‘ଅମ୍ଫନ’ ଭୟ ଘାରିଲା

ଭୁବନେଶ୍ବର : ବାତ୍ୟା ‘ଅମ୍ଫନ’କୁ ନେଇ ଏବେ ଚାରିଆଡ଼େ ଭୟର ବାତାବରଣ ସୃଷ୍ଟି ହୋଇଛି। ତେବେ ବାତ୍ୟା ଓଡ଼ିଶା ଛୁଇଁବ କି ନା ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ବାତ୍ୟା ଓଡ଼ିଶା, ପଶ୍ଚିମବଙ୍ଗ କିମ୍ବା ବାଂଲାଦେଶ କେଉଁଠି ସ୍ଥଳଭାଗ ଛୁଇଁବ ସେ ବିଷୟରେ କିଛି ସ୍ପଷ୍ଟ ଆକଳନ କରାଯାଇ ନାହିଁ। ଆସନ୍ତା ୧୮ତାରିଖ ସୁଦ୍ଧା ଚିତ୍ର ସ୍ପଷ୍ଟ ହୋଇଯିବ ବୋଲି ପାଣିପାଗ ବିଭାଗ ଓ ପାଣିପାଗ ବି​‌େ​ଶଷଜ୍ଞ ପୂବାନୁମାନ କରିଛନ୍ତି। ତେବେ ବାତ୍ୟା ପ୍ରଭାବରେ ଓଡ଼ିଶା ଉପକୂଳର ୧୨ଟି ଜିଲା ପ୍ରଭାବିତ ହେବାର ଆଶଙ୍କା ରହିଛି। ପାଣିପାଗ ବିଭାଗ ପକ୍ଷରୁ ଜାରି ବୁଲେଟିନ ଅନୁସାରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ଶନିବାର ସକାଳ ସୁଦ୍ଧା ଅବପାତରେ ପରିଣତ ହେବ। ପରବର୍ତ୍ତୀ ୧୨ ଘଣ୍ଟାରେ ଅର୍ଥାତ ଶନିବାର ସନ୍ଧ୍ୟା ସୁଦ୍ଧା ଏହା ଘନୀଭୂତ ହୋଇ ଦକ୍ଷିଣ ବଙ୍ଗୋପସାଗରର କେନ୍ଦ୍ରାଞ୍ଚଳରେ ସାମୁଦ୍ରିକ ବାତ୍ୟାର ରୂପ ନେବ। ୧୭ତାରିଖରେ ଏହା ଉତ୍ତର-ପଶ୍ଚିମରେ ଗତି କରିବ ଏବଂ ୧୮ରୁ ୨୦ ଭିତରେ ମୋଡ଼ ବଦଳାଇ ଉତ୍ତର-ଉତ୍ତର ପୂର୍ବ ଦିଗରେ ଉତ୍ତର ବଙ୍ଗୋପସାଗରକୁ ମୁହଁାଇବ।
ଆସନ୍ତାକାଲିଠାରୁ ଏହାର ପ୍ରଭାବ ଧୀରେ ଧୀରେ ବଢ଼ିବ। ମେଘୁଆ ପାଗ ସହିତ ପବନ ବହିବ। ଆସନ୍ତାକାଲି ଦକ୍ଷିଣ ବଙ୍ଗୋପସାଗରର କେନ୍ଦ୍ରାଞ୍ଚଳ ଏବଂ କେନ୍ଦ୍ରୀୟ ବଙ୍ଗୋପସାଗରରେ ପବନର ବେଗ ୬୫ରୁ ୭୫କିମି ମଧ୍ୟରେ ସୀମିତ ରହିବ। ତେବେ ୧୭ରେ ପୂର୍ବ କେନ୍ଦ୍ରୀୟ ଏବଂ ପାର୍ଶ୍ବବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ଓ ଦକ୍ଷିଣ ବଙ୍ଗୋପସାଗରରେ ପବନର ବେଗ ୭୫ରୁ ୮୦ ଏବଂ ସ୍ଥଳ ବିଶେଷ​‌େ​‌ର ୯୦କିମିରେ ପହଞ୍ଚିବ। ୧୮ତାରିଖରେ ପଶ୍ଚିମ କେନ୍ଦ୍ରୀୟ ଏବଂ ଏହାର ପାର୍ଶ୍ବବର୍ତ୍ତୀ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ପବନର ବେଗ ୮୦ରୁ ୯୦ ଏବଂ ସ୍ଥଳ ବିଶେଷରେ ୧୦୦କିମି ଛୁଇଁପାରେ। ତେବେ ୧୯ତାରିଖ ସୁଦ୍ଧା ପବନର ବେଗ ଆହୁରି ବଢ଼ିବ। ଉତ୍ତର ବଙ୍ଗୋପସାଗର ଏବଂ ଏହାର ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ପବନର ବେଗ ବଢ଼ି ଘଣ୍ଟା ପ୍ରତି ୧୧୦ କିମିରେ ପହଞ୍ଚିବ ବୋଲି ଆକଳନ କରାଯାଇଛି।
ମତ୍ସ୍ୟଜୀବୀମାନେ ଆଜିଠାରୁ ସମୁଦ୍ରକୁ ନଯିବା ପାଇଁ ସତର୍କ କରିଦିଆଯାଇଛି। ବିଶେଷ କରି ୧୮ରୁ ଅଧିକ ବେଗରେ ପବନ ବହିବାର ସମ୍ଭାବନା ଥିବାରୁ ଏ ସମୟରେ ସତର୍କ ରହିବାକୁ କୁହାଯାଇଛି। ଯେଉଁମାନେ ଗଭୀର ସମୁଦ୍ରକୁ ମାଛ ମାରିବାକୁ ଯାଇଛନ୍ତି ସେମାନେ ତୁରନ୍ତ ଫେରି ଆସିବାକୁ ପରାମର୍ଶ ଦିଆଯାଇଛି। ଏଥିପାଇଁ ସମୁଦ୍ର ଉପକୂଳ ଅଞ୍ଚଳ ପାଇଁ ରେଡ଼ ୱାର୍ଣ୍ଣିଂ ଜାରି କରାଯାଇଛି।
ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ବିଭିନ୍ନ ମଡ଼େଲ ଆଧାରରେ ଆକଳନ କରିଛନ୍ତି ଯେ ଲଘୁଚାପ ବାତ୍ୟାରେ ପରିଣତ ହେବା ପରେ ଦକ୍ଷିଣ ବଙ୍ଗୋପସାଗର ଛାଡ଼ି କେନ୍ଦ୍ରୀୟ ବଙ୍ଗୋପସାଗର ଦେଇ ଉତ୍ତରକୁ ଗତି କରିବ। ବାୟୁମଣ୍ଡଳର ଚାପ, ବାହ୍ୟପ୍ରଭାବ ଓ ତାପମାତ୍ରା ଆଦି ବିଷୟ ଆଧାରରେ ଜଣାପଡ଼ିଛି ଯେ ବାତ୍ୟା ଅଗ୍ରସର ହେବା ପାଇଁ ଓଡ଼ିଶା ତୁଳନାରେ ବାଂଲାଦେଶ ଉପକୂଳ ଅଧିକ ଅନୁକୂଳ ରହିଛି। ବାତ୍ୟା ଉତ୍ତର ପୂର୍ବରେ ଗତି କରିବା ସମୟରେ ଓଡ଼ିଶା ଉପକୂଳ ଦେଇ ଅତିକ୍ରମ କରିବ। ଏହା ପଶ୍ଚିମବଙ୍ଗ ସଂଲଗ୍ନ ବାଂଲାଦେଶରେ ସ୍ଥଳଭାଗ ଛୁଇଁପାରେ ବୋଲି ଆକଳନ କରାଯାଉଛି।
ଆସନ୍ତା ୧୮ ତାରିଖ ସନ୍ଧ୍ୟା ସୁଦ୍ଧା ଦକ୍ଷିଣ ଉପକୂଳ, ୧୯ରେ ସମଗ୍ର ଉପକୂଳ​‌େ​‌ର ବର୍ଷା ହେବ। ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକରେ ଅଧିକ ବର୍ଷା ହେବ ଏବଂ ପ୍ରାୟ ୮୦କିମି ବେଗରେ ପବନ ବହିବ। ୨୦ରେ ଉତ୍ତରୁ ଉପକୂଳରେ ଅଧିକ ପ୍ରଭାବ ପଡ଼ିବ। ଏହି ସମୟରେ କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବରରେ ପ୍ରବଳ ବର୍ଷା ହେବ ଏବଂ ପବନ ମଧ୍ୟ ବହିବ।
ଅନ୍ୟ ଏକ ଆକଳନ ଅନୁସାରେ ବାତ୍ୟା ଦିଗ ପରିବର୍ତ୍ତନ କରିବା ସମୟରେ ୧୮ରୁ ୧୯ ଭିତରେ ପୂର୍ବ ଆଡ଼କୁ ଅଧିକ ଗତି କରିବ। ଫଳରେ ଏହା ବାଂଲାଦେଶ ଅଭିମୁଖେ ଗତି କରି ଚିତ୍ତଗଙ୍ଗଠାରେ ସ୍ଥଳଭାଗ ଛୁଇଁପାରେ। ଏହାଫଳରେ ଓଡ଼ିଶା ବର୍ତ୍ତିଯିବା ନେଇ ମଧ୍ୟ ଆକଳନ କରାଯାଉଛି। ତେବେ ୧୮ତାରିଖ ସୁଦ୍ଧା ଚିତ୍ର ସ୍ପଷ୍ଟ ହୋଇଯିବ ବୋଲି ସେ ଆକଳନ କରିଛନ୍ତି। ବର୍ତ୍ତମାନ ବାତ୍ୟା ନେଇ ଏତେ ଆତଙ୍କିତ ହେବାର କାରଣ ନାହିଁ ବୋଲି ସେ ମତ ଦେଇଛନ୍ତି।
ସୋଆ ପାଣିପାଗ ଓ ଜଳବାୟୁ କେନ୍ଦ୍ରର ନିର୍ଦେଶକ ଡ.ଶରତ ଚନ୍ଦ୍ର ସାହୁ କହିଛନ୍ତି ଯେ ବାତ୍ୟା ଦିଗ ବଦଳାଇବା ପରେ ୧୯ତାରିଖ ସନ୍ଧ୍ୟାଠାରୁ ଭୀଷଣ ରୂପ ନେଇପାରେ। ଏହା ୧୭ରୁ ୧୯ ଭିତରେ ତାମିଲନାଡ଼ୁ-ଆନ୍ଧ୍ରପ୍ରଦେଶ-ଓଡ଼ିଶା ଉପକୂଳ ଦେଇ ବଙ୍ଗୋପସାଗରରେ ଗତି କରିବା ସହିତ ମେ ୧୯ ରାତିରେ ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ନିକଟତର ହେବ। ମେ ୨୦ ସନ୍ଧ୍ୟାରେ ଏହା ଓଡ଼ିଶା-ପଶ୍ଚିମବଙ୍ଗ ମଧ୍ୟବର୍ତ୍ତୀ ଅଞ୍ଚଳ କିମ୍ବା ପଶ୍ଚିମବଙ୍ଗର କୌଣସି ଏକ ଅଞ୍ଚଳ ଦେଇ ସ୍ଥଳଭାଗ ଅତିକ୍ରମ କରିପାରେ। ଏହାର ପ୍ରଭାବରେ ଉପକୂଳ ଜିଲା ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ ଓ ବାଲେଶ୍ବର ପ୍ରଭାବିତ ହେବ। ମେ ୧୯ ରାତିରୁ ୨୦ତାରିଖ ରାତି ମଧ୍ୟରେ ବାତ୍ୟାର ବେଗ ଘଣ୍ଟା ପ୍ରତି ୧୨୦କିମି ରେ ପହଞ୍ଚିପାରେ ବୋଲି ସେ ଆକଳନ କରିଛନ୍ତି। ଏହାଦ୍ବାରା ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ ଓ ବାଲେଶ୍ବର ଜିଲା ଅଧିକ ପ୍ରଭାବିତ ହେବ।

Comments are closed.