ଦାରିଙ୍ଗବାଡିରେ ତୁଷାରପାତ: ଫୁଲବାଣୀରେ ସର୍ବନିମ୍ନ ୪ ଡିଗ୍ରୀ ସେଲସିୟସ

ଫୁଲବାଣୀ,: ଅସହ୍ୟ ଜାଡ଼ରେ ଥରି ଉଠିଛି ସମଗ୍ର କନ୍ଧମାଳ। ଆଜି ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୪ ଡ଼ିଗ୍ରୀ ଓ ଦାରିଙ୍ଗବାଡ଼ିରେ ତାପମାତ୍ରା ୬ ଡିଗ୍ରୀ ସେଲସିୟସ ରେକର୍ଡ଼ କରାଯାଇଛି। କେବଳ ଫୁଲବାଣୀ ଓ ଦାରିଙ୍ଗବାଡ଼ି ନୁହେଁ ସମଗ୍ର ଜିଲାରେ ହାଡ଼ଭଙ୍ଗା ଶୀତରେ ଜିଲାବାସୀ ତ୍ରାହି ତ୍ରାହି ଡ଼ାକ ଦେଲେଣି। ଆଗାମୀ ଦିନରେ ଏଭଳି ଅବସ୍ଥା ଜାରି ରହିବ ବୋଲି ମଧ୍ୟ ପାଣିପାଗ ବିଭାଗ ସୂତ୍ରରୁ ସୂଚନା ମିଳିଛି।

ସମଗ୍ର ଜିଲାରେ ଅଚାନକ ଥଣ୍ଡା ବଢ଼ିଯିବାରୁ ଜନଜୀବନ ଅସ୍ତବ୍ୟସ୍ତ ହେବାରେ ଲାଗିଛି। ପ୍ରବଳ ଶୀତ ଯୋଗୁ ଲୋକେ ଆଜି ଦିନ ୧୦ଟା ପର୍ଯ୍ୟନ୍ତ ଘରୁ ବାହାରି ପାରିନଥିଲ । କୁଲି ମଜୁରିଆଙ୍କ ଦୁଃଖ କହିଲେ ନସରେ। ସେମାନେ ଆଜି କୌଣସି ସ୍ଥାନକୁ କାମ କରିବାକୁ ଯାଇପାରିନଥିଲେ। ଗତକାଲିଠାରୁ ଲଗାତାର ତାପମାତ୍ରା ହ୍ରାସ ପାଇବାରେ ଲାଗିଛି। ସୋମବାର ସକାଳୁ ଦାରିଙ୍ଗବାଡ଼ିରେ ଚଳିତ ବର୍ଷର ପ୍ରଥମ ତୁଷାରପାତ ଦେଖିବାକୁ ମିଳିଛି। ଗତକାଲି ଦାରିଙ୍ଗବାଡ଼ିର ତାପମାତ୍ରା ୯ଡିଗ୍ରୀ ଥିବା ବେଳେ ସୋମବାର ତାପମାତ୍ରା ୬ ଡିଗ୍ରୀକୁ ଖସି ଆସିଥିଲ। ।

ଦୁଇଦିନ ପାଗ ମେଘୁଆ ରହିବାରୁ ତାପମାତ୍ରା ସାମାନ୍ୟ ବୃଦ୍ଧି ପାଇଥିବା ବେଳେ ଆକାଶ ମେଘମୁକ୍ତ ହୋଇଥିଲା। ଯାହାଫଳରେ ରବିବାର ସନ୍ଧ୍ୟାରୁ ହାଡ଼ଭଙ୍ଗା ଥଣ୍ଡା ଅନୁଭୂତ ହୋଇଛି। ଦାରିଙ୍ଗବାଡ଼ି ବ୍ଲକର ସିମନବାଡ଼ି ,ସାରିଙ୍ଗିଇର୍ପି, ତିଲୋରୀ, ଶ୍ରାନିକେତା, କିଲାବାଡ଼ିଆଦି ସ୍ଥାନରେ ଥିବା ବିଭିନ୍ନ ପାଳଗଦାରେ ତୁଷାରପାତ ଦେଖିବାକୁ ମିଳିଛି। ତିଲୋରୀ ଗ୍ରାମରେ ଏକ କାର ତୁଷାର ଆସ୍ତରଣରେ ଆଚ୍ଛାଦିତ ହୋଇଥିବା ଦେଖିବାକୁ ମିଳିଥିଲା।
ସୋମବାର ଦାରିଙ୍ଗବାଡ଼ିର ତାପମାତ୍ରା ଚଳିତ ବର୍ଷର ସର୍ବନିମ୍ନ ୬ ଡିଗ୍ରୀ ରହିଥିବା ବେଳେ ଆଭ୍ୟନ୍ତରୀଣ ଇଲାକାରେ ଏହା ୨ରୁ୩ ଡିଗ୍ରୀ ମଧ୍ୟରେ ରହୁଥିବା ସ୍ଥାନୀୟ ଅଞ୍ଚଳବାସୀ ପ୍ରକାଶ କରିଛନ୍ତି। ଏଭଳି ଶୀତ ଆଉ କିଛିଦିନ ଲାଗି ରହିବାନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରାଯାଉଛି। ପ୍ରବଳ ଜାଡ଼ ଯୋଗୁ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ବୃଦ୍ଧାବୃଦ୍ଧାଙ୍କ ଅବସ୍ଥା ଅସମ୍ବାଳ ହୋଇପଡିଛି। ପଶୁପକ୍ଷୀ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଶୀତ ବୃଦ୍ଧି ହେତୁ ଆଭ୍ୟନ୍ତରୀଣ ଇଲାକାରେ ବସବାସ କରୁଥିବା ବୃଦ୍ଧବୃଦ୍ଧା ଓ ଦାରିଦ୍ର୍ୟ ସୀମାରେଖାରେ ରହିଥିବା ପରିବାର ଲୋକେ ଗରମ ପୋଷାକ କିଣି ପାରୁନଥିବାରୁ ନିଆଁ ହିଁ ସେମାନଙ୍କ ଏକମାତ୍ର ସାହାଭରସା ପାଲଟିଛି। ।

ଦାରିଙ୍ଗବାଡ଼ିରେ ପ୍ରବଳ ଜାଡ଼ ସହିତ ଆଜି ଚଳିତବର୍ଷର ପ୍ରଥମ ତୁଷାରପାତ ହୋଇଥିବାରୁ ଶୀତର ମଜା ଉଠାଇବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାରହଜାର ପର୍ଯ୍ୟଟକଙ୍କ ଏଠାକୁ ସୁଅ ଛୁଟିଛି। ଦାରିଙ୍ଗବାଡ଼ିର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ଭିଡ଼ ଜମାଇଛନ୍ତି। ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିବା ଦାରିଙ୍ଗବାଡ଼ି ଇକୋ ରିଟ୍ରିଟ୍‍ ପ୍ରତି ମଧ୍ୟ ଦିନକୁ ପର୍ଯ୍ୟଟକ ଆକର୍ଷିତ ହେବାରେ ଲାଗିଛନ୍ତି।

 

Comments are closed.