ସାପ କାମୁଡାରେ ମାଁର ମୃତ୍ୟୁ ଖବର ପାଇ ୩ ଅନାଥ ଶିଶୁଙ୍କୁ ଦଳିତ ଅଧିକାର ମଞ୍ଚର ସହାୟତା

ଖଡିଆଳ : ନୂଆପଡା ଜିଲା ବୋଡେନ ଥାନା ଭଇଁସାଦାନୀ ଗ୍ରାମର ପଖାନପଡାର ୩ ଅନାଥ ଶିଶୁଙ୍କୁ ନୂଆପଡା ଜିଲା ଦଳିତ ଅଧିକାର ମଞ୍ଚ ପକ୍ଷରୁ ସହାୟତା ପ୍ରଦାନ କରଯାଇଛି। ଜିଲା ଦଳିତ ଅଧିକାର ମଞ୍ଚର ଏକ ଟିମ୍ ସଭାପତି କମଳ ଚରଣ ତାଣ୍ଡିଙ୍କ ନେତୃତ୍ୱରେ ପଖାନପଡା ଗ୍ରାମକୁ ଯାଇ ଆର୍ଥୀକ ସହାୟତା ସହ ରାସନ ସାମଗ୍ରୀ ଏବଂ ନୂଆବସ୍ତ୍ର ପ୍ରଦାନ କରିଛନ୍ତି। ଏହାସହ ଏହି ଅନାଥ ଶିଶୁମାନଙ୍କ ପରିବାର ଭୂମିହୀନ ହୋଇଥିବାବେଳେ ସେମାନଙ୍କୁ ୪ ଡେସିମିଲ ଜମି ଯୋଗାଣ, ଇନ୍ଦିରା ଆବାସ ଗୃହ ଯୋଗାଣ, ସାପ କାମୁଡାର ଅନୁକମ୍ପା ରାଶି ପ୍ରଦାନ, ଶିଶୁମାନଙ୍କୁ ଥଇଥାନ ସହ ଶିକ୍ଷାର ବ୍ୟବସ୍ଥା କରିବାକୁ ମଞ୍ଚ ଜିଲା ପ୍ରଶାସନ ଆଗରେ ଦାବୀ କରିଛି। ଏହି ସହାୟତା ପ୍ରଦାନ ବେଳେ ମଞ୍ଚର ଅନ୍ୟ କର୍ମକର୍ତ୍ତା ବୋଡେନ ବ୍ଲକ ସଭାପତି ବେଣୁଧର ଦୀପ, ତେଜରାଜ ବାଗ, ରାଜେଶ ବେହେରା, ବିଶ୍ୱ ବେହେରା ପ୍ରମୁଖ ସାମିଲ ଥିଲେ।

ଏଠାରେ ସୂଚନା ଯୋଗ୍ୟ ଯେ, ଗତକାଳି ଏକ ବିଶାକ୍ତ ସାପ କାମୁଡାରେ ମାଁ ମଦନା ମାଝୀ(୨୫)ଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ଗତ ୬ ମାସ ତଳେ ବାପା କୃଷ୍ଣ ମାଝୀଙ୍କର କିଡନୀ ରୋଗରେ ମୃତ୍ୟୁ ହୋଇଯାଇଥିଲା। ଫଳରେ ବର୍ତ୍ତମାନ ତାଙ୍କର ୨ ଶିଶୁପୁତ୍ର ଉମାକାନ୍ତ(୭), ଶିବପ୍ରସାଦ(୫) ଏବଂ ୫ ମାସର ଶିଶୁକନ୍ୟା ମାଳତୀ ଅସହାୟ ହୋଇ ପଡିଛନ୍ତି। ଏବେ ଏମାନଙ୍କୁ ତାଙ୍କର କାକା ଯତ୍ନ କରୁଥିବା ବେଳେ ଜିଲା ପ୍ରଶାସନ ସେମାନଙ୍କୁ ଥଇଥାନ ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ହେଉଛି।

Comments are closed.