ଆଟ ଓ ମାଲ କିସମ ଜମିରେ ଉତ୍ପାଦିତ ଧାନକୁ ମଣ୍ଡିରେ ବିକ୍ରି ପାଇଁ ବିଧାୟକଙ୍କୁ ଚାଷୀଙ୍କ ଦାବି ପତ୍ର 

ମୁଖୀଗୁଡା: କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକର ଚାଷୀମାନେ ରବି ଧାନ ବିକ୍ରି ନେଇ ଆଶଙ୍କାରେ ରହିଛନ୍ତି। କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକର ଇନ୍ଦ୍ରାବତୀ ଜଳସେଚିତ ଅଂଚଳରେ ଚଳିତ ରବି ୠତୁରେ ଆଟ ଓ ମାଲ କିସମ ଜମିରେ ଧାନଚାଷ କରାଯାଇଛି। ଏହି କିସମ ଜମିରୁ ଉତ୍ପାଦିତ ଧାନ ବିକ୍ରି କରିବାକୁ ଚାଷୀମାନେ ପ୍ୟାକ୍ସରେ ପଞ୍ଜିକରଣ କରିଛନ୍ତି କିନ୍ତୁ ଶୁଣିବାକୁ ମିଳୁଛି ଯେ ଆଟ ଓ ମାଲ କିସମ ଜମିରୁ ଉତ୍ପାଦିତ ଧାନ ବିକ୍ରି କରିବାରେ ବାଧକ ସୃଷ୍ଟି କରାଯାଇପାରେ। ଫଳରେ ଆଟ ଓ ମାଲ କିସମ ଜମିରେ ଉତ୍ପାଦିତ ଧାନ ମଣ୍ଡିରେ ବିକ୍ରି କରିବା ନେଇ ସନ୍ଦେହ ପ୍ରକାଶ ପାଇଛି। ଚାଷୀମାନେ ଦୀର୍ଘ ବର୍ଷ ହେଲା ନିଜ ଚାଷ ଜମିକୁ ମରାମତି କରି ଇନ୍ଦ୍ରାବତୀ କେନାଲ ମାଧ୍ୟମରେ ଜଳ ସେଚନ କରି ଧାନଚାଷ କରି ସରକାରଙ୍କ ଧାର୍ଯ୍ୟ ମୁତାବକ ଜଳକର ଦେଇ ଆସୁଛନ୍ତି। କିନ୍ତୁ ବନ୍ଦୋବସ୍ତ ହୋଇ ନ ଥିବା ଯୋଗୁଁ ଆଟ ଓ ମାଲ କିସମର ପରିବର୍ତ୍ତନ ହୋଇପାରି ନାହିଁ। ଏପରି ସ୍ଥଳେ ପ୍ରକୃତ ଚାଷୀକୁ ଧାନ ବିକ୍ରୟ ପାଇଁ ଦିଆ ନ ଗଲେ ଚାଷୀଙ୍କ ପ୍ରତି ଘୋର ଅନ୍ୟାୟ ହେବ।

ରାଜ୍ୟ ସ୍ତରରେ ଟୋକନ ବାହାରିବା ପୂର୍ବରୁ ପ୍ରକୃତ ଚାଷୀ ଚିହ୍ନଟ ସହ ଯେଉଁ ଚାଷୀମାନେ ଆଟ ଓ ମାଲ କିସମର ଜମିରେ ଜଳ ସେଚନ କରି ରବି ଧାନ ଚାଷ କରିଛନ୍ତି ସେଥିରେ ଉତ୍ପାଦିତ ଧାନକୁ ମଣ୍ଡିରେ ବିକ୍ରି କରିବା ବ୍ୟବସ୍ଥା କରିବାପାଇଁ ଜୟପାଟଣା ବ୍ଲକର ଚାଷୀମାନେ ଆଜି ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ବିଧାୟକ କମିଶନରଙ୍କ ସହ ଆଲୋଚନା କରି ଚାଷୀଙ୍କ ସମସ୍ୟା ସମାଧାନ କରିବା ପାଇଁ ଚାଷୀଙ୍କୁ ପ୍ରତିଶୃତି ଦେଇଥିଲେ। ଚାଷୀଙ୍କ ସମସ୍ୟାର ସମାଧାନ ନହେଲେ ସେମାନେ ଆନ୍ଦୋଳନ କରିବେ ବୋଲି ସଜବାଜ ହେଉଛନ୍ତି।

Comments are closed.