ବାତ୍ୟା “ଜୱାଦ’କୁ ନେଇ ଲୋକେ ଛାନିଆ ; ପ୍ରଶାସନ ପକ୍ଷରୁ ସତର୍କତା

ବାତ୍ୟା ସମୟରେ ବନ୍ଦ ରହିବ ବିଦ୍ୟୁତ ସରବରାହ

ପିପିଲି : କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ “ଜୱାଦ’ ଓଡିଶା ମୁହାଁ ହେବା ସହ ଆସନ୍ତା କାଲି ପୁରୀ ନିକଟରେ ସ୍ଥଳଭାଗ ଛୁଇଁବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯିବା ପରେ ଏବେ ପ୍ରଶାସନ ପକ୍ଷରୁ ବ୍ୟାପକ ସତର୍କତା ଅବଲମ୍ବନ କରାଯାଇଛି । ବାତ୍ୟା ସଂପର୍କିତ ସତର୍କତା ଓ ସଜାଗ ରହିବା ପାଇଁ ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ସଚେତନ କରାଯିବା ସହ ବାତ୍ୟାର ସଫଳ ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଥିବା ସୂଚନା ମିଳିଛି ।ଏଥିପାଇଁ ପିପିଲି ବ୍ଲକ, ପିପିଲି ତହସିଲ ଓ ପିପିଲି ଏନ୍‍ଏସିରେ ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ୍‍ ଖୋଲାଯାଇଛି ।
ସାମୁଦ୍ରିକ ବାତ୍ୟା “ଜୱାଦ’ର ପ୍ରଭାବରେ ଆଜି ସକାଳେ ପିପିଲି ଓ ଏହାର ଆଖପାଖ ଅଞ୍ଚଳରେ ଆକାଶ ମେଘୁଆ ରହିଥିବା ବେଳେ ଅପରାହ୍ନରୁ ଝିପିଝିପି ବର୍ଷା ଲାଗିରହିଛି । ବ୍ଲକ ଓ ପୌର ପ୍ରଶାସନ ପକ୍ଷରୁ ମାଇକ ଯୋଗେ ବାତ୍ୟା ସଂପର୍କିତ ଜରୁରୀ ସୂଚନା ଓ ସତର୍କତା ବାର୍ତ୍ତା ସଂପର୍କରେ ସମଗ୍ର ଅଞ୍ଚଳରେ ପ୍ରଚାର କରାଯାଇଥିଲା । ଲୋକେ ଆଦୌ ଭୟଭିତ ନହୋଇ ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେବା ସହ ସତର୍କ ରହିବାକୁ ପ୍ରଶାସନ ପକ୍ଷରୁ ପ୍ରଚାର କରାଯାଇଛି । ପିପିଲି ବ୍ଲକ ଅଞ୍ଚଳରେ ଥିବା ୪ଟି ବହୁମୁଖି ବାତ୍ୟା ଆଶ୍ରୟସ୍ଥଳୀ ସମେତ ୫୦ଟି ବିଦ୍ୟାଳୟରେ ଥିବା ଆଶ୍ରୟସ୍ଥଳୀକୁ ସଂପୂର୍ଣ୍ଣ ପ୍ରସ୍ତୁତ ରଖାଯାଇଥିବା ବେଳେ ପିପିଲି ତହସିଲଦାର ସପନ କୁମାର ନନ୍ଦ, ବିଡିଓ ରଶ୍ମିତା ନାଥ ପ୍ରମୁଖ ଆଜି ସମସ୍ତ ଆଶ୍ରୟସ୍ଥଳୀ ପରିଦର୍ଶନ କରି ସେଠାରେ କରାଯାଇଥିବା ବ୍ୟବସ୍ଥାକୁ ତଦାରଖ କରିଥିଲେ । ସେଠାରେ ଲୋକଙ୍କ ପାଇଁ ରହିବା, ଖାଇବା, ପାନୀୟ ଜଳ ଓ ଆଲୋକର ବ୍ୟବସ୍ଥା କରାଯାଇଥିବା ସୂଚନା ମିଳିଛି । ତେବେ ପରିସ୍ଥିତିକୁ ନଜରରେ ରଖି ଆବଶ୍ୟକ ହେଲେ କଚ୍ଚାଘରେ ରହୁଥିବା ଓ ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ଶନିବାର ସକାଳୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ ବୋଲି ବିଡିଓ ଶ୍ରୀମତୀ ନାଥ ସୂଚନା ଦେଇଛନ୍ତି । ବାତ୍ୟାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଆବଶ୍ୟକ ପରିମାଣରେ ଚୁଡା, ଗୁଡ ଆଦି ଶୁଖିଲା ଖାଦ୍ୟକୁ ମହଜୁଦ ରଖାଯାଇଥିବା ବେଳେ ପ୍ରଚୁର ପରିମାଣରେ ପାନୀୟ ଜଳର ବ୍ୟବସ୍ଥା କରାଯାଇଛି । ୭ଟି ଆସ୍କା ଲାଇଟ୍‍ ମଧ୍ୟ ସଂପୂର୍ଣ୍ଣ ପ୍ରସ୍ତୁତ ହୋଇ ରହିଥିବା ସଂପର୍କରେ ବ୍ଳକ ପକ୍ଷରୁ ସୂଚନା ଦିଆଯାଇଛି । ପିପିଲି ବ୍ଲକ ଓ ଏନ୍‍ଏସି ଅଞ୍ଚଳର ୧୯ଜଣ ଗର୍ଭବତୀ ମହିଳାଙ୍କ ମଧ୍ୟରୁ ସଂନ୍ଧ୍ୟାସୁଦ୍ଧା ୪ଜଣ ଗର୍ଭବତୀ ମହିଳାଙ୍କୁ ପିପିଲି ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ସଂପର୍କରେ ବିଡିଓ ଶ୍ରୀମତୀ ନାଥ ସୂଚନା ଦେଇଛନ୍ତି । ପିପିଲି ପୌରାଞ୍ଚଳରେ ଥିବା ୩ଟି ବିଦ୍ୟାଳୟରେ ଥିବା ଆଶ୍ରୟ ସ୍ଥଳୀକୁ ସଂପୂର୍ଣ୍ଣ ପ୍ରସ୍ତୁତ ରଖାଯାଇଥିବା ସଂପର୍କରେ ଏନ୍‍ଏସି ନିର୍ବାହୀ ଅଧିକାରୀ ପୂଜା ରାଉତ ସୂଚନା ଦେଇଛନ୍ତି ।
ବାତ୍ୟା ପରବର୍ତ୍ତି ପୁନଃର୍ଦ୍ଧାର କାର୍ଯ୍ୟ ପାଇଁ ପିପିଲି ଅଗ୍ନିଶମ ବିଭାଗ ସଂପୂର୍ଣ୍ଣ ପ୍ରସ୍ତୁତ ଥିବା ସଂପର୍କରେ ଅଗ୍ନିଶମ ଅଧିକାରୀ ଦାୟିତ୍ୱରେ ଥିବା ମଳୟ କୁମାର ପ୍ରଧାନ ସୂଚନା ଦେଇଛନ୍ତି । ବାତ୍ୟାର ସଫଳ ମୁକାବିଲା ପାଇଁ ପିପିଲି ପୁଲିସ ମଧ୍ୟ ସଂପୂର୍ଣ୍ଣ ପ୍ରସ୍ତୁତ ରହିଥିବା ବେଳେ ଥାନା ଅଞ୍ଚଳର ସମସ୍ତ ଗୃହରକ୍ଷୀଙ୍କୁ ବାତ୍ୟା ନିମନ୍ତେ ସଂପୂର୍ଣ୍ଣ ସଜାଗ ରହିବାକୁ ଆଇଆଇସି ଅଭିମନ୍ୟୁ ନାୟକ ନିର୍ଦ୍ଦେଶ ଦେବା ସହ ବାତ୍ୟା ଜନିତ ଯେକୌଣସି ଅଘଟଣ ସଂପର୍କରେ ତୁରନ୍ତ ଥାନାକୁ ସୂଚନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଥାନା ପକ୍ଷରୁ ପେଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରାଯାଇଥିବା ବେଳେ ବାତ୍ୟାର ପୂର୍ବ ଓ ପରବର୍ତ୍ତି ସମୟରେ ଚୋରି ଭଳି ଘଟଣା ଘଟିବାର ସମ୍ଭାବନା ଥିବା ଦୃଷ୍ଟିରୁ ସେଥିପ୍ରତି ମଧ୍ୟ ପୁଲିସ ପକ୍ଷରୁ କଡା ନଜର ରଖାଯାଇଥିବା ସୂଚନା ମିଳିଛି ।
ବାତ୍ୟା ସମୟରେ ଗଛ ଉପୁଡି ବିଦ୍ୟୁତ ତାର ଛିଣ୍ଡିବା ଓ ବିଦ୍ୟୁତ ଖୁଣ୍ଟ ଭାଙ୍ଗି ବିୁଦ୍ୟତ୍‍ ଦୁର୍ଘଟଣା ଘଟିବାର ଯଥେଷ୍ଟ ସମ୍ଭାବନା ଥିବାରୁ ସେଥିପ୍ରତି ବିଦ୍ୟୁତ ବିଭାଗ ପକ୍ଷରୁ ସତର୍କତା ଅବଲମ୍ବନ କରାଯାଇଛି । ବିଦ୍ୟୁତ ଦୁର୍ଘଟଣାକୁ ଏଡାଇବା ପାଇଁ ବାତ୍ୟା ସମୟରେ ଅଞ୍ଚଳର ବିଦ୍ୟୁତ ସରବରାହକୁ ସଂପୂର୍ଣ୍ଣ ଭାବେ ବନ୍ଦ ରଖାଯିବ ବୋଲି ଟାଟା ପାୱାରର ନିର୍ବାହୀ ଯନ୍ତ୍ରୀ ଦୁର୍ଗାପ୍ରସାଦ ଦାଶ ସୂଚନା ଦେଇଛନ୍ତି । ଛିଣ୍ଡି ପଡିଥିବା ତାର ଓ ବିଦ୍ୟୁତ ସରଞ୍ଜାମକୁ ନଛୁଇଁ ସେସଂପର୍କରେ ତୁରନ୍ତ ବିୁଦ୍ୟତ୍‍ ବିଭାଗକୁ ସୂଚନା ଦେବା ପାଇଁ ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି । ବାତ୍ୟା ପରବର୍ତ୍ତି ବିଦ୍ୟୁତ୍‍ କ୍ଷୟକ୍ଷତିର ତୁରନ୍ତ ମରାମତି କରିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିବା ସଂପର୍କରେ ଶ୍ରୀଦାଶ ସୂଚନା ଦେଇଛନ୍ତି ।
ବାତ୍ୟାକୁ ନେଇ ପିପିଲି ଓ ଏହାର ଆଖପାଖ ଅଞ୍ଚଳର ଚାଷୀକୂଳ ବିଶେଷ ଭାବେ ଭୟଭିତ ହୋଇପଡିଛନ୍ତି । ଶହ ଶହ ହେକ୍ଟର ଜମିରେ ପାଚିଲା ଧାନ ଲହଡି ଭାଙ୍ଗୁ ଥିବା ବେଳେ ବାତ୍ୟା ଜନିତ ବର୍ଷା ଓ ପବନରେ ସେସବୁ ଉଜୁଡି ଯିବାର ସମ୍ଭାବନା ଚାଷୀଙ୍କୁ ଚିନ୍ତାରେ ପକାଇଛି । କେତେକ ସ୍ଥାନରେ ଧାନକଟା ଯନ୍ତ୍ର ଦ୍ୱାରା ଜମିରୁ ପାଚିଲା ଧାନକୁ ଅମଳ କରିବାରେ ଚାଷୀମାନେ ଗତ ୨ଦିନ କାଳ ଅକ୍ଲାନ୍ତ ପରିଶ୍ରମ ଚଳାଇଥିବା ସୂଚନା ମିଳିଛି । ବାତ୍ୟା ଭୟରେ ଲୋକେ ସେମାନଙ୍କ ଗୃହପାଳିତ ପଶୁଙ୍କୁ ସୁରକ୍ଷିତ ସ୍ଥାନକୁ ନେବାକୁ ତତ୍ପରତା ପ୍ରକାଶ କରିଥିବା ସୂଚନା ମିଳିଛି । ସବୁଠାରୁ ବଡ କଥା ହେଲା, ଝିପିଝିପି ବର୍ଷା ଓ କୋହଲା ତଥା ପ୍ରତିକୂଳ ପାଗ ପାଇଁ ଆଜି ପିପିଲି ଅଞ୍ଚଳରେ ଏକାଧିକ ପୁଅଙ୍କ ବିବାହ ଭୋଜିରେ ବିଶେଷ ଗହଳିଚହଳି ନଥିବା ପରିଲକ୍ଷିତ ହୋଇଥିଲା ।

Comments are closed.