ସାମୁଦ୍ରିକ ଝଡ଼ ‘ବାୟୁ’ ଗୁଜରାଟ ମୁହାଁ

ଭୁବନେଶ୍ବର/ନୂଆଦିଲ୍ଲୀ : ମାସକ ତଳେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ‘ଫଣି’ ଭୟଙ୍କର ବାତ୍ୟା ରୂପ ନେଇ ଓଡ଼ିଶା ମୁହାଁଇଥିଲା। ପର୍ଯ୍ୟଟନ ସହର ପୁରୀ ସମେତ ଅର୍ଦ୍ଧାଧିକ ଓଡ଼ିଶା ଏଥିରେ ସାଂଘାତିକ ଭାବେ ପ୍ରଭାବିତ ହେଲା। ବାତ୍ୟା ମାଡ଼ରେ ବିପନ୍ନ ଲୋକେ ଏବେ ବି ଅଣ୍ଟାସଳଖି ନାହାନ୍ତି। ହେଲେ ଏବେ ଆଉ ଏକ ବାତ୍ୟା ‘ବାୟୁ’ ଡର ଘାରିଛି। ଏବେ ମୌସୁମି ଆଗମନ ସହିତ ଆରବ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତ ରୂପ ନେଇ ଏବେ ବାତ୍ୟା ରୂପ ନେବାକୁ ଯାଉଛି। ଅବଶ୍ୟ ଆରବ ସାଗରରେ ଥିବାରୁ ଓଡ଼ିଶା ଉପରେ ଏହାର ପ୍ରଭାବ ପଡ଼ିବ ନାହିଁ ବୋଲି କୁହାଯାଉଛି। ତେଣୁ ଏଥିନେଇ ଆତଙ୍କିତ ନହେବାକୁ ପରାମର୍ଶ ଦିଆଯାଇଛି।ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ରିପୋର୍ଟ ଅନୁସାରେ ଆସନ୍ତା ୨୪ଘଣ୍ଟା ମଧ୍ୟରେ ଆରବ ସାଗରରେ ଥିବା ଅବପାତ ଅତି ଭୟଙ୍କର ସାମୁଦ୍ରିକ ଝଡ଼ରେ ପରିଣତ ହେବ। ପରବର୍ତ୍ତୀ ୨୪ଘଣ୍ଟାରେ ଏହା ବାତ୍ୟା ରୂପ ନେବ। ଏହା ଉତ୍ତର ଏବଂ ଉତ୍ତର ପଶ୍ଚିମରେ ଗତି କରି ଗୁଜରାଟର ସ୍ଥଳ ଭାଗ ଛୁଇଁପାରେ ବୋଲି ଅନୁମାନ କରାଯାଉଛି। ‘ବାୟୁ’ ନାମକରଣ ହୋଇଥିବା ବାତ୍ୟା ଏବେ ଗୁଜରାଟ ଉପକୂଳକୁ ମୁହଁାଉଛି।
ପାଣିପାଗ ବିଭାଗ ବୁଲେଟିନ ଅନୁସାରେ ପୂର୍ବ କେନ୍ଦ୍ରୀୟ ଓ ଏହାର ନିକଟବର୍ତ୍ତୀ ଦକ୍ଷିଣ ପୂର୍ବ ଆରବ ସାଗର ଏବଂ ଲାକ୍ଷାଦ୍ବୀପ ମଧ୍ୟରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଅବପାତରେ ପରିଣତ ହୋଇଛି। ଏହା ଉତ୍ତର-ଉତ୍ତର ପଶ୍ଚିମରେ ଗତି କରୁଛି। ଘଣ୍ଟା ପ୍ରତି ଏହାର ବେଗ ରହିଛି ୧୫କିମି। ଅବପାତ ଘନୀଭୂତ ହୋଇ ତୀବ୍ର ଅବପାତରେ ପରିଣତ ହେବା ସହିତ ଏବେ ଲାକ୍ଷାଦ୍ବୀପଠାରୁ ୩୨୦କିମି ଏବଂ ମୁମ୍ବଇଠାରୁ ଦକ୍ଷିଣ-ଦକ୍ଷିଣ ପଶ୍ଚିମରେ ୬୮୦ ୩୦କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି। ଆସନ୍ତା ୨୪ଘଣ୍ଟାରେ ଏହା ସାମୁଦ୍ରିକ ଝଡ଼ର ରୂପ ନେଇପାରେ। ଏଥିସହିତ ପରବର୍ତ୍ତୀ ୨୪ଘଣ୍ଟାରେ ଏହା ଅତି ଭୟଙ୍କର ରୂପ ଧାରଣ କରିବାର ସମ୍ଭାବନା ରହିଛି। ବାତ୍ୟା ଅତି ଭୟଙ୍କର ରୂପ ନେବା ର ପରବର୍ତ୍ତୀ ୭୨ଘଣ୍ଟା ଭିତ‌େର ଏହା ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରି ପୋରବନ୍ଦର ଏବଂ ମାହୁଭା ମଧ୍ୟରେ ଅତିକ୍ରମ କରିପାରେ। ବାତ୍ୟା ସମୟରେ ପବନର ବେଗ ୧୨୫ରୁ ୧୩୫ କିମି କିମ୍ବା ସ୍ଥଳ ବି​‌େ​‌ଶଷରେ ୧୫୦କିମି ଟପିବାର ସମ୍ଭାବନା ରହିଛି। ୧୨ତାରିଖ ମଧ୍ୟରାତ୍ରି କିମ୍ବା ୧୩ତାରିଖ ସକାଳ ସୁଦ୍ଧା ଗୁଜରାଟ ଉପକୂଳରେ ସ୍ଥଳ ଭାଗ ଅତିକ୍ରମ କରିବାର ସମ୍ଭାବନା ରହିଛି।
ଆଇଏମ୍‌ଡି ସୂଚନାନୁଯାୟୀ, ଆରବ ସାଗରରେ ସୃଷ୍ଟି ହୋଇଥିବା ଝଡ଼ ସମ୍ପ୍ରତି ୩୦୦କିମି ଦୂରରେ ରହିଛି। ଏହାର ପ୍ରଭାବରେ ଆସନ୍ତା ଦୁଇ ଦିନ ମଧ୍ୟରେ ଦେଶର ପଶ୍ଚିମ ଉପକୂଳ ଛୁଇଁବା ସମ୍ଭାବନା ରହିଛି। ଏହି ପରିପ୍ରେକ୍ଷୀରେ ଗୁଜରାଟ ଉପକୂଳରେ ଝଡ଼ବାତ୍ୟା ସମ୍ପର୍କିତ ସତର୍କ ସୂଚନା ଜାରି କରାଯାଇଛି। ସେନା, ତଟରକ୍ଷୀ ଓ ଏନ୍‌ଡିଆରଏଫକୁ ମୁକାବିଲା ପାଇଁ ପ୍ରସ୍ତୁତ ରଖାଯାଇଛି। କେରଳର ବିଭିନ୍ନ ସ୍ଥାନରେ ମୌସୁମି ପ୍ରଭାବରେ ବର୍ଷା ଲାଗି ରହିଛି। ବାୟୁ ପ୍ରଭାବରେ ​କେରଳ ଓ କର୍ଣ୍ଣାଟକରେ ପ୍ରବଳ ବର୍ଷା ସହ ପବନ ବହିବ ବୋଲି ଅନୁମାନ କରାଯାଉଛି। ଲାକ୍ଷାଦ୍ବୀପ, କେରଳ, କର୍ଣ୍ଣାଟକ, ଗୁଜରାଟରେ ଏଥିପାଇଁ ହାଇ ଆଲର୍ଟ ଜାରି କରାଯାଇଛି ଏବଂ ମତ୍ସଜୀବୀଙ୍କୁ ସମୁଦ୍ରକୁ ନଯିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ ସତର୍କ କରିଦିଆଯାଇଛି।
କେରଳରେ ମୌସୁମୀବର୍ଷା ଆରମ୍ଭ ହୋଇଯାଇଥିବାବେଳେ ଓଡ଼ିଶାରେ ପ୍ରଚଣ୍ଡ ତାତି ଲାଗି ରହିଛି। ସାରା ପଶ୍ଚିମ ଓଡ଼ିଶା ଏବେ ଜଳୁଛି। ରାଜ୍ୟର ୧୧ଟି ସ୍ଥାନରେ ଆଜିର ପାରଦ ୪୦ ଡିଗ୍ରୀ ଉପରେ ଥିବାବେଳେ ତାପମାତ୍ରା ହୀରାକୁଦରେ ସର୍ବାଧିକ ୪୪.୮ ଡିଗ୍ରୀ ସେଲସିୟସ ରେକର୍ଡ଼ କରାଯାଇଛି। ସମ୍ବଲପୁରରେ ମଧ୍ୟ ପାରଦ ୪୪ ଡିଗ୍ରୀ ଉପରେ ରହିଛି। ଟିଟିଲାଗଡ଼ ଓ ଝାରସୁଗୁଡ଼ାରେ ୪୩, ବଲାଙ୍ଗିରରେ ୪୨, ସୋନପୁର ଓ ଅନୁଗୋଳରେ ୪୧, ତାଳଚେର, ଫୁଲବାଣୀ ଭବାନୀପାଟଣା ଓ ସୁନ୍ଦରଗଡ଼ରେ ୪୦ ଡିଗ୍ରୀ ଉପରେ ରହିଛି। ତେବେ ଉପକୂଳ ଓଡ଼ିଶାରେ ତାପମାତ୍ରା ୪୦ ଡିଗ୍ରୀ ତଳେ ଥିଲେ ବି ପ୍ରବଳ ଗୁଳୁଗୁଳି ଲାଗି ରହିଛି। ଭୁବନେଶ୍ବର ଓ କଟକରେ ପାରଦ ୩୭ରୁ ୩୮ଡିଗ୍ରୀ ରହିଛି; ମାତ୍ର ଏଠାରେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଅସହ୍ୟ ଗୁଳୁଗୁଳି ଲାଗିରହୁଛି।
ଆସନ୍ତା ୧୪ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ସହିତ ଗ୍ରୀଷ୍ମପ୍ରବାହ ଲାଗିରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ବି​ଶେଷ କରି ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ଦେବଗଡ଼, ଅନୁଗୋଳ, ବରଗଡ଼, ସୋନପୁର, ବଲାଙ୍ଗିର, ନବରଙ୍ଗପୁର, କଳାହାଣ୍ଡି ୧୦ଟି ଜିଲାରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଲାଗି ରହିବ ବୋଲି ସତର୍କ ସୂଚନା ଜାରି କରାଯାଇଛି।
ସେହିପରି ମାଳକାନଗିରି, କୋରାପୁଟ, ନବରଙ୍ଗପୁର, ଗଜପତି, ରାୟଗଡ଼ା, କନ୍ଧମାଳ ଆଦି ଜିଲାରେ କାଳବୈଶାଖୀ ସହିତ ୪୦କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ସମଗ୍ର ପଶ୍ଚିମ ଓଡ଼ିଶାରେ ତାତି ଅବ୍ୟାହତ ରହିବା ସହିତ ରାଜ୍ୟର ଦକ୍ଷିଣ, ଉତ୍ତର ଓ ଉପକୂଳରେ କାଳବୈଶାଖୀ ଅନୁଭୂତ ହେବ। ଏଥିପାଇଁ ଜନସାଧାରଣ ସତର୍କ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।
ଅନ୍ୟପକ୍ଷରେ ସୋମବାର ରାଜଧାନୀ ଦିଲ୍ଲୀର ତାପମାତ୍ରା ସର୍ବକାଳୀନ ରେକର୍ଡ କରିଛି। ଏହାର ସର୍ବୋଚ୍ଚ ତାପମାତ୍ରା ୪୮ଡିଗ୍ରୀ ଅତିକ୍ରମ କରିଥିବାବେଳେ ରାଜସ୍ଥାନର ଢୋଲପୁର ୫୧ଡିଗ୍ରୀ ସହିତ ଦେଶର ସବୁଠୁ ଉତ୍ତପ୍ତ ସହର ପାଲଟିଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ସୂତ୍ର ଅନୁସାରେ ଦିଲ୍ଲୀର ତାପମାତ୍ରା ଇତିହାସ ସୃଷ୍ଟି କରିଛି। ସେହିପରି ଢୋଲପୁରର ତାପମାତ୍ରା ଚଳିତ ଗ୍ରୀଷ୍ମ ଋତୁର ସର୍ବୋଚ୍ଚ ବୋଲି କୁହାଯାଇଛି। ଚଳିତ ଋତୁରେ ଚତୁର୍ଥ ଦିନ ପାଇଁ ରାଜସ୍ଥାନର ତାପମାତ୍ରା ୫୦ଡିଗ୍ରୀ ସେଲ୍‌ସିୟସ ଅତିକ୍ରମ କରିଛି। ରବିବାର ପଶ୍ଚିମ ରାଜସ୍ଥାନର ଶ୍ରଗଙ୍ଗାନଗରର ତାପମାତ୍ରା ଥିଲା ୪୮.୫ଡିଗ୍ରୀ। ପୂର୍ବରୁ ଚୁରୁ ଓ କୋଟାର ଉତ୍ତାପ ୪୮.୩ ଡିଗ୍ରୀରେ ପହଞ୍ଚିଥିଲା।

Comments are closed.