ମୌଳିକ ସୁବିଧା ସାତସପନ; ଝରଣା ପାଣି, କାଠ ଡଙ୍ଗା ଭରସା

ଦଶମନ୍ତପୁର: ସ୍ୱାଧୀନତାର ଅନେକ ବର୍ଷ ପରେ ବି ଶୋଷ ମେଣ୍ଟାଇବା ପାଇଁ ଝରଣା ପାଣି, ଯାତାୟାତ ଲାଗି କାଠ ଡଙ୍ଗା ଉପରେ ଲୋକେ ଭରସା କରୁଛନ୍ତି। ସରକାରଙ୍କ ସମସ୍ତ ସୁବିଧା ଗାଁକୁ ଅପହଞ୍ଚ ହୋଇଛି। ଏପରି ଚିତ୍ର କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଦୁଆରଶୁଣି ପଞ୍ଚାୟତ ଅଧୀନ ହଳଦୀସିଲ ଗାଁ କ୍ଷେତ୍ରରେ ଦେଖିବାକୁ ମିଳିଛି। ଏହି ଗ୍ରାମରେ ୫୭ ଆଦିବାସୀ ପରିବାର ଓ ୧୮ଟି ହରିଜନ ପରିବାର ବାସ କରୁଛନ୍ତି। ବ୍ଲକ୍‌ ମହକୁମାଠାରୁ ୨୦ କିମି ଦୂରରେ ଅବସ୍ଥିତ। ଗ୍ରାମର ହରିଜନସାହିକୁ ଯିବା ପାଇଁ ରାସ୍ତା ନାହିଁ। ଅନଗାରଗୁଡା ଗ୍ରାମରୁ ହଳଦୀସିଲ ହରିଜନସାହିକୁ ଯିବା ପାଇଁ କେବଳ ଚଲା ରାସ୍ତା ରହିଛି। ଗର୍ଭବତୀ କିମ୍ବା ଗୁରୁତର ରୋଗୀ ଥିଲେ ତାଙ୍କୁ ଭାରରେ ତିନି କିମି ଦୂରରେ ଥିବା ମୁରାନ ନଦୀ ପାର କରି ଆଣିବାକୁ ପଡୁଛି। ରାସ୍ତା ନ ଥିବା ଯୋଗୁଁ ଗ୍ରାମବାସୀ ବାଧ୍ୟ ହୋଇ ୧୫କିମି ଦୂରରେ ବୋରିଗୁମ୍ମା ବ୍ଲକ୍‌ କାଟରଗୁଡା ବଜାର ଉପରେ ନିର୍ଭର କରୁଛନ୍ତି। ଗ୍ରାମଠାରୁ ଦୁଇ କିମି ଜଙ୍ଗଲ ରାସ୍ତାରେ ଚାଲି ଚାଲି ମୁରାନ ରିଜର୍ଭ ଡ୍ୟାମ ନିକଟରେ ପହଞ୍ଚି କାଠ ଡଙ୍ଗାରେ ପାଣିରେ ୮ କିମି ଦୂର ଯାତ୍ରା କରି ଜୀବନକୁ ବାଜି ଲଗାଇ ଜିନିଷ ଆଣୁଛନ୍ତି। ପ୍ରଶାସନ ପକ୍ଷରୁ ଏକ ମଟର ଲଞ୍ଚ ଦିଆଯାଇଥିଲା। ୧୫ବର୍ଷ ହେଲା ଖରାପ ହୋଇ ପଡିରହିଛି। ଗରିବ ହିତାଧିକାରୀ ଟଙ୍କିକିଆ ଚାଉଳ, ବାର୍ଦ୍ଧକ୍ୟ ଭତ୍ତା ଆଣିବା ପାଇଁ ୨୩ କିମି ଦୁଆରଶୁଣି ପଞ୍ଚାୟତକୁ ଯିବାକୁ ପଡୁଛି। ଏହାର ଆଖପାଖ ଗ୍ରାମ ଅନଗାରଗୁଡା, ବେନ୍ଦଲା, ଚନ୍ଦେଇପଦର, ନାରଗାଁ, ବାଲିଘାଟ ବର୍ତ୍ତମାନ ଜଳବନ୍ଦୀ ଭାବେ ରହୁଛି। ବିଚ୍ଛିନ୍ନ ଦୁଆରଶୁଣି ପଞ୍ଚାୟତ ଉପରେ ନିର୍ଭର କରିଥାନ୍ତି। ବିଦ୍ୟାଳୟ ଗୃହ ନାହିଁ, ପିଇବା ପାଣିର ସୁବିଧା ନାହିଁ। ଗୋଟିଏ ମାତ୍ର ନଳକୂପ ଏକବର୍ଷ ହେଲା ଅଚଳ ଅବସ୍ଥାରେ ପଡିରହିଛି। ଝରଣା ପାଣି ବ୍ୟବହାର କରୁଛନ୍ତି। ଦୀର୍ଘ ତିନିବର୍ଷ ହେଲାଣି ଅଙ୍ଗନବାଡି ଘର ଅଧାପନ୍ତରିଆ ହୋଇପଡିଛି। ମୁରାନ ଡ୍ୟାମପାର୍ଶ୍ବରେ ନିର୍ମାଣ କରାଯାଉଥିବା ବିଶ୍ରାମ ଗୃହ ମଧ୍ୟ ଦୀର୍ଘଦିନ ହେଲା ଅଧାପନ୍ତରିଆ ରହିଛି। ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟଜଳ ପରି ବିଭିନ୍ନ ଯୋଜନାରୁ ଗ୍ରାମବାସୀ ବଞ୍ଚିତ ରହିଛନ୍ତି। ମୁରାନ ରିଜର୍ଭ ଡ୍ୟାମପାର୍ଶ୍ବରେ ସୁନ୍ଦର ପିକ୍‌ନିକ ସ୍ପଟ୍‌ ରହିଛି। ପକ୍କା ରାସ୍ତାନିର୍ମାଣ ସହ ପର୍ଯ୍ୟଟନସ୍ଥଳ କରାଗଲେ ଅଞ୍ଚଳର ଉନ୍ନତି ହେବା ସହ ଆର୍ଥିକସ୍ଥିତିରେ ମଧ୍ୟ ସୁଧାର ଆସିବ ବୋଲି ମତ ପ୍ରକାଶ ପାଇଛି।

Comments are closed.