ଡାରେନ ସାମିଙ୍କୁ ମିଳିବ ପାକିସ୍ତାନର ସର୍ବୋଚ୍ଚ ସମ୍ମାନ ନିଶାନ-ଇ-ପାକିସ୍ତାନ ଓ ସମ୍ମାନୀୟ ନାଗରିକତା ସମ୍ମାନ

ଇସଲାମାବାଦ୍ : ୱେଷ୍ଟଇଣ୍ଡିଜ୍ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ବେଷ୍ଟ୍ ଅଲରାଉଣ୍ଡର ଡାରେନ ସାମିଙ୍କୁ ପାକିସ୍ତାନ ପକ୍ଷରୁ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ନିଶାନ-ଇ-ପାକିସ୍ତାନ ଓ ସମ୍ମାନୀୟ ନାଗରିକତା ସମ୍ମାନ ମିଳିବ। ପାକିସ୍ତାନ ରାଷ୍ଟ୍ରପତି ଆରିଫ ଅଲଭି ମାର୍ଚ୍ଚ ୨୩ରେ ସାମିଙ୍କୁ ଏହି ସମ୍ମାନରେ ସମ୍ମାନିତ କରିବେ। ଏନେଇ ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି) ପକ୍ଷରୁ ସୂଚନା ଦିଆଯାଇଛି। ଏହାର ଅର୍ଥ ପାକିସ୍ତାନ ସାମିଙ୍କୁ ନିଜର ନାଗରିକ ଭାବେ ବିବେଚନା କରିବା ସହ ସମସ୍ତ ପ୍ରକାରର ସୁବିଧା ସୁଯୋଗ ଯୋଗାଇ ଦେବ।
ପାକିସ୍ତାନକୁ ଅନ୍ତର୍ଜାତୀୟ କ୍ରିକେଟ ଫେରିବା ଓ ଏହାକୁ ଦେଶର ଲୋକପ୍ରିୟତା କରାଇବାରେ ସାମିଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ତେଣୁ ପାକିସ୍ତାନ ପକ୍ଷରୁ ସାମିଙ୍କୁ ଏହି ସମ୍ମାନ ଦିଆଯିବ ବୋଲି ସୂଚନା ମିଳିଛି। ଯେତେବେଳେ ସୁରକ୍ଷା ଭୟରେ କୌଣସି ଖେଳାଳି ପାକିସ୍ତାନରେ ମ୍ୟାଚ୍ ଖେଳିବା ପାଇଁ ରାଜି ହେଉନଥିଲେ ସେତେବେଳେ ସାମି ହିଁ ପ୍ରଥମ ଥର ପାଇଁ ପ୍ରଥମ ବିଦେଶୀ ଖେଳାଳି ଭାବେ ୨୦୧୭ରେ ପାକିସ୍ତାନରେ କ୍ରିକେଟ ଖେଳିବାକୁ ରାଜି ହୋଇଥିଲେ। ସେ ପ୍ରଥମେ ଏଠାରେ ପାକିସ୍ତାନ ସୁପର ଲିଗ(ପିଏସ୍ଏଲ୍) ଖେଳିଥିଲେ।

Comments are closed.