ଆଜି ଅପରାହ୍ନରୁ ବଢିବ ପବନର ବେଗ: ଏସଆରସି

ଭୁବନେଶ୍ବର: ସାମୁଦ୍ରିକ ଘୂର୍ଣ୍ଣିଝଡ଼ ‘ବୁଲ୍‌ବୁଲ୍‌’ ପାରାଦୀପଠାରୁ ୩୫୦ କିମି ଦୂରରେ କେନ୍ଦ୍ରୀଭୂତ ରହିଛି। ପାରାଦୀପଠାରୁ ୧୩୪ କିମି ଦୂରତାରୁ ବାତ୍ୟା ‘ବୁଲ୍‌ବୁଲ୍‌’ ଅତିକ୍ରମ କରିବ। ଘଣ୍ଟା ପ୍ରତି ୧୦ କିମି ବେଗରେ ବାଂଲାଦେଶ ଓ ପଶ୍ଚିମବଙ୍ଗକୁ ମୁହାଁଇଛି। ଏହାର ପ୍ରଭାବରେ ଶୁକ୍ରବାର ସକାଳେ ପାରଦୀପରେ ବର୍ଷା ହୋଇଥିବା ବେଳେ ଉପକୂଳ ଓଡିଶାରେ ଆଜି ବର୍ଷା ଆରମ୍ଭ ହେବ ବୋଲି ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁରରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ ମୟୂରଭଞ୍ଜ ଓ ଯାଜପୁର ଜିଲାରେ ମଧ୍ୟମ ଧରଣର ବର୍ଷା ହେବ। ଆଜି ଅପରାହ୍ନରେ ଉପକୂଳ ଓଡିଶା ସମେତ କେନ୍ଦ୍ରାପଡ଼ା, ଜଗତସିଂହପୁର, ବାଲେଶ୍ବର, ଭଦ୍ରକରେ ପବନର ବେଗ ବଢିବ। ଆଜି ଘଣ୍ଟା ପ୍ରତି ୬୫ କିମି ଏବଂ ଆସନ୍ତାକାଲି ୭୦ରୁ ୮୦ କିମି ବେଗରେ ପବନ ବହିବ। ୯ଟି ଜିଲାକୁ ଏନଡିଆରଏଫ୍ ଏବଂ ଓଡ୍ରାଫ୍ ଟିମ୍ ପଠାଯାଇଛି। ଆବଶ୍ୟକ ପଡିଲେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ। ବାତ୍ୟା ସମୟରେ ଘରୁ ନ ବାହାରିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି।

Comments are closed.