ବଙ୍ଗୋପସାଗରରେ ଲଘୁଚାପ : ୧୬ରେ ବାତ୍ୟା ରୂପ ନେବ

ଭୁବନେଶ୍ବର : ବଙ୍ଗୋପସାଗରରେ ଆଣ୍ଡାମାନ ନିକଟବର୍ତ୍ତୀ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ଘନୀଭୂତ ହୋଇ ଅବପାତ ରୂପ ନେବା ସହିତ ପରବର୍ତ୍ତୀ ୪୮ଘଣ୍ଟାରେ ଅର୍ଥାତ ଆସନ୍ତା ୧୬ ତାରିଖ ସୁଦ୍ଧା ସାମୁଦ୍ରିକ ବାତ୍ୟାର ରୂପ ନେବ ବୋଲି ଆକଳନ କରାଯାଇଛି। ତେବେ ଏହି ବାତ୍ୟା ଓଡ଼ିଶା ମୁହାଁଇବ କି ନା ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ପାଣିପାଗ ବିଭାଗ ବୁଲେଟିନ ଅନୁସାରେ ଦକ୍ଷିଣପୂର୍ବ ବଙ୍ଗୋପସାଗର ଏବଂ ପାର୍ଶ୍ବବର୍ତ୍ତୀ ଆଣ୍ଡାମାନ ସାଗରରେ ଲଘୁଚାପ ସୃଷ୍ଟି ହୋଇଛି। ଆସନ୍ତା ୧୫ତାରିଖ ସୁଦ୍ଧା ଦକ୍ଷିଣ ବଙ୍ଗୋପସାଗରର କେନ୍ଦ୍ରାଞ୍ଚଳରେ ଏହା ଅବପାତରେ ପରିଣତ ହେବ। ୧୬ତାରିଖ ସନ୍ଧ୍ୟା ସୁଦ୍ଧା ଏହା ଅଧିକ ତୀବ୍ର ରୂପ ନେଇ ଦକ୍ଷିଣ ପଶ୍ଚିମ ଏବଂ ପାର୍ଶ୍ବବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସାମୁଦ୍ରିକ ଝଡ଼ରେ ପରିଣତ ହେବାର ସମ୍ଭାବନା ରହିଛି। ତୀବ୍ର ସାମୁଦ୍ରିକ ଝଡ଼ ରୂପରେ ଆସନ୍ତା ୧୭ତାରିଖ ପର୍ଯ୍ୟନ୍ତ ଏହା ପ୍ରଥମେ ଉତ୍ତର ପଶ୍ଚିମ ଦିଗରେ ଗତି କରିବ। ଏହାପରେ ଝଡ଼ ଦିଗ ବଦଳାଇ ଉତ୍ତର-ଉତ୍ତରପୂର୍ବ ଦିଗରେ ମୁହାଁଇବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି।
ଏହାର ପ୍ରଭାବରେ ଦକ୍ଷିଣ ଓ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆସନ୍ତା ୧୫ସୁଦ୍ଧା ୪୫ରୁ ୫୫କିମି ବେଗରେ ପବନ ବହିବା ସହିତ ଝଡ଼ବର୍ଷା ହୋଇପାରେ ଏବଂ ସ୍ଥଳ ବିଶେଷରେ ପବନର ବେଗ ୬୫ କିମି ପର୍ଯ୍ୟନ୍ତ ବଢ଼ିପାରେ। ୧୬ତାରିଖରେ ଲଘୁଚାପ ସେହି ଅଞ୍ଚଳରେ କେନ୍ଦ୍ରୀଭୂତ ରହିବା ସହିତ ପବନର ବେଗ ୬୫ରୁ ୭୫କିମି ପର୍ଯ୍ୟନ୍ତ ବଢ଼ିବ। ତେବେ ୧୭ତାରିଖ ସୁଦ୍ଧା ପବନର ବେଗ ୭୫ରୁ ୮୫କିମି ପର୍ଯ୍ୟନ୍ତ ବଢ଼ିବାର ସମ୍ଭାବନା ରହିଛି। ୧୫ରୁ ୧୭ ପର୍ଯ୍ୟନ୍ତ ଲଘୁଚାପ ଦକ୍ଷିଣ ଓ କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ରହିବ।
ଝଡ଼ବାତ୍ୟା ପ୍ରଭାବରେ ସମୁଦ୍ରଅଶାନ୍ତ ରହିବାର ସମ୍ଭାବନା ଥିବାରୁ ୧୫ତାରିଖଠାରୁ ମତ୍ସ୍ୟଜୀବୀ ସମୁଦ୍ରକୁ ନଯିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ ସତର୍କ କରିଦିଆଯାଇଛି। ଯେଉଁମାନେ ସମୁଦ୍ରରେ ଅଛନ୍ତି ସେମାନେ ଆସନ୍ତାକାଲି ସୁଦ୍ଧା ଫେରିଆସିବାକୁ ପରାମର୍ଶ ଦିଆଯାଇଛି। ତେବେ ଓଡ଼ିଶା ପାଇଁ ଆସନ୍ତା ୧୭ତାରିଖ ସୁଦ୍ଧା କୌଣସି ସତର୍କ ସୂଚନା ଦିଆଯାଇ ନଥିବା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜଣାପଡ଼ିଛି।
ବିଭିନ୍ନ ପାଣିପାଗ ମଡ଼େଲ ଆଧାରରେ ପାଣିପାଗ ବିଶେଷଜ୍ଞ ତଥା ଓୟୁଏଟିର ପୂର୍ବତନ କୁଳପତି ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ ଅନୁସାରେ ଆସନ୍ତା ୧୭ରେ ଲଘୁଚାପ ସିଭିୟର ଏବଂ ୧୮ରେ ଅତି ସିଭିୟର ରୂପ ନେବ। ଓଡ଼ିଶାକୁ ଏବେ ପଶ୍ଚିମା ପବନ ବହୁଛି। ବାୟୁର ଚାପରୁ ଜଣାପଡ଼ୁଛି ଲଘୁଚାପ ୧୭ ପରେ ଦିଗ ବଦଳାଇ ଉତ୍ତର ଏବଂ ଉତ୍ତର ପୂର୍ବ ଦିଗରେ ଗତି କରିବ। ଏହା ଓଡ଼ିଶା ଉପକୂଳଠାରୁ ହୁ ଦୂରରେ ରହିବ ତେଣୁ ଓଡ଼ିଶା ଉପରେ ପ୍ରଭାବ ପଡ଼ିବାର ସମ୍ଭାବନା କମ।
ଜିଏଫଏସ ମଡ଼େଲରୁ ଜଣାପଡ଼ୁଛି ଯେ ୧୯ ସୁଦ୍ଧା ବାତ୍ୟା ଓଡ଼ିଶା ଉପକୂଳ ସ୍ପର୍ଶ କରିପାରେ। ହେଲେ ଏ ନେଇ ଆଇଏମଡ଼ି କିଛି ସ୍ପଷ୍ଟ କରିନାହିଁ। ଭାରତ ସରକାରଙ୍କ ଏନସିୟୁଏମ ମଡ଼େଲ କହୁଛି ବାତ୍ୟା ହେଲେ ଏହା ଆନ୍ଧ୍ର ଉପକୂଳ ଅତିକ୍ରମ କରିପାରେ। ଏହାଫଳରେ ଛତିଶଗଡ଼ ଏବଂ ଓଡ଼ିଶା ଉପରେ ପ୍ରଭାବ ପଡ଼ିବାର ସମ୍ଭାବନା ରହିଛି। ବାତ୍ୟା ଉତ୍ତରପଶ୍ଚିମ ଦିଗରେ ଗତି କରି ଆନ୍ଧ୍ର ମୁହାଁ।ହୋଇପାରେ।
ଅନ୍ୟ ଏକ ମଡ଼େଲରୁ ଜଣାପଡ଼ିଛି ଯେ ଭାରତର ପୂର୍ବ ଉପକୂଳରେ ସମାନ୍ତରାଳ ଗତିପଥରେ ଅତିକ୍ରମ କରିବା ସମୟରେ ବାତ୍ୟା ଓଡ଼ିଶା ସହିତ ଧସି ହୋଇଯାଇପାରେ। ବାତ୍ୟା ଆସନ୍ତା ୨୦ ପରେ ବାଂଲାଦେଶର ଚିତ୍ତଗଙ୍ଗ ଅଞ୍ଚଳକୁ ଗତି କରିପାରେ ବୋଲି ମଧ୍ୟ ଆକଳନ କରାଯାଉଛି। ତେବେ ଆସନ୍ତା ୧୯ ଓ ୨୦ ତାରିଖ ମଧ୍ୟରେ ବାତ୍ୟାର ଗତିବିଧି ସଠିକ ଜଣାପଡ଼ିବ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି।

Comments are closed.