ଧଳସାମନ୍ତ ଭ୍ରାତାଙ୍କ ଘରେ ଚଢ଼ଉ, ୭ ବନ୍ଧୁକ ଓ ଶତାଧିକ ଗୁଳି ଜବତ

କଟକ: ଗ୍ୟାଙ୍ଗଷ୍ଟର ସୁଶାନ୍ତ ଓ ସୁଶୀଲ ଧଳସାମନ୍ତଙ୍କ ମର୍କତନଗର ସେକ୍ଟର-୬ ନମ୍ବର ଘରେ ଗୁରୁବାର କମିସନରେଟ ପୁଲିସ ପକ୍ଷରୁ ଚଢଉ କରାଯାଇଛି। ଚଢଉ ବେଳେ ତାଙ୍କ ଘରୁ ୫୦୦ରୁ ଊର୍ଦ୍ଧ୍ବ ଗୁଳି ଓ ୭ଟି ଅତ୍ୟାଧୁନିକ ବନ୍ଧୁକ ଜବତ କରାଯାଇଛି। ଘରର କେତେକ କାନ୍ଥ ଓ ଗାଧୁଆ ଘରର କେତେକ ସ୍ଥାନରେ ମାରଣାସ୍ତ୍ର ରହିଥିବା ନେଇ ପୁଲିସକୁ ସୂଚନା ମିଳିଛି। ତାହାକୁ ମଧ୍ୟ ଠାବ କରିବା ପାଇଁ ପୁଲିସ ଉଦ୍ୟମ ଚଳାଇଛି। ଏହି ଚଢ଼ଉ ବିଳମ୍ବିତ ରାତି ପର୍ଯ୍ୟନ୍ତ ଜାରି ରହିଥିବାରୁ ମାରଣାସ୍ତ୍ର ଓ ଗୁଳି ସଂଖ୍ୟା ଢ଼େର ଅଧିକ ହେବ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ଧଳସାମନ୍ତ ଭ୍ରାତା ଗିରଫ ହେବା ପରେ ଉକ୍ତ ଘରେ ତାଙ୍କର ବାପା ତଥା ଅବସରପ୍ରାପ୍ତ ପୁଲିସ କର୍ମଚାରୀ ରହୁଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ମୁତାବକ, ଚୌଦ୍ୱାର ଅଞ୍ଚଳରେ ବନ୍ଧୁକ କାରବାର ନେଇ ପୁଲିସକୁ ବହୁ ପୂର୍ବରୁ ସୁରାକ୍‍ ମିଳିଥିଲା। ଏହି ଘଟଣା ଉପରେ ପୁଲିସ ନଜର ରଖିଥିଲା। ଆଜି ମଧ୍ୟ ଏହି ଅଞ୍ଚଳ​‌​‌ରେ ବନ୍ଧୁକ କାରବାର ନେଇ ଦୁଇ ଅପରାଧୀ ଗୋଷ୍ଠୀଙ୍କ ନିକଟରେ ମୂଳଚାଲ ଚାଲିଥିବା ବେଳେ ଇନ୍ସପେକ୍ଟର ବିରଞ୍ଚି ନାରାୟଣ ପତି ସୂଚନା ପାଇବା ପରେ ଅନ୍ୟ କର୍ମଚାରୀଙ୍କ ସହିତ ସଦଳବଳେ ଘଟଣାସ୍ଥଳରେ ଚଢ଼ଉ କରିଥିଲେ। ସେହି ସମୟରେ ଜଣେ ଯୁବକ ବନ୍ଧୁକ କାରବାର କରୁଥିବା ସମୟରେ ପୁଲିସ ତାକୁ ଧରିବାରେ ସମର୍ଥ ହୋଇଥିଲା। ଅଭିଯୁକ୍ତକୁ ଥାନାକୁ ନେଇ ଏହି ବନ୍ଧୁକ କେଉଁଠାରୁ ଆଣିଛି ବୋଲି ଜେରା କରାଯିବା ପରେ ଜେଲ୍‍ରେ ଥିବା ଧଳସାମନ୍ତ ଭ୍ରାତାଙ୍କ ଲିଙ୍କ୍‍ ପଦାକୁ ଆସିଥିଲା। ସଂପୃକ୍ତ ଯୁବକଜଣକ କଟକ ସହରରେ ରହୁଥିବା ଧଳସାମନ୍ତ ଭ୍ରାତାଙ୍କ ଜଣେ ପ୍ରମୁଖ ସହଯୋଗୀଙ୍କଠାରୁ ଏହି ବନ୍ଧୁକ ଆଣିଥିବା ପୁଲିସ ନିକଟରେ ପ୍ରକାଶ କରିଥିଲା। ଏହି ସୂଚନାକୁ ଭିତ୍ତିକିରି ପୁଲିସର ଏକ ଦଳ ମର୍କତନଗରରେ ଚଢ଼ଉ କରି ଧଳସାମନ୍ତ ଭ୍ରାତାଙ୍କ ଉକ୍ତ ପ୍ରମୁଖ ସହଯୋଗୀକୁ ଧରିବାରେ ସଫଳ ହୋଇଥିଲା। ଘନ ଘନ ଜେରା କରିବା ପରେ ବହୁ ଚାଞ୍ଚଲ୍ୟକର ତଥ୍ୟ ପୁଲିସ ହାତରେ ଲାଗିଥିଲା। ସହଯୋଗୀଜଣକ ଦୀର୍ଘବର୍ଷ ହେବ ଧଳସାମନ୍ତ ଭ୍ରାତାଙ୍କ ଘରେ ରହି କାର୍ଯ୍ୟ କରୁଛି। ବହୁ ସମୟରେ ଉକ୍ତ ଘରେ ବନ୍ଧୁକ କାରବାର ନେଇ ମୂଳଚାଲ ହୋଇଥାଏ। ଏବେ ବି ବହୁ ସଂଖ୍ୟକ ବନ୍ଧୁକ ଓ ଗୁଳି ଘରେ ମହଜୁଦ ଥିବା ସେ ପୁଲିସ ଆଗରେ ଓଗାଳି ଥିଲା। ଏହି ସୂଚନା ପାଇବା ପରେ ଡିସିପିଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ପୁଲିସ ସନ୍ଧ୍ୟାରେ ଧଳସାମନ୍ତ ଭ୍ରାତାଙ୍କ ମର୍କତନଗରସ୍ଥିତ ବାସଭବନରେ ଅଚାନକ ଚଢ଼ଉ କରିଥିଲା। ଚଢ଼ଉର ପ୍ରାଥମିକ ପର୍ଯ୍ୟାୟରେ ପୁଲିସ ସେଠାରୁ ୭ଟି ବିଦେଶୀ ବନ୍ଧୁକ ଓ ୫୦୦ରୁ ଊର୍ଦ୍ଧ୍ବ ଗୁଳି ମିଳିଥିଲା। ବାସଭବନରେ ଆହୁରି ଅଧିକ ସଂଖ୍ୟକ ମାରଣାସ୍ତ୍ର ରହିଥିବା ସନ୍ଦେହକରି ପୁଲିସ ଚଢ଼ଉ ଅବ୍ୟାହତ ରଖିଛି। ପୁଲିସ ଘରର କେତେକ କାନ୍ଥ ଓ ଗାଧୁଆ ଘର ଚଟାଣ ତାଡ଼ି ବନ୍ଧୁକ ଓ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଖୋଜୁଛି। ସୁଶାନ୍ତ ଓ ସୁଶୀଲ ଧଳସାମନ୍ତ ୨୦୧୬ରୁ ଜେଲରେ ରହିଥିବାବେଳେ ସହରରେ ସେମାନଙ୍କର ଆଧିପତ୍ୟ ଜାହିର କରିବା ପାଇଁ ଉଦ୍ୟମ ଚଳାଇଛନ୍ତି। କିଛିଦିନ ମଧ୍ୟରେ ପୁଲିସ ଦାଦାବଟି ଆଦାୟ ଘଟଣାରେ ଧଳସାମନ୍ତ ଭ୍ରାତାଙ୍କ ୭ରୁ ଊର୍ଦ୍ଧ୍ବ ପ୍ରମୁଖ ସହଯୋଗୀଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ଅତ୍ୟାଧୁନିକ ବନ୍ଧୁକ ଓ ଗୁଳିକୁ ପୁଲିସ ଜବତ କରିଛି। ବନ୍ଧୁକ କାରବାର ରାକେଟ୍‍ରେ ଧଳସାମନ୍ତ ଭ୍ରାତାଙ୍କ ପ୍ରମୁଖ ହାତ ରହିଥିବା ନେଇ ଆଜି ଚଢ଼ଉରୁ ସ୍ପଷ୍ଟ ହୋଇଛି। ପଶ୍ଚିମବଙ୍ଗ, ଝାଡଖଣ୍ଡ ଓ ବିହାରର ଆନ୍ତଃରାଜ୍ୟ ବନ୍ଧୁକ ଯୋଗାଣକାରୀ ମାଫିଆମାନେ ବିଭିନ୍ନ ସମୟରେ ଧଳସାମନ୍ତ ଭ୍ରାତାଙ୍କୁ ବନ୍ଧୁକ ଯୋଗାଇ ଆସୁଛନ୍ତି। ଏବେ ମଧ୍ୟ ବହୁ ସହଯୋଗୀ ଏହି କାରବାରରେ ସଂପୃକ୍ତ ରହିଥିବା ପୁଲିସ ଜାଣିବାକୁ ପାଇଛି। ଇତିମଧ୍ୟରେ ପୁଲିସ ୫ ସହଯୋଗୀଙ୍କୁ ସ୍କାନରରେ ରଖିଥିବା ବେଳେ ସେମାନଙ୍କୁ ଖୁବ୍‍ଶୀଘ୍ର ଧରିବା ନେଇ ପ୍ରସ୍ତୁତ ଚଳାଇଛି।

Comments are closed.