ଅମ୍ପନ ପ୍ରଭାବରେ ପ୍ରବଳ ବର୍ଷା ସାଙ୍ଗକୁ ପବନ, ବିଭିନ୍ନ ଜିଲାରେ ଗଛ ପଡ଼ି ରାସ୍ତା ଅବରୋଧ

ବାଲ୍ବେଶ୍ଵର/ଭଦ୍ରକ/ଜଗତସିଂହପୁର/ପୁରୀ: ବାତ୍ୟା ଅମ୍ପନ ପ୍ରଭାବରେ ମଙ୍ଗଳବାରଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ପବନ ଲାଗି ରହିଛି। ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ ପ୍ରବଳ ବର୍ଷା ଜାରି ରହିଛି। ବିଶେଷକରି ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଜିଲାର ଅଧିକ ପ୍ରଭାବ ଦେଖିବାକୁ ମିଳିଛି। ପୁରୀ, ଖୋର୍ଦ୍ଧା, କଟକ, ଗଞ୍ଜାମ, ଗଜପତି ଜିଲାରେ ବି ପ୍ରବଳ ବର୍ଷା ହେଉଛି। ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଖୋର୍ଦ୍ଧା ଓ ପୁରୀ ଜିଲାରେ ପ୍ରବଳ ବେଗରେ ପବନ ବହୁଛି। ଫଳରେ ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ି ରାସ୍ତା ଅବରୋଧ ହୋଇଛି।

ଆମ ଜଗତସିଂହପୁର ପ୍ରତିନିଧିଙ୍କ ସୂଚନା ଅନୁସା​‌ରେ, ଜିଲାରେ ମଙ୍ଗଳବାର ରାତିରୁ ବର୍ଷା ଲାଗିରହିଛି। ବୁଧବାର ସକାଳ ପ୍ରାୟ ୮ଟା ବେଳେ ପାରାଦୀପରେ ପବନର ବେଗ ଘଣ୍ଟାପ୍ରତି ୧୦୫ରୁ ୧୩୦ କିଲୋମିଟର ରହିଥିଲା।

ଏଥିଯୋଗୁ ଅନେକ ସ୍ଥାନରେ ଗଛ ପଡ଼ି ରାସ୍ତା ଅବରୋଧ ହେବା ସହିତ କେତେକ ଲୋକଙ୍କ ଚାଳଘର ଭାଙ୍ଗିଯାଇଥିବା ସୂଚନା ମିଳିଛି। ଗୋବିନ୍ଦପୁର ବଙ୍ଗାଳି ପଡ଼ାର ସୁବାସ ପାଣିଙ୍କ ୩ ବଖରା ଚାଳ ଘର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି। ଗୋବିନ୍ଦପୁର ମଙ୍ଗଳାପଡାର ପ୍ରଶାନ୍ତ ପରିଡାଙ୍କ ଭାଙ୍ଗି ଯାଇଛି।

 

ଭଦ୍ରକ ପ୍ରତିନିଧିଙ୍କ ସୂଚନା ଅନୁସାରେ, ଜିଲାରେ ୩୮୪ ମିଲିମିଟର ବର୍ଷା ହୋଇଥିବାବେଳେ ହାରାହାରି ବର୍ଷା ପରିମାଣ ୫୪.୯୪ ମିଲିମିଟର ରହିଛି। ଭଦ୍ରକରେ ୪୬ ମିଲିମିଟର, ଭଣ୍ଡାରୀପୋଖରୀରେ ୪୧, ବାସୁଦେବପୁରରେ ୬୫, ବୋନ୍ଥରେ ୨୪, ଚାନ୍ଦବାଲିରେ ସର୍ବାଧିକ ୭୦.୬ ମିଲିମିଟର, ଧାମନନଗରରେ ୭୦, ତିହିଡ଼ିରେ ୬୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଜିଲାର ବିଭିନ୍ନ ସ୍ଥାନରେ ପବନ ଯୋଗୁ ଗଛ ଉପୁଡ଼ି ପଡ଼ିଥିବା ସୂଚନା ମିଳିଛି। ଭଦ୍ରକ ଟାଉନ ଓଟି ମାର୍କେଟ ନିକଟରେ ଗଛ ପଡ଼ି ରାସ୍ତା ଅବରୋଧ ହୋଇଥିବାବେଳେ ଅଗ୍ନିଶମ କର୍ମଚାରୀ ପହଞ୍ଚି ରାସ୍ତା ସଫା କରିଛନ୍ତି।

ବାଲେଶ୍ଵର ପ୍ରତିନିଧିଙ୍କ ସୂଚନା ଅନୁସାରେ, ଜିଲାର ବିଭିନ୍ନ ସ୍ଥାନରେ ବର୍ଷା ପବନ ଲାଗି ରହିଛି। ସୋରର ପଠାଣମହଲାରେରେ ଆଜବେଷ୍ଟସ୍ ଘରେ ଗଛ ପଡି ତିନି ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମଙ୍ଗଳବାର ରାତିରୁ ସୋର ଓ ବାହାନଗା ସମୁଦ୍ର କୂଳିଆ ଅଞ୍ଚଳରେ ଘଣ୍ଟାପ୍ରତି ୧୦୦ କିଲୋମିଟର ବେଗରେ ପବନ ବହୁଛି।

ପୁରୀ ପ୍ରତିନିଧିଙ୍କ ସୂଚନା ଅନୁସାରେ ଜିଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ବହୁଛି। ରାତି ପ୍ରାୟ ୩ଟାରୁ ପବନର ବେଗ ବୃଦ୍ଧି ପାଇଛି। ବୁଧବାର ସକାଳ ୧୦ଟା ସୁଦ୍ଧା କାକଟପୁର ବ୍ଲକରେ ସର୍ବାଧିକ ୧୬୧ ମିଲିମିଟର ବର୍ଷା ହୋଇଥିବାବେଳେ ଅସ୍ତରଙ୍ଗରେ ୧୪୨, ପୁରୀରେ ୮୨.୨, ଗୋପରେ ୮୨.୨, ଡେଲାଙ୍ଗରେ ୨୫, ପିପିଲିରେ ୫୨, ସତ୍ୟବାଦୀରେ ୭୫, ନିମାପଡ଼ାରେ ୪୦, ବ୍ରହ୍ମଗିରିରେ ୬୦, କଣାସରେ ୨୮ ଏବଂ କୃଷ୍ଣପ୍ରସାଦରେ ୩୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।

Comments are closed.