ସାଇକଲ ପ୍ରତିଯୋଗିତାରେ ଭୁବନେଶ୍ବର ଦେଶରେ ଦ୍ବିତୀୟ

ଭୁବନେଶ୍ୱର: ଏପଟେ ଚୋରି, ସେପଟେ ପୁରସ୍କାର। ମୋ ସାଇକଲକୁ ନେଇ ରାଜଧାନୀରେ ଚର୍ଚ୍ଚା ଥମିନଥିବାବେଳେ ବୁଧବାର ସାଇକଲ ପ୍ରତିଯୋଗିତାରେ ଦେଶରେ ଦ୍ବିତୀୟ ହୋଇଛି ଭୁବନେଶ୍ବର।
ପୁରସ୍କାର ବାବଦରେ କୋଟିଏ ଟଙ୍କା ମିଳିବ ବୋଲି ବୁଧବାର ଘୋଷଣା ହୋଇଛି। ଭୁବନେଶ୍ବର ସ୍ମାର୍ଟସିଟିର ମୋ ସାଇକଲ କବାଡ଼ିଖାନାରେ। ସାଇକଲ ଚୋରି ହୋଇଥିବାରୁ ମାମଲାର ତଦନ୍ତ ଜାରି ରହିଛି। ସାଇକଲ କେଉଁଠି ଗଛ ଉପରେ ଲଟକିଛି ତ ଆଉ କେଉଁଠି ରାସ୍ତାକଡ଼, ଖୋଲା ସ୍ଥାନରେ ପଡ଼ି ଖତ ଖାଉଛି। ସ୍ବତନ୍ତ୍ର ପଥ ଜବରଦଖଲରେ ରହିଥିବାବେଳେ ରଙ୍ଗ ଛାଡ଼ି ନିଶ୍ଚିହ୍ନ ହୋଇଯାଇଛି।

ଭୁବନେଶ୍ବରର ସ୍ମାର୍ଟସିଟି ମୋ ସାଇକଲରେ ମହାଦୁର୍ନୀତି କରିଥିବା ଅଭିଯୋଗରେ ବିଜେପି ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ତଦନ୍ତ ପାଇଁ ଅଦାଲତର ଦ୍ବାରସ୍ଥ ହୋଇଛି। ହେଲେ ବୁଧବାର କେନ୍ଦ୍ର ସରକାର ସାଇକଲ୍ସ ଫର ଚେଞ୍ଜ ଚାଲେଞ୍ଜର ପ୍ରଥମ ପର୍ଯ୍ୟାୟ ପ୍ରତିଯୋଗିତାରେ ଶ୍ରେଷ୍ଠ ୧୧ ସହରକୁ ସମ୍ମାନ ପ୍ରଦାନ କରିଥିବାବେଳେ ଏଥିରେ ଭୁବନେଶ୍ବର ଦ୍ବିତୀୟ ସ୍ଥାନ‌ ଅଧିକାର କରିଛି।‌

ପବ୍ଲିକ ବାଇସାଇକଲ ସେୟାରିଂ (ପିବିଏସ୍‌) ପାଇଁ ବିଏସ୍‌ସିଏଲ୍‌ କଡ଼ା ସମାଲୋଚନାର ଶିକାର ହୋଇ ଥିବାବେଳେ ବୁଧବାର ଏହି ବ୍ୟବସ୍ଥା ପାଇଁ ପୁରସ୍କାର ପାଇଛି। ପୁରସ୍କାର ସହିତ ଉକ୍ତ ପ୍ରତିଯୋଗିତାର ଦ୍ବିତୀୟ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ସାଇକଲ୍ସ ଫର ଚେଞ୍ଜ ଚାଲେଞ୍ଜ ପ୍ରତିଯୋଗିତାରେ ଭାରତ ସରକାର ଶୀର୍ଷରେ ଥିବା ୧୧ ସହରକୁ ପୁରସ୍କୃତ କରିଛନ୍ତି। ଏହି ସହରଗୁଡ଼ିକୁ ସାଇକଲ ଚାଳନା ପ୍ରକ୍ରିୟାର ଅଗ୍ରଦୂତ ଭାବେ ସମ୍ମାନିତ କରାଇଛି। ଏଥିରେ କର୍ଣ୍ଣାଟକର ବେଙ୍ଗାଲୁରୁ ଶୀର୍ଷରେ ଥିବାବେଳେ ଓଡ଼ିଶାର ଭୁବନେଶ୍ବର ଦ୍ବିତୀୟ ସ୍ଥାନରେ‌ ରହିଛି। ପଞ୍ଜାବ ଓ ହରିୟାଣାର ଚଣ୍ଡିଗଡ଼ ତୃତୀୟରେ ରହିଛି। ବୁଧବାର ଆଭାସି ମାଧ୍ୟମରେ ଗୃହ ଏବଂ ନଗର ବ୍ୟାପାର ମନ୍ତ୍ର‌ାଳୟର ସଚିବ ଦୁର୍ଗାଶଙ୍କର ମିଶ୍ର ଶ୍ରେଷ୍ଠ ୧୧ ବିଜେତା ସହରଗୁଡ଼ିକର ନାମ ଘୋଷଣା କରିଛନ୍ତି।

ବିଏସ୍‌ସିଏଲ୍‌ କାର୍ଯ୍ୟନିର୍ବାହୀ ଅଧିକାରୀ ସଞ୍ଜୟ ସିଂହ କହିଛନ୍ତି, ପ୍ରତିଯୋଗିତାର ଦ୍ବିତୀୟ ପର୍ଯ୍ୟାୟ ନିମନ୍ତେ ଆମେ ସହରରେ ନିୟମିତ ସାଇକଲ ଚାଳନା କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରିବୁ। ଜନସାଧାରଣଙ୍କ ମଧ୍ୟରେ ସାଇକଲ ଚାଳନା ବୃଦ୍ଧି ନିମନ୍ତେ ବିଭିନ୍ନ ପଦକ୍ଷେପ ନେବୁ। ଅର୍ବାନ ପ୍ଲାନର ପୀୟୁଷ ରାଉତ କହିଛନ୍ତି, ଏଥିରେ ବିସ୍ମିତ ହେବାର କିଛି ନାହିଁ। ପରଦା ପଛର ନାୟକ ଭାବେ ସ୍ମାର୍ଟସିଟି କାର୍ଯ୍ୟ କରିଛି।

Comments are closed.