୁନୀଲ ନାରାୟଣଙ୍କୁ ଆଉଟ କରିଥିଲେ ଲଳିତ ଯାଦବ। ମୋର୍ଗାନ୍ ଓ ନାରାୟଣ ଖାତା ଖୋଲି ପାରିନଥିଲେ। ୧୩ ଓଭର ପର୍ଯ୍ୟନ୍ତ କ୍ରିଜ୍‌ରେ ଥିବା ଶୁବ୍‌ମାନ ଗିଲ୍‌ ୩୮ ବଲ୍‌ରୁ ଗୋଟିଏ ଛକା ଓ ୩ଟି ଚୌକା ସହ ୪୩ ରନ୍ କରିଥିଲେ। ଆ​‌େ​‌ନ୍ଦ୍ର ରସେଲ୍‌ଙ୍କ ପ୍ରହାର ଯୋଗୁଁ ଶେଷ ୩ ଓଭରରୁ କେକେଆର୍ ୪୩ ରନ୍ ନେଇ ପାରିଥିଲା। ଦିନେଶ କାର୍ତ୍ତିକ ୧୦ ବଲ୍‌ରୁ ଗୋଟିଏ ଲେଖାଏଁ ଛକା ଓ ଚୌକା ସହ ୧୪ ରନ୍‌ କରିଥିଲେ। ଆ​‌େ​‌ନ୍ଦ୍ର ରସେଲ୍‌ ୨୭ ବଲ୍‌ରୁ ୪ଟି ଛକା ଓ ୨ଟି ଚୌକା ସହ ୪୫ ରନ୍‌କରି ଅପରାଜିତ ଥିଲେ। ଅକ୍ଷର ପଟେଲ ଓ ଲଳିତ ଯାଦବ ୨ଟି ଲେଖାଏଁ ୱିକେଟ ନେଇଥିଲେ।

Comments are closed.