ତିଗିରିଆ : ବତୁରୁଛି ପାଚିଲା ଧାନ, ପୋଚରୁଛି କୋବି

ବାତ୍ୟା ଜୱାଦ ଫସଲ ଭରା କ୍ଷେତ ପାଇଁ ଜହ୍ଲାଦ ପାଲଟିଯାଇଛି । ଚାଷୀର କଷ୍ଟାର୍ଜିତ କୃଷି ସମ୍ପଦ ଆଖି ଆଗରେ ଉଜୁଡ଼ିଯାଉଛି । ବର୍ଷାବିତ୍ପାତରେ ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକର ସୁନାର ଫସଲକୁ ଛାରଖାର କରିଦେଇଛି । ଏଦୃଶ୍ୟ ଚାଷୀକୂଳକୁ ଅଥୟ କରିଛି । ଦିନ କେଇଟା ପରେ ଧାନଅମଳ ହୋଇଯାଇଥାନ୍ତା । ପାଚିଲାକେଣ୍ଡାରେ ଭାରି ପଡ଼ିଥିବା ଧାନକ୍ଷେତର ତଣ୍ଟି ଚିପିଦେଇଛି ବର୍ଷା। ଅନ୍ୟପଟେ ରବି ପନିପରିବା ପ୍ରାରମ୍ଭିକ ଉତ୍ପାଦନକୁ ପଦାଘାତ କରିଛି। ବମ୍ଫର ଉତ୍ପାଦନ ଆଶା ମଉଳିଯାଇଛି । ବାତ୍ୟା ସିନା ଦୁର୍ବଳ ହେଲା, ବର୍ଷା ଲାଗି ରହିଲା । କ୍ଷେତରେ ପାଣି ଜମି ପ୍ରତିକୂଳ ପରିସ୍ଥିତି ସୃଷ୍ଟି କରିଛି । ଚାଷୀ ପରିବାରର ନିଦ ହଜାଇ ଦେଇଛି। ଏବେ ପରିବାର ପ୍ରତିପୋଷଣର ରାହା ଖୋଜିବା ଭିତରେ ପୁରୁଣା ଋଣ ପରିଶୋଧ କରିବ ନାଁ ଆଗକୁ ଆହୁରି ଋଣଭାରରେ ବୁଡ଼ିଯିବ ତାହାକୁ ନେଇ ଚାଷୀର ଚିନ୍ତା ବଢ଼ିଯାଇଛି।

ତିଗିରିଆ :  ବାତ୍ୟା ଜୱାଦ ତିଗିରିଆ ଅଞ୍ଚଳର ଚାଷୀଙ୍କ ପାଇଁ ଏବର୍ଷର ବଡ଼ ଝଟକା । ସୁଆତି ବୋହିଲାନି ସିନା ହେଲେ ବର୍ଷା ଲାଗିରହିଲା । ଗତ ଦୁଇଦିନ ହେଲା ବ୍ଲକର ୧୪ ପଞ୍ଚାୟତରେ ମଧ୍ୟମ ଧରଣର ସମାନ ବର୍ଷା ପରିସ୍ଥିତି । କୃଷି ବିଭାଗ କହିବା କଥା ଚଳିତ ବର୍ଷ ଅଞ୍ଚଳରେ ୪୧୩୦ ହେକ୍ଟର ଜମିରେ ଖରିଫ ଧାନ ଚାଷ ହୋଇଥିଲା। ସେଥିମଧ୍ୟରୁ ସଅଳ କିସମର ଧାନକୁ ଚାଷୀ ଅମଳ କରିସାରିଥିବା ବେଳେ ଏବେ ବଡ଼ଧାନ ଅମଳ ହେବାର ବେଳ। ଫସଲ ଅମଳ ବେଳକୁ ଅଦିନିଆ ବର୍ଷା ବିତ୍ପାତ ପାଚିଲା ଧାନ କ୍ଷେତକୁ କ୍ଷତିଗ୍ରସ୍ତ କରିବା ପରିସ୍ଥିତ ସୃଷ୍ଟି କରିଛି । ବିଭିନ୍ନ ପଞ୍ଚାୟତରେ ଥିବା ଖାଲ କିସମ ଜମିରେ ଏହି ବଡ଼ଧାନ ଏବେ ରହିଛି । ଅନେକ ସ୍ଥାନରେ ଧାନକେଣ୍ଡା ଭାରିହୋଇ ଗଛ ମାଟିରେ ଲୋଟିପଡ଼ିଛି। ବର୍ଷାଜଳରେ ଶୁଖିଲା ଧାନକେଣ୍ଡା ବତୁରୁଛି । ଦିନେ ଦୁଇଦିନ ମଧ୍ୟରେ ପାଗରେ ସମ୍ପୂର୍ଣ୍ଣ ପରିବର୍ତ୍ତନ ନଆସିଲେ ଧାନସବୁ ଗଜା ହୋଇଯିବ। ଫସଲକୁ ସୁରକ୍ଷିତ ରଖିବାକୁ ଚାଷୀ ପରିବାର ଧରି ପାଣିଛଡ଼ା କାର୍ଯ୍ୟ କରିବା ବ୍ୟତିତ ଆଉ କୌଣସି ଉପାୟ ହିଁ ନାହିଁ । ବ୍ଲକର ବିଭିନ୍ନ ପାଟଗହୀର ଏବଂ ନାଳ ଜମିରେ ବଡ଼ଧାନର ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । କୃଷି ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ ଅଞ୍ଚଳରେ ହୋଇଥିବା ୫୦% ସଅଳ କିସମ ଧାନ ସମ୍ପୂର୍ଣ୍ଣ ଅମଳ ହୋଇ ସାରିଛି । ବାକି ବଡ଼ଧାନ ଯାହା ନଷ୍ଟ ହୋଇଛି ତାହାକୁ ପାଣିପାଗରେ ପରିବର୍ତ୍ତନ ପରେ କ୍ଷେତ୍ରଅନୁଧ୍ୟାନ କରାଯାଇ କ୍ଷୟକ୍ଷତି ଆକଳନର ପ୍ରାଥମିକ ତଥ୍ୟ ସରକାରଙ୍କୁ ପ୍ରଦାନ କରାଯିବ ବୋଲି ସହକାରୀ କୃଷି ଅଧିକାରୀ ଦେବୀ ପ୍ରସାଦ ପୃଷ୍ଟି କହିଛନ୍ତି।


ଧାନ ଫସଲ ପରି ଅଞ୍ଚଳର ପନିପରିବା ଫସଲ ଚାଷ ଅନୁରୂପ ଭାବେ ପ୍ରଭାବିତ ହୋଇଛି । ବର୍ତ୍ତମାନର ସମୟରେ ତିଗିରିଆ ବ୍ଲକରେ ବିଭିନ୍ନ ପ୍ରକାରର କୋବି ଚାଷ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ଶୀତ ଆରମ୍ଭରୁ ଚାଷୀ ଫୁଲ କୋବି ଉତ୍ପାଦନ ଆରମ୍ଭ କରିଦେଇଥିଲା । ବାତ୍ୟା ସୂଚନା ପାଇବା ପରେ ଚାଷୀ ତରବରିଆ ଭାବେ କ୍ଷେତରେ ଥିବା ବିଭିନ୍ନ କିସମର ଅପରିପକ୍ୱ ପନିପରିବା ବିଭିନ୍ନ ହାଟବଜାରରେ ଶସ୍ତାରେ ବିକ୍ରି କରି ଦେଇଥିବା ବେଳେ ଆହୁରି ପ୍ରଚୁର ପରିମାଣର କୋବି କ୍ଷେତରେ ରହିଯାଇଥିଲା। ବ୍ଲକର ମହାନଦୀ କୂଳବର୍ତ୍ତୀ ବଡ଼ନାଉପୁଟ, ହାଟମାଳ, ଗଦାଧରପୁର, ପୁରୁଣାତିଗିରିଆ ସମେତ ବିନ୍ଧାଣିମା, ପାଞ୍ଚଗାିଁ, ଅଚଳକୋଟ, ଭିରୁଡ଼ା, ବାଲିପୁଟ, ଭୋଗଡ଼ା, ସୋମପଡ଼ା, ଜେମାଦେଇପୁର, ନୂଆପାଟଣା ଏବଂ ତିଗିରିଆ ନିଜିଗଡ଼ ପଞ୍ଚାୟତରେ ପ୍ରଚୁର ପରିମାଣର କୋବି ଉତ୍ପାଦନ ହୋଇଥାଏ। ଏବେ ସେସବୁ କ୍ଷେତରେ ବର୍ଷାଜଳରେ ପଚିସଢ଼ିବା ଆରମ୍ଭ କରିଛି । ଏଗୁଡ଼ିକୁ ସୁରକ୍ଷିତ ରଖିବା ଚାଷୀପାଇଁ ଏକବାର ଅସମ୍ଭବ ହୋଇପଡ଼ିଛି । ଶହଶହ ହେକ୍ଟର ପରିମିତ କ୍ଷେତରେ କୋବିର ବିସ୍ତୀର୍ଣ୍ଣ ସବୁଜ ବଳୟକୁ ଚାଷୀ ଏବେ ଚାହିଁ ପାରୁନି। କଷ୍ଟାର୍ଜିତ କୃଷି ସମ୍ପଦ ଉଜୁଡ଼ିଯାଇଛି। ତିଗିରିଆ ବ୍ଲକର ସମୁଦାୟ ୧୪ ପଞ୍ଚାୟତରେ ଚାଷୀମାନେ ବିଭିନ୍ନ ପ୍ରକାରର ପନିପରିବା ଚାଷ କରିଛନ୍ତି । ବାଇଗଣ, ଝୁଡ଼ଙ୍ଗ, କୋବି, ଲଙ୍କା, କଲରା, ଶାଗ, ଧନିଆ, ମଟର, ବିନ୍, ଗୁଆଁରା ଆଦି ବହୁ ପ୍ରକାରର ପନିପରିବା କୋହଲା ପାଗରେ ବିଭିନ୍ନ ରୋଗପୋକ ଦ୍ୱାରା ପ୍ରଭାବିତ ହେବ। ସେହିଭଳି ଜେମାଦେଇପୁର, ନୁଆପାଟଣା, ବନମାଳିପୁର, ବିନ୍ଧାଣିମା, ବାଲିପୁଟ, ବିରିପୁଟ ସମେତ ବିରି ଓ ମୁଗ ଚାଷ ପାଇଁ ବିଶେଷ ପରିଚୟ ସୃଷ୍ଟି କରିଥିବା ପୁରୁଣାତିଗିରିଆ ପଞ୍ଚାୟତର ଚଷାଆଁରା ପାଟଗହୀର ଏବଂ ସୋମପଡ଼ା-ଖଣ୍ଡହତା ମଧ୍ୟବର୍ତ୍ତୀ ବଡ଼ବନ୍ଧ ପାଟଜମିରେ ବ୍ୟାପକ ବିରିମୁଗ ନଷ୍ଟହେବା ଆଶଙ୍କା ବହୁଗୁଣିତ ହୋଇଛି।

Comments are closed.