୨୬ ସୁଦ୍ଧା ଓଡ଼ିଶାକୁ ବାତ୍ୟା ଆଶଙ୍କା

ଭୁବନେଶ୍ୱର: କରୋନା କାଳରେ ବାତ୍ୟାର ଡର। କେରଳ ଓ ଗୁଜରାଟ ଭଳି ରାଜ୍ୟରେ ‘ବାତ୍ୟା’ ତୌତେ ଅସମ୍ଭାଳ ପରିସ୍ଥିତି ସୃଷ୍ଟି କରିଥିବାବେଳେ ଆଗକୁ ଓଡ଼ିଶା ଏ ପ୍ରକାର ପରିସ୍ଥିତିକୁ ସାମ୍ନା କରିବାର ଆଶଙ୍କା ସୃଷ୍ଟି ହୋଇଛି। ତେବେ ଲଘୁଚାପ ସୃଷ୍ଟି ହେବା ପରେ ସମ୍ଭାବ୍ୟ ବାତ୍ୟା ନେଇ ସ୍ପଷ୍ଟ ଚିତ୍ର ମିଳିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଏହା ପୂର୍ବରୁ କୌଣସି ପ୍ରକାର ଗୁଜବକୁ ବିଶ୍ୱାସକୁ ନନେବା ଏବଂ ଆତଙ୍କିତ ନହେବାକୁ ପାଣିପାଗ ବିଭାଗ ଡିଜି ପରାମର୍ଶ ଦେଇଛନ୍ତି।

ଉତ୍ତର ଆଣ୍ଡାମାନ ସାଗର ଏବଂ ଏହା ସଂଲଗ୍ନ ବଙ୍ଗୋପସାଗରର ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ୨୨ ତାରିଖରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଲଘୁଚାପ ସୃଷ୍ଟି ହେବାର ପରବର୍ତ୍ତୀ ୭୨ଘଣ୍ଟା ମଧ୍ୟରେ ଏହା ଧୀରେ ଧୀରେ ଘନୀଭୂତ ହୋଇ ସାମୁଦ୍ରିକ ଝଡ଼ ବା ବାତ୍ୟାରେ ପରିଣତ ହେବ। ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରି ପଶ୍ଚିମବଙ୍ଗ ଓଡ଼ିଶା ଉପକୂଳରେ ୨୬ତାରିଖ ସନ୍ଧ୍ୟା ସମୟରେ ପହଞ୍ଚିବାର ସମ୍ଭାବନା ରହିଛି। ଘୂର୍ଣ୍ଣିଝଡ଼ ସାମୁଦ୍ରିକ ବାତ୍ୟାରେ ପରିଣତ ହେଲେ ଏହାର ନାମ ‘ୟସ୍‌’ ରହିବ ବୋଲି ଜଣାପଡ଼ିଛି।

ଦକ୍ଷିଣ ପଶ୍ଚିମ ମୌସୁମି ବାୟୁ ଆସନ୍ତା ୨୧ ସୁଦ୍ଧା ଆଣ୍ଡାମାନ ଛୁଇଁବାର ପରବର୍ତ୍ତୀ ୪୮ଘଣ୍ଟାରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ଯାଉଥିବାବେଳେ ଏହା ଓଡ଼ିଶା ମୁହାଁଇବାର ସମ୍ଭାବନା ଅଧିକ ରହିଛି। ପାଣିପାଗ ବିଭାଗ ତଥ୍ୟ କହୁଛି ଲଘୁଚାପ ପ୍ରଭାବରେ ଆସନ୍ତା ୨୫ତାରିଖଠାରୁ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। ଏହି ସମୟରେ କିଛି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ପରବର୍ତ୍ତୀ ସମୟରେ ବର୍ଷାର ତୀବ୍ରତା ବଢ଼ିବା ସହିତ ଅଧିକ ଅଞ୍ଚଳରେ ବର୍ଷାର ସମ୍ଭାବନା ରହିଛି।

ଭାରତୀୟ ପାଣିପାଗ ବିଭାଗର ମହାନିର୍ଦେଶକ (ଡାଇରେକ୍ଟର ଜେନେରାଲ) ମୃତ୍ୟୁଞ୍ଜୟ ମହାପାତ୍ର ଗଣମାଧ୍ୟମକୁ ଏ ସମ୍ପର୍କରେ କହିଛନ୍ତି ଯେ ଆସନ୍ତା ୨୩ରେ ଆଣ୍ଡାମାନ ସାଗରରେ ଲଘୁଚାପ ସୃଷ୍ଟି ହେବା ପରେ ଯାଇ ଏହାର ସମ୍ଭାବ୍ୟ ରୂପରେଖ, ଗତିବିଧି ସମ୍ପର୍କରେ ସ୍ପଷ୍ଟ ଆକଳନ କରିହେବ। ଏବେଠୁ ଏ ସମ୍ପର୍କରେ ସଠିକ ଆକଳନ ସମ୍ଭବ ନୁହେଁ।

ଲଘୁଚାପ ପ୍ରଭାବରେ ଉପକୂଳ ଅଞ୍ଚଳରେ ପବନର ବେଗ ଅଧିକ ରହିବାର ସମ୍ଭାବନା ଥିବାରୁ ଏଥିପାଇଁ ମତ୍ସ୍ୟଜୀବୀଙ୍କ ପାଇଁ ସତର୍କ ସୂଚନା ଜାରି କରାଯାଇଛି। ୨୩ତାରିଖ ସୁଦ୍ଧା ଆଣ୍ଡାମାନ ସାଗର ଏବଂ ଏହାର ସଂଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଘଣ୍ଟା ପ୍ରତି ୪୫ରୁ ୫୫କିମି ବେଗରେ ପବନ ବହିବ। ଏହି ସମୟରେ ଝଟକା ପବନର ବେଗ ପ୍ରତି ୬୫କିମି ଅତିକ୍ରମ କରିପାରେ। ୨୩ ତାରିଖ ଏବଂ ପରବର୍ତ୍ତୀ ସମୟରେ ପବନର ବେଗ ଘଣ୍ଟା ପ୍ରତି ୫୦ରୁ ୬୦ କିମି ତଥା ଝଟକା ପବନ ଘଣ୍ଟା ପ୍ରତି ୭୦ କିମି ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି।

ଶ୍ରୀ ମହାପାତ୍ର କହିଛନ୍ତି ଯେ ୨୪ରୁ ୨୬ତାରିଖ ମଧ୍ୟରେ କେନ୍ଦ୍ରୀୟ ବଙ୍ଗୋପସାଗର, ଉତ୍ତର ବଙ୍ଗୋପସାଗର ତଥା ଓଡ଼ିଶା-ପଶ୍ଚିମବଙ୍ଗ-ବଙ୍ଗଳାଦେଶ ଉପକୂଳରେ ପବନ ଅଧିକ ଶକ୍ତିଶାଳୀ ହେବାର ସମ୍ଭାବନା ରହିଛି। ତେଣୁ ମତ୍ସ୍ୟଜୀବୀ ଆସନ୍ତା ୨୩ରୁ ୨୫ତାରିଖ ପର୍ଯ୍ୟନ୍ତ କେନ୍ଦ୍ରୀୟ ବଙ୍ଗୋପସାଗରର ଗଭୀର ସମୁଦ୍ର ଅଞ୍ଚଳରେ ଏବଂ ଉତ୍ତର ବଙ୍ଗୋପସାଗରର ତଥା ଓଡ଼ିଶା ଉପକୂଳ ମଧ୍ୟକୁ ୨୫ରୁ ୨୭ତାରିଖ ପର୍ଯ୍ୟନ୍ତ ପ୍ରବେଶ ନକରିବାକୁ ସତର୍କ କରିଦିଆଯାଇଛି। ଗଭୀର ସମୁଦ୍ରରେ ଥିବା ମତ୍ସ୍ୟଜୀବୀମାନଙ୍କୁ ୨୩ତାରିଖ ସୁଦ୍ଧା ଉପକୂଳକୁ ଫେରିଆସିବାକୁ ପରାମର୍ଶ ଦିଆଯାଇଛି।

ଅନ୍ୟପକ୍ଷରେ ସ୍ୱତନ୍ତ୍ର ରିଲିଫ କମିସନର ପ୍ରଦୀପ କୁମାର ଜେନା କରୋନାରୁ ସୁସ୍ଥ ହେବା ପରେ ବୁଧବାର ସନ୍ଧ୍ୟାରେ ସମ୍ଭାବ୍ୟ ବାତ୍ୟା ଓ ବର୍ଷା ପରିସ୍ଥିତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ଗଣମାଧ୍ୟମକୁ ଶ୍ରୀ ଜେନା କହିଛନ୍ତି ଏ ପର୍ଯ୍ୟନ୍ତ ବାତ୍ୟା ସମ୍ପର୍କରେ ସଠିକ ଆକଳନ ପହଞ୍ଚି ନାହିଁ। ସମ୍ଭାବନାକୁ ଭିତ୍ତି କରି ଉପକୂଳବର୍ତ୍ତୀ ଜିଲାଗୁଡ଼ିକର ଜିଲାପାଳଙ୍କ ସହିତ ସମ୍ଭାବ୍ୟ ପରିସ୍ଥିତି ବିଷୟରେ ସେ ଆଲୋଚନା କରିଛନ୍ତି ଏବଂ ପ୍ରାକ୍‌ ଆକଳନକୁ ଦୃଷ୍ଟିରେ ରଖି ଆଗୁଆ ପଦକ୍ଷେପ ନେବାକୁ ନିର୍ଦେଶ ଦିଆଯାଇଛି ବୋଲି କହିଛନ୍ତି। ଶ୍ରୀ ଜେନା ଏ ସମ୍ପର୍କରେ ଓଡ଼ିଶା ପୁଲିସ, ଏନ୍‌ଡିଆରଏଫ୍‌, ଅଗ୍ନିଶମ ସେବା, ଓଡ୍ରାଫ୍‌, ଭାରତୀୟ ପାଣିପାଗ କେନ୍ଦ୍ର ନିର୍ଦେଶକ, ଭାରତୀୟ ପାଣିପାଗ କେନ୍ଦ୍ର, ଭୁବନେଶ୍ବର ଶାଖାର ନିର୍ଦେଶକ ଏବଂ ଓସ୍‌ଡମାର କାର୍ଯ୍ୟନିର୍ବାହୀ ନିର୍ଦେଶକଙ୍କ ସହ ଭର୍ଚୁଆଲ ବୈଠକରେ ଆଲୋଚନା କରିଛନ୍ତି। ସେ କହିଛନ୍ତି ଯେ ଲଘୁଚାପର ତୀବ୍ରତା, ବେଗ, ରୂପ ବାବଦରେ ବର୍ତ୍ତମାନ ସୁଦ୍ଧା ସଠିକ୍‌ ଆକଳନ କରାଯାଇନାହିଁ ଏବଂ କେଉଁଠାରେ ଏହା ସ୍ଥଳ ଭାଗ ଛୁଇଁବ ତାହା ଜଣାପଡିନାହିଁ। ଏଣୁ କୌଣସି ମିଥ୍ୟା ସମ୍ବାଦ ତଥା ଆକଳନ ଉପରେ ଧ୍ୟାନ ନ ଦେବାକୁ ସେ ସତର୍କ କରାଇଦେଇଛନ୍ତି।

ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ ତାଙ୍କ ଆକଳନରେ କହିଛନ୍ତି ଯେ ଆଣ୍ଡାମାନରେ ସୃଷ୍ଟ ଲଘୁଚାପ ୨୪ରେ ବାତ୍ୟାରେ ପରିଣତ ହୋଇ ପ୍ରାୟ ୨୪ଘଣ୍ଟା ମିଆଁମାର ଉପକୂଳରୁ ଦୂରରେ ଗତି କରିବ। ଏହା କେବେ ଘନୀଭୂତ ହେବ, କେଉଁଠାରେ ସ୍ଥଳଭାଗ ଛୁଇଁବ ତାହା ୨୨ତାରିଖରେ ସ୍ପଷ୍ଟ ଜଣାପଡ଼ିବ।

କେତୋଟି ପ୍ରମୁଖ ପାଣିପାଗ ସଂସ୍ଥା ଆକଳନ କରିଛନ୍ତି ଯେ ଆସନ୍ତା ୨୫ ଓ ୨୬ ସୁଦ୍ଧା ଓଡ଼ିଶା, ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳ ମଧ୍ୟବର୍ତ୍ତୀ ଅଞ୍ଚଳ ଦେଇ ଏହା ଗତି କରିବ। ଓଡ଼ିଶା, ପଶ୍ଚିମବଙ୍ଗ ଉପକୂଳ ଓ ସୁନ୍ଦରବନ କିମ୍ବା ଦିଘା ଆଦି ଅଞ୍ଚଳ ଦେଇ ଏହା ସ୍ଥଳ ଭାଗ ଛୁଇଁପାରେ ବୋଲି ମଧ୍ୟ କେତେକ ମଡ଼େଲ ଆକଳନ କରୁଛନ୍ତି। ତେବେ ଳଘୁଚାପ ସୃଷ୍ଟି ହେବା ପରେ ଏହର ଗତିବିଧିରୁ ବାତ୍ୟାର ରୂପରେଖ ସ୍ପଷ୍ଟ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.