ବୃଦ୍ଧି ପାଇଲା +୨ ନାମଲେଖା ପାଇଁ ଆବେଦନ ସମୟ ସୀମା

ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ +୨ ନାମଲେଖା ପାଇଁ ଆବେଦନ ସମୟ ସୀମା ବୃଦ୍ଧି କରିଛନ୍ତି। ପୂର୍ବରୁ ଆବେଦନ ସମୟ ସୀମା ଜୁନ ୨୧ ପର୍ଯ୍ୟନ୍ତ ଥିବା ବେଳେ ନିର୍ଦ୍ଦେଶାଳୟ ଜୁନ ୨୫ ଯାଏଁ ଏହା ବୃଦ୍ଧି କରିଛନ୍ତି। ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପତ୍ର ସଂଖ୍ୟା ୭୭୭୦ରେ ଦେଇଥିବା ସୂଚନା ଅନୁଯାୟୀ ଚଳିତ ମାସ ୬ରୁ ଆରମ୍ଭ ହୋଇଥିବା ଆବେଦନ ସମୟସୀମା ଜୁନ ୨୫ ରାତି ୧୧.୪୫ମିନିଟ ଯାଏଁ ବୃଦ୍ଧି କରାଯାଇଛି। ଜୁଲାଇ ୨ରେ ପ୍ରଥମ ମେଧା ତାଲିକା, ଜୁଲାଇ ୧୨ରେ ଦ୍ଵିତୀୟ ମେଧା ତାଲିକା ଏବଂ ଜୁଲାଇ ୨୦ରେ ସ୍ପଟ ମେଧା ତାଲିକା ପ୍ରକାଶ ପାଇବ। ଜୁଲାଇ ୨୯ରୁ +୨ ପାଇଁ ଶିକ୍ଷାଦାନ ଆରମ୍ଭ ହେବ ବୋଲି ନିର୍ଦ୍ଦେଶାଳୟ ସୂଚନା ଦେଇଛି।

ଚଳିତ ବର୍ଷ ୧୫୭୭ଟି +୨ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (ପୂର୍ବରୁ ଜୁନିଅର କଲେଜ) ମାଧ୍ୟମରେ କଳା, ବିଜ୍ଞାନ ଓ ବାଣିଜ୍ୟ ବିଷୟରେ ୪ ଲକ୍ଷ ୨୪ ହଜାର ୩୪୭ଟି ସିଟ ପାଇଁ ଅନଲାଇନ ପ୍ରକ୍ରିୟାରେ ଆବେଦନ ଗ୍ରହଣ କରାଯାଉଥିବା ବେଳେ ୧୯୧ଟି ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୯ହଜାର ୨୮୮ଟି ସିଟ ଏବଂ ୧୬୪ଟି ସଂସ୍କୃତ ଉପଶାସ୍ତ୍ରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୧୧ହଜାର ୩୨୨ଟି ସିଟ ପାଇଁ ଆବେଦନ ଗ୍ରହଣ କରାଯାଉଛି। ସୂଚନା ଯୋଗ୍ୟ, ଗତ ବର୍ଷ କଳା ବିଜ୍ଞାନ ଓ ବାଣିଜ୍ୟରେ ୮୦ ହଜାର ୯୯୬ଟି ସିଟ, ଧନ୍ଦାମୂଳକ ଶିକ୍ଷାରେ ୪ ହଜାର ୩୨୩ଟି ଏବଂ ଉପଶାସ୍ତ୍ରୀରେ ୧ହଜାର ୫୯୬ଟି ସିଟ ପୂରଣ ହୋଇପାରିନଥିଲା।

Comments are closed.