ସମ୍ପତ୍ତି ଆଗରେ ଜନ୍ମଦାତ୍ରୀ ତୁଚ୍ଛ – ମା’ ମୃତଦେହକୁ ଛାଡ଼ିଲାନି ଝିଅ

ବ୍ରହ୍ମପୁର: ସମ୍ପତ୍ତି ପାଇଁ କିଏ ଭାଇକୁ ମାରୁଛି ତ ଆଉ କିଏ ନିଜ ପରିବାର ସଦସ୍ୟଙ୍କୁ ପଛରେ ପକାଇ ଦେଉଛି। ହେଲେ ସମ୍ପତ୍ତି ପାଇଁ ଜନ୍ମଦାତ୍ରୀର ମମତାକୁ ତୁଚ୍ଛ କରି ମୃତ୍ୟୁ ପରେ ମଧ୍ୟ ମରଶରୀରକୁ ଘର ଭିତରକୁ ନଛାଡିବା ଭଳି ଘଟଣା ବ୍ରହ୍ମପୁରରେ ଦେଖିବାକୁ ମଳିଛି। ସମ୍ପତ୍ତି ପାଇଁ ମା’ ପ୍ରତି ଝିଅର ଏଭଳି ଆଭିମୁଖ୍ୟ ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିବା ସହ ସଭ୍ୟ ସମାଜରେ ଗଭୀର ରେଖାପାତ କରିଛି। ବ୍ରହ୍ମପୁର ଶ୍ରୀରାମନଗର ଦ୍ୱିତୀୟଲାଇନ ବାସିନ୍ଦା ସ୍ୱର୍ଗତ ତାରାଚରଣ ସାହୁଙ୍କ ପତ୍ନୀ ସୂର୍ୟ୍ୟମଣୀ ସାହୁ(୮୨)ଙ୍କ ଆଜି ଦିନ ୧ଟା ବେଳେ ଏମକେସିଜି ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ମୃତ୍ୟୁ ପରେ ତାଙ୍କ ତିନି ଝିଅ ସନ୍ଧ୍ୟାରାଣୀ, ସଂଯୁକ୍ତା ଓ ଅରୁଣାରାଣୀ ମର ଶରୀରକୁ ନେଇ ଶ୍ରୀରାମନଗର ଘରେ ପହଞ୍ଚିଥିଲେ। ହେଲେ ସେହି ଘରେ ପୂର୍ବରୁ ଥିବା ବଡ଼ଝିଅ ମିନା କୁମାରୀ ସାହୁ ଘରେ ତାଲା ପକାଇ ଦେବା ସହ ନିଜ ମା’ର ଶବ ଭିତରକୁ ଛାଡିନଥିଲେ। ଫଳରେ ଘର ବାହାରେ ହିଁ ସୂର୍ୟ୍ୟମଣିଙ୍କ ଶବ ଘର ବାରଣ୍ଡାରେ ଦୀର୍ଘ ୫ ଘଣ୍ଟା ଧରି ପଡ଼ି ରହିଥିଲା। ଘର ଭିତରକୁ ମା’ର ଶବ ନିଆଗଲେ ୩ ଭଉଣୀ ଘର ମାଡିବସିବେ ବୋଲି ଆଶଙ୍କା କରି ମିନା କୁମାରୀ କହିଥିବା ଅଭିଯୋଗ ହୋଇଥିଲା। ତେବେ ଘର ଭିତରକୁ ନଛାଡିବାରୁ କୌଣସି କ୍ରିୟାକର୍ମ ହୋଇନପାରି ଦିନ ୪ଟାରୁ ରାତି ୯ଟା ପର୍ୟ୍ୟନ୍ତ ମୃତ ସୂର୍ୟ୍ୟମଣିଙ୍କ ଶବ ବନ୍ଦ ଘର ବାରଣ୍ଡାରେ ହିଁ ପଡ଼ିରହିଥିଲା।

ଏଭଳି ଦୃଶ୍ୟ ଦେଖି ସାହିବାସିନ୍ଦା ହତବାକ୍‍ ହୋଇଥିବା ବେଳେ ଧିରେ ଧିରେ ଏହି ଖବର ଚାରିଆଡେ ପ୍ରସାରିତ ହୋଇଥିଲା। ଗଣମାଧ୍ୟମ ପ୍ରତିନିଧିଙ୍କ ସହ ବଡ଼ବଜାର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। ହେଲେ ତାଲା ପକାଇ ବଡ଼ଝିଅ ମିନାକୁମାରୀ କେଉଁଆଡେ ଚାଲି ଯାଇଥିବାରୁ ଅନ୍ୟ ୩ ଝିଅ ଓ ଜ୍ୱାଇଁମାନେ ବାହାରେ ବସିରହିବା ସହ ଅନ୍ୟ ଉପାୟ ନଥିଲା। କିଛି ସମୟପରେ ବ୍ରହ୍ମପୁର ତହସିଲଦାର ସିପକ କୁମାର ପାତ୍ର, ଟ୍ରାଫିକ ଡିଏସପି ସାର୍ଥକ ରାୟ, ଟାଉନଥାନା ଅଧିକାରୀ ସୁରେଶ ତ୍ରିପାଠୀଙ୍କ ଅନ୍ୟ ପୁଲିସ କର୍ମଚାରୀ ସେଠାରେ ପହଞ୍ଚି ବୁଝାସୁଝା କରିବା ପରେ ଘରର ତାଲା ଖୋଲି ସୂର୍ୟ୍ୟମଣିଙ୍କ ଶବକୁ ଭିତରକୁ ନିଆଯାଇଥିଲା। ସୂର୍ୟ୍ୟମଣିଙ୍କ ସ୍ୱାମୀ ସ୍ୱର୍ଗତ ତାରାଚରଣ ସେନା ଓ ପୁଲିସରେ କାର୍ୟ୍ୟ କରିଥିଲେ। ତାଙ୍କର ବ୍ରହ୍ମପୁରରରେ ଦୁଇଟି ବଡ଼ ବଡ଼ କୋଠା ସହ ଉପକଣ୍ଠରେ ୫ ଏକର ଜମି ରହିଛି। ତାରାଚରଣଙ୍କ ୪ ଝିଅ ଓ ଗୋଟିଏ ପୁଅ ଥିଲେ ମଧ୍ୟ ଆଜକୁ ୧୭ ବର୍ଷ ହେବ ପୁଅର ମୃତ୍ୟୁ ହୋଇ ସାରିଛି। ୪ ଝିଅ ବାହା ହୋଇ ନିଜ ପରିବାର ସହ ଅନ୍ୟତ୍ର ରହୁଛନ୍ତି। ବଡ଼ଝିଅ ମିନାକୁମାରୀ ଅନ୍ୟ ଭଉଣୀଙ୍କୁ ଉପେକ୍ଷା କରି ମା-ବାପାର ସମସ୍ତ ସମ୍ପତ୍ତି ହାସଲ କରିବାକୁ ଅନେକ ଦିନରୁ ପ୍ରୟାସ କରୁଛନ୍ତି। ସେହି କାରଣରୁ ମର ଶରୀରକୁ ଘର ଭିତରକୁ ଛାଡୁନଥିଲେ ବୋଲି ସନ୍ଧ୍ୟାରାଣୀ, ସଂଯୁକ୍ତା ଓ ଅରୁଣାରାଣୀ କହିଛନ୍ତି। ସୂର୍ୟ୍ୟମଣି ପାଉଥିବା ସମସ୍ତ ପେନସନ ବଡ଼ଝିଅ ମୀନାକୁମାରୀ ନେଉଥିଲେ ମଧ୍ୟ ମେଡିକାଲରେ ଚିକିତ୍ସା ଖର୍ଚ୍ଚ ବହନ କରିବାକୁ ପଛଘୁଞ୍ଚା ଦେଇଥିଲେ ବୋଲି ଶବ ନିକଟରେ ଉପସ୍ଥିତ ଥିବା ସୂର୍ୟ୍ୟମଣିଙ୍କ ଭଉଣୀ ପ୍ରମୋଦିନୀ ସାହୁ କହିଛନ୍ତି। ଆଶ୍ଚର୍ୟ୍ୟର ବିଷୟ ମା’ ମରିଥିଲେ ମଧ୍ୟ ସମ୍ପତ୍ତି ଲୋଭରେ କୌଣସି ଝିଅ ଆଖିରେ ଲୁହ କିମ୍ବା ଦୁଃଖ ଦେଖିବାକୁ ମିଳିନଥିଲା।

Comments are closed.