ପ୍ରାଣଘାତୀ ଯକ୍ଷ୍ମା: ଦେଶରେ ଦିନକୁ ଯାଉଛି ହାରାହାରି ୧୪୦୦ ଜୀବନ

କରୋନା ଏବେ ସାରା ବିଶ୍ବ ପାଇଁ ଶିରପୀଡ଼ା । ବିଶ୍ବବ୍ୟାପୀ କରୋନା ବିରୋଧରେ ଚାଲିଛି ସଂଗ୍ରାମ ଓ ଏହାର ପ୍ରତିଷେଧକ ଉଦ୍ଭାବନ ନିମନ୍ତେ ସବୁ ଦେଶ ଆରମ୍ଭ କରିଛନ୍ତି ପ୍ରୟାସ । ଭାରତ ବି ଏଥିରୁ ବାଦ ପଡ଼ିନାହିଁ ।  କରୋନା ସଂକ୍ରମଣ ସଂଖ୍ୟା ୫ ଲକ୍ଷ ଟପିଲାଣି ଓ ମୃତ୍ୟୁ ସଂଖ୍ୟା ୧୬ ହଜାରରୁ ଅଧିକ । ଏହା ମଧ୍ୟରେ ଆଉ ଏକ ବଡ଼ ଖବର ଆଲୋକକୁ ଆସିଛି ।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପ୍ରକାଶ କରିଥିବା ସ୍ବାସ୍ଥ୍ୟ ରିପୋର୍ଟ ଅନୁସାରେ ଦେଶରେ ୨୦୧୯ ମସିହାରେ ୭୯୧୪୪ ଜଣ ଯକ୍ଷ୍ମା ରୋଗରେ ମୃତ୍ୟୁବରଣ କରିଛନ୍ତି । ଅର୍ଥାତ୍ ଯକ୍ଷ୍ମାରେ ଆମ ଦେଶରେ ଦୈନିକ ହାରାହାରି ମୃତ୍ୟୁ ସଂଖ୍ୟା ୧୪୦୦ରୁ ଅଧିକ ।  ସବୁଠାରୁ ଗୁରତ୍ବପୂର୍ଣ୍ଣ କଥା ହେଉଛି ସାରା ବିଶ୍ବରେ ଯେତେ ଲୋକ ଯକ୍ଷ୍ମାରେ ସଂକ୍ରମିତ ହେଉଛନ୍ତି ସେଥିମଧ୍ୟରୁ ଅର୍ଦ୍ଧେକ ଏସିଆ ମହାଦେଶରେ ଓ ଏହାର ଅର୍ଦ୍ଧାଧିକ ଭାରତର ଅଧିବାସୀ । ଏହି ପରିପ୍ରେକ୍ଷୀରେ ଆସନ୍ତା ୨୦୨୫ ସୁଦ୍ଧା ଦେଶକୁ ଯକ୍ଷ୍ମା ମୁକ୍ତ କରିବା ନିମନ୍ତେ ସରକାର ଗ୍ରହଣ କରିଛନ୍ତି ।

ବିଶ୍ବରେ ମୋଟ ଯକ୍ଷ୍ମା ସଂକ୍ରମିତଙ୍କ ମଧ୍ୟରୁ ସର୍ବାଧିକ ଭାରତରେ ୨୭% ଦେଖାଯାଇଛି । ସେହିପରି ଚୀନରେ ୧୪%, ଇଣ୍ଡୋନେସିଆରେ ୮%, ପାକିସ୍ତାନରେ ୬% ଓ ବାଂଲାଦେଶରେ ୪% ବୋଲି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ରିପୋର୍ଟରେ ପ୍ରକାଶ ପାଇଛି ।

ଭାରତରେ ୨୦୧୮ ମସିହାରେ ରୋଗୀ ସଂଖ୍ୟା ୬% ବଢ଼ିଥିବାବେଳେ ୨୦୧୯ରେ ଏହି ସଂଖ୍ୟା ୮% ବୃଦ୍ଧି ପାଇଛି । ଏହି ରିପୋର୍ଟ ଅନୁସାରେ ୨୦୧୯ରେ ଦେଶରେ ୨.୬୯ ନିୟୁତ ଯକ୍ଷ୍ମାରୋଗୀ ଥିବା ଆକଳନ କରାଯାଇଛି, ମାତ୍ର ସେମାନଙ୍କ ମଧ୍ୟରୁ ୨.୪ ନିୟୁତ ଚିକିତ୍ସାଧୀନ ଅଛନ୍ତି । ଅବଶିଷ୍ଟ ୦.୨୯ ନିୟୁତ ଲୋକମାନଙ୍କ ସମ୍ପର୍କରେ ତଥ୍ୟ ସରକାରଙ୍କ ନିକଟରେ ନାହିଁ ।

ଓଡିଶାରେ ବି ଯକ୍ଷ୍ମା ରୋଗୀଙ୍କ ସଂଖ୍ୟା କିଛି କମ୍ ନୁହେଁ । ରିପୋର୍ଟ ଅନୁସାରେ ପ୍ରତି ୧ ଲକ୍ଷ ଜନସଂଖ୍ୟାରେ ରାଜ୍ୟରେ ଯକ୍ଷ୍ମା ରେଗାୀଙ୍କ ସଂଖ୍ୟା ୪୫୮ । ୨୦୧୮ରେ ୫୦୩୦୩ ଜଣ ଯକ୍ଷ୍ମାରେ ଆକ୍ରାନ୍ତ ଥିବାବେଳେ ୨୦୧୯ରେ ଏହି ସଂଖ୍ୟା ବଢି ୫୩ ,୬୧୨ରେ ପହଁଚିଛି । ୨୦୧୮ରେ ୩୪,୧୫୭ ପୁରୁଷ , ୧୬,୦୯୨ ଜଣ ମହିଳା, ୨୩୫୧ ଶିଶୁ ଓ ୫୪ କିନ୍ନର ଯକ୍ଷ୍ମା ରୋଗରେ ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିଲେ । ମାତ୍ର ୨୦୧୯ରେ ଏହା ବୃଦ୍ଧି ପାଇଛି । ୨୦୧୯ରେ  ୩୫୭୫୭ ପୁରୁଷ,  ୧୭୭୯୨ମହିଳା, ୨୪୫୦ଶିଶୁ ଓ ୬୩ ଜଣ କିନ୍ନର ଯକ୍ଷ୍ମା ପୀଡ଼ିତ ହୋଇଛନ୍ତି । 

Comments are closed.