୪୮ ହଜାର ଟଙ୍କା ଫେରାଇଲେ ଡ୍ୟାନ୍‌ସିଂ ହୋମଗାର୍ଡ ପ୍ରତାପ

ଭୁବନେଶ୍ବର: ରାଜଧାନୀରେ ଟ୍ରାଫିକ୍‌ ପୋଷ୍ଟରେ ନିଜର ଅଙ୍ଗଭଙ୍ଗୀ ଯୋଗୁଁ ସାଧାରଣ ଲୋକଙ୍କ ପ୍ରିୟ ହୋମଗାର୍ଡ ପ୍ରତାପ ଖଣ୍ଡୁଆଳ ମଙ୍ଗଳବାର ମହାନତାର ଏକ ପରିଚୟ ଦେଇଛନ୍ତି। ମୋ ବସ୍‌ରେ ଟଙ୍କା ବ୍ୟାଗ୍‌ ଛାଡ଼ି ଦେଇଥିବା ଜଣେ ବ୍ୟକ୍ତିଙ୍କୁ ପ୍ରତାପ ଯୋଗାଯୋଗ କରି ଫେରାଇଛନ୍ତି।

ସୂଚନା ମୁତାବକ ପ୍ରତାପ ମଙ୍ଗଳବାର ପୂର୍ବାହ୍ନରେ ରସୁଲଗଡ଼ ଛକ ଟ୍ରାଫିକ୍‍ ପୋଷ୍ଟରେ ଡ୍ୟୁଟି କରୁଥିଲେ। କଟକ ପଟୁ ଆସୁଥିବା ‘ମୋ ବସ୍‍’ ଅଚାନକ୍ ସେଠାରେ ଅଟକିଲା। ବସ୍‍ରୁ କଣ୍ଡକ୍ଟର ଓହ୍ଲାଇ ପ୍ରତାପଙ୍କୁ ଏକ ବ୍ୟାଗ୍‍ ଧରାଇଦେଇଥିଲେ। ଜଣେ ବ୍ୟକ୍ତି ରସୁଲଗଡ଼ ଛକରେ ଓହ୍ଲାଇବା ବେଳେ ଏହି ବ୍ୟାଗ୍‌କୁ ଛାଡ଼ି ଦେଇଥିଲେ ବୋଲି କଣ୍ଡକ୍ଟର ଏତକ କହି ସେଠାରୁ ବସ୍‌ରେ ପୁଣି ଚାଲି ଯାଇଥିଲେ। ଏନେଇ ଥାନାକୁ ଜଣାଇବା ଲାଗି ସେ କହିଥିଲେ। ପ୍ରତାପ ବ୍ୟାଗ୍‍ ଖୋଲିଲା ବେଳକୁ ସେଥିରେ ୪୮ ହଜାର ଟଙ୍କା ଥିବା ଦେଖିଥିଲେ। ବ୍ୟାଗ୍‌ ଭିତରେ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଥିଲା। କୋଣାର୍କ ଅଞ୍ଚଳର ଯତୀନ୍ଦ୍ରନାଥ ସେନାପତିଙ୍କ ଏହି ବ୍ୟାଗ୍‍ ବୋଲି ଏକ ପରିଚୟପତ୍ର ସେଥିରୁ ମଳିଥିଲା। ପ୍ରତାପ ସଙ୍ଗେ ସଙ୍ଗେ ଉକ୍ତ ବ୍ୟାଗରେ ଥିବା ମୋବାଇଲ୍‍ ନମ୍ବର ଜରିଆରେ ଯତୀନ୍ଦ୍ରଙ୍କୁ ଫୋନ୍‍ କରି ଡକାଇଥିଲେ। ସେତେବେଳକୁ ଯତୀନ୍ଦ୍ର କୋଣାର୍କ ବସ୍‍ରେ ଯାଇ ନିମାପଡ଼ାରେ ପହଞ୍ଚି ସାରିଥିଲେ। ପରେ ପ୍ରତାପ ଟ୍ରାଫିକ୍‍ ଥାନା-୧ରେ ଉକ୍ତ ବ୍ୟାଗ୍‍କୁ ଦେଇଥିଲେ। ଯେଉଁଠାରୁ ଯତୀନ୍ଦ୍ର ସନ୍ଧ୍ୟାବେଳେ ନିଜ ବ୍ୟାଗ୍‍ ସହ ୪୮ହଜାର ଟଙ୍କା ଫେରି ପାଇଥିଲେ। ପ୍ରତାପଙ୍କ ଏଭଳି ମହାନତା ନେଇ ଟ୍ରାଫିକ୍‍ ଏସିପି ସ୍ୱସ୍ତିକ ପଣ୍ଡା ସାଧୁବାଦ ଜଣାଇଛନ୍ତି। କମିସନରେଟ୍‍ ପୁଲିସ ପକ୍ଷରୁ ତାଙ୍କୁ ପୁରସ୍କୃତ କରାଯିବ ବୋଲି ସୂଚନା ମିଳିଛି।

Comments are closed.