ଅନଲାଇନରେ ଝିଅ ପଢୁଛି ପାଠ; ମୁଣ୍ଡ ଉପରେ ଛତା ଧରିଛନ୍ତି ବାପା

ବଲ୍ଲାକା: କୋଟି ଜନ୍ମ ନେଲେ ମଧ୍ୟ ବାପା ମା’ଙ୍କ ଋଣ ଶୁଝିହେବ ନାହିଁ । ନିଜେ ନଖାଇ ପିଲାଙ୍କ ମୁହଁରେ ଦାନା ଦିଅନ୍ତି, ନିଜେ ରାତି ରାତି ଅନିଦ୍ରା ରହି ପିଲାକୁ ନାନାବାୟା ଗୀତ ଗାଇ ଶୁଅ।।ନ୍ତି । ସବୁ ଦୁଃଖ କଷ୍ଟ ଝଡଝଞ୍ଜାକୁ ସହି ସେମାନେ ପିଲାକୁ ସୁରକ୍ଷା ଦିଅନ୍ତି, ମଣିଷ ଭଳି ମଣିଷ କରନ୍ତି । ସଂପ୍ରତି ଦେଶରେ ମୌସୁମୀ ଋତୁ ଆରମ୍ଭ ହେବା ସହିତ ସବୁ ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଛି । କେଉଁଠି କେଉଁଠି ବନ୍ୟା ତା’ର କରାଳ ରୂପ ଦେଖାଇବା ମଧ୍ୟ ଆରମ୍ଭ କରିସାରିଲାଣି । ସହଜେ ଏବେ ଚାଲି ମହାମାରୀ । ସ୍କୁଲ, କଲେଜ ବନ୍ଦ । ଅନ୍‍ଲାଇନରେ ପିଲାମାନେ ପାଠ ପଢୁଛନ୍ତି । ସେମାନେ ଯେମିତି ଠିକ୍‍ ଭାବରେ ପାଠ ପଢିବେ, ସୁରକ୍ଷିତ ରହିବେ ସେଥିପାଇଁ ସବୁ ବାପା ମା’ ଚିନ୍ତିତ । ଅନ୍‍ଲାଇନରେ ପାଠପଢିବା ସବୁ ଛାତ୍ରଛାତ୍ରୀଙ୍କ ପାଇଁ ସମ୍ଭବ ହେଉନାହିଁ । କାହା ପାଖରେ ସ୍ମାର୍ଟଫୋନ ନାହିଁ ତ କେଉଁଠି ମୋବାଇଲ ନେଟୱର୍କ ଆସୁନାହିଁ । ପିଲାଙ୍କୁ ସେଥିପାଇଁ ବହୁ କଷ୍ଟ ସ୍ୱୀକାର କରିବାକୁ ପଡୁଛି । କିଏ ପାହାଡ ଉପରେ ତ କିଏ ଗଛ ଉପରେ ଚଢି ପାଠ ପଢୁଛି । ତେବେ ବାପା ମା’ ମଧ୍ୟ ଏଥିପାଇଁ କିଛି କମ୍‍ ପରିଶ୍ରମ କରୁନାହାନ୍ତି । କର୍ଣ୍ଣାଟକରେ ଏବେ ଏହିଭଳି ଏକ ଘଟଣା ସମ୍ମୁଖକୁ ଆସିଛି ।
ରାଜ୍ୟର ଗୁଟ୍ଟିଗାର, ବଲ୍ଲାକାତ ଏବ କାମିଲା ଆଦି ସ୍ଥାନରେ ମୋବାଇଲ ନେଟୱର୍କ ଠିକ୍‍ ଭାବରେ ଆସୁନାହିଁ । ତାହାସହିତ ବାରମ୍ବାର ବିଦ୍ୟୁତି କାଟ ଚାଲିଛି । ସେଥିପାଇଁ ପିଲାମାନେ ଅନ୍‍ଲାଇନରେ ପାଠ ପଢିବାରେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । କର୍ଣ୍ଣାଟକର ଦକ୍ଷିଣ କନ୍ନଡ ଜିଲାର ଦୁର୍ଗମ ଗ୍ରାମ ବଲ୍ଲାକାର ବାସିନ୍ଦା ନାରାୟଣା ମଧ୍ୟ ନିଜ ପିଲାଙ୍କ ପାଠପଢାରେ ଏଭଳି ସମସ୍ୟା ଦେଖିବା ପରେ ସ୍ଥିରକଲେ ସେ ପିଲାଙ୍କୁ ଖୋଲାସ୍ଥାନକୁ ନେଇଯିବେ । ଯେଉଁଠାରେ ମୋବାଇଲ ନେଟୱାର୍କ ଆସୁଛି ପିଲା ସେଠାରେ ବସି ଅନ୍‍ଲାଇନ କ୍ଲାସ କରିବେ । ସବୁଦିନ ସେ ସେହିଭଳି କରୁଛନ୍ତି । ନାରାୟଣା ସବୁଦିନ ନିଜ ଝିଅକୁ ବାଇକରେ ବସାଇ ଏକ ସ୍ଥାନକୁ ନେଇଯାଆନ୍ତି । ରାସ୍ତା ଉପରେ ବାଇକ ଉପରେ ବସି ଝିଅ ଅନ୍‍ଲାଇନ କ୍ଲାସ କରେ, କାରଣ ସେଠାରେ ମୋବାଇଲ ନେଟୱର୍କ ଆସୁଛି । ଏବେ ମୌସୁମୀ ବର୍ଷା ମଧ୍ୟ ନାରାୟଣାଙ୍କୁ ସେଥିରୁ ବିଚ୍ୟୁତ କରିପାରିନାହିଁ । ଗତ ସପ୍ତାହରେ ଭୀଷଣ ବର୍ଷା ଲାଗିରହିଥିବାବେଳେ ନାରାୟଣା ନିଜ ବାଇକକୁ ରାସ୍ତାକଡରେ ଷ୍ଟାଣ୍ଡ ମାରିଥିଲେ । ଝିଅ ବାଇକ ଉପରେ ବସି ଅନ୍‍ଲାଇନ କ୍ଲାସ କରୁଥାଏ । ବର୍ଷା ବି ଚାଲିଥାଏ, ଆଉ ନାରାୟଣା ଝିଅ ମୁଣ୍ଡ ଉପରେ ଛତା ଧରି ସେହିଭଳି ଛିିଡା ହୋଇଥାନ୍ତି । ତାଙ୍କ ପଛପଟେ ସାନଝିଅ ମଧ୍ୟ ଅନ୍‍ଲାଇନରେ ପାଠ ପଢୁଥାଏ । ସେହି ବାଟଦେଇ ଯାଉଥିବା ସ୍ଥାନୀୟ ଅଞ୍ଚଳର ଜଣେ ସାମ୍ବାଦିକ ସେମାନଙ୍କ ଫଟୋ ଉଠାଇ ତାହାକୁ ସାମାଜିକ ଗଣମାଧ୍ୟମରେ ଛାଡିବା ପରେ ତାହାକୁ ଲକ୍ଷାଧିକ ଲୋକ ଦେଖି ମତାମତ ବି ଦେଇଛନ୍ତି । ସମସ୍ତଙ୍କ ମତ ହେଉଛି, ବାପା ମା’ଙ୍କ ଋଣ ଜନ୍ମ ଜନ୍ମ ଧରି ପରିଶୋଧ କରିହେବ ନାହିଁ ।

Comments are closed.