ଭୋଜି ଖର୍ଚ୍ଚ ତାଲିକା ମାଗି କ୍ୟାଟରିଂ ବ୍ୟବସାୟୀଙ୍କଠାରୁ ୧ ଲକ୍ଷ ଠକିନେଲେ ସାଇବର ଲୁଟେରା

ସମ୍ବଲପୁର: ସମ୍ବଲପୁର ଜିଲାରେ ଦିନକୁ ଦିନ ସାଇବର ଅପରାଧ ବୃଦ୍ଧି ପାଉଥିବା ବେଳେ ଏଥିରେ ଅଙ୍କୁଶ ଲଗାଇବାରେ ପୁଲିସ ବିଫଳ ହେଉଥିବା ଲକ୍ଷ୍ୟ କରାଯାଉଛି। ଗତବର୍ଷ ଜୁନରେ ଘଟିଥିବା ୨୮ ଲକ୍ଷ ଟଙ୍କାର ସାଇବର ଠକେଇ ଅପରାଧୀ ଧରାପଡ଼ିବାର ୪୮ ଘଣ୍ଟା ନ ପୂରୁଣୁ ଜଣେ ବ୍ୟବସାୟୀଙ୍କଠାରୁ ସାଇବର ଠକମାନେ ୧ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଭୋଜି ଖର୍ଚ୍ଚ ତାଲିକା ମାଗି ସାଇବର ଠକମାନେ ସମ୍ପୃକ୍ତ ବ୍ୟବସାୟୀଙ୍କ ଆକାଉଣ୍ଟରୁ ଏହି ଟଙ୍କା ନେଇଯାଇଛନ୍ତି।

ସୂଚନା ଅନୁସାରେ, ଗତ ଶନିବାର ସନ୍ଧ୍ୟାରେ ଟାଉନ ଥାନା ଅଞ୍ଚଳର ଜଣେ କ୍ୟାଟରିଂ ବ୍ୟବସାୟୀଙ୍କ ନିକଟକୁ ଏକ ଫୋନ କଲ ଆସିଥିଲା। ଫୋନ କରିଥିବା ବ୍ୟକ୍ତି ଜଣକ ନିଜକୁ ସେନା ଧିକାରୀ ଏବଂ ସେ ବୁଢ଼ାରଜା ଅଞ୍ଚଳରେ ରହୁଥିବା ପରିଚୟ ଦେଇ ତାଙ୍କ ପୁଅର ଜନ୍ମଦିନ ଉତ୍ସବ ପାଇଁ କ୍ୟାଟରିଂ ଆବଶ୍ୟକ କରୁଥିବା କହିଥିଲେ। ବ୍ୟବସାୟୀ ଜଣକ ତାଙ୍କର ନମ୍ବର କେଉଁଠାରୁ ପାଇଲେ ବୋଲି ପଚାରିବାରୁ ସେ ଆଉ ଜଣେ ଟେଣ୍ଟ ହାଉସ ମାଲିକ ଦେଇଛି ବୋଲି କହିବା ସହିତ ପ୍ରାୟ ୨୫୦ ବ୍ୟକ୍ତିଙ୍କ ପାଇଁ ଖାଦ୍ୟପେୟ ଓ ଅନ୍ୟାନ୍ୟ ଟେଣ୍ଟ ସାମଗ୍ରୀର ଯୋଗାଡ କରିବା ପାଇଁ ପଚାରିଥିଲେ। ତେଣୁ ବ୍ୟବସାୟୀ ଜଣକ ତାଙ୍କୁ ବିଶ୍ଵାସ କରି ଭୋଜିରେ କେତେ ଖର୍ଚ୍ଚ ହେବ ତାହାର ତାଲିକା ହ୍ୱାଟ୍‌ପ ଜରିଆରେ ପଠାଇଥିଲେ। ରବିବାର ସକାଳେ ବ୍ୟବସାୟୀଙ୍କୁ ଜନ୍ମଦିନ ଉତ୍ସବର ଆୟୋଜନ ପାଇଁ ଅଗ୍ରିମ ଟଙ୍କା ଦେବାକୁ କହି ତାଙ୍କ ଆକାଉଣ୍ଟକୁ ଗୁଗୁଲ ପେ’ ଜରିଆରେ ୧୦ ଟଙ୍କା ପ୍ରେରଣ କରିଥିଲେ। ଏହାର କିଛି ସମୟ ପରେ ସେ ଫୋନ କରି ଆହୁରି ୪୯ ହଜାର ୯୦୦ ଟଙ୍କା ପଠାଇଥିବା କହିଥିଲେ ଏବଂ ଟଙ୍କା ପହଞ୍ଚିଲା କି ନାହିଁ ତାହା ଜଣାଇବାକୁ କହିଥିଲେ।

ତେବେ ଟଙ୍କା ପହଞ୍ଚି ନ ଥିବା ନେଇ ବ୍ୟବସାୟୀ ଜଣକ ସମ୍ପୃକ୍ତ ଠକକୁ କହିଥିଲେ। ଏହା ପରେ ଠକ ଜଣକ ବ୍ୟବସାୟୀଙ୍କୁ ଫୋନ ମାଧ୍ୟମରେ ଚେକିଂ କରିବାକୁ କହି ତାଙ୍କ ଅଜାଣତରେ ୨ଟି କିସ୍ତିରେ ସମୁଦାୟ ୧ ଲକ୍ଷ ଟଙ୍କା ଠକି ନେଇଥିଲେ। ଆକାଉଣ୍ଟରୁ ଟଙ୍କା କଟିବା ବିଷୟରେ ଅବଗତ ହେବା ପରେ ବ୍ୟବସାୟୀ ଜଣକ ଠକେଇର ଶିକାର ହୋଇଥିବା ଜାଣି ସାଇବର ଥାନାକୁ ଯାଇଥିଲେ। କିନ୍ତୁ ୩ ଲକ୍ଷ ଟଙ୍କାରୁ କମ ଠକେଇ ହୋଇଥିବାରୁ ତାଙ୍କୁ ଟାଉନ ଥାନାକୁ ଯିବାକୁ ସାଇବର ଥାନା ପକ୍ଷରୁ ପରାମର୍ଶ ଦିଆଯାଇଥିଲା। ଫଳରେ ସେ ଟାଉନ ଥାନାରେ ଅଭିଯୋଗ କରିବାରୁ ସୋମବାର ଏକ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଛି ବୋଲି ଥାନା ଅଧିକାରୀ କହିଛନ୍ତି।

ଅପରପକ୍ଷରେ ଏବେ ମଧ୍ୟ ଠକ ଜଣକ ଉକ୍ତ ବ୍ୟବସାୟୀଙ୍କୁ ଫୋନ କରି ଭୁଲରେ ଟଙ୍କା ତାଙ୍କ ଆକାଉଣ୍ଟକୁ ଚାଲିଯାଇଥିବା ଏବଂ ତାହାକୁ ସେ ଫେରସ୍ତ କରିବା ପାଇଁ କହିବା ସହିତ ଅନ୍ୟ କାହାର ଏଟିଏମ କାର୍ଡ ନମ୍ବର ଦେବା ପାଇଁ କହୁଛନ୍ତି। କିନ୍ତୁ ପୁଲିସ ତ୍ଵରିତ କାର୍ଯ୍ୟାନୁଷ୍ଠାନ ନେଇ ନ ଥିବା ଜଣାପଡ଼ିଛି। ପୁଲିସର ଏଭଳି ଶିଥିଳ କାର୍ଯ୍ୟାନୁଷ୍ଠାନ ଯୋଗୁ ସମ୍ବଲପୁର ତଥା ପଶ୍ଚିମ ଓଡିଶାରେ ସାଇବର ଲୁଟେରାଙ୍କ ଦୌରାତ୍ମ୍ୟ ବହୁଗୁଣରେ ବୃଦ୍ଧି ପାଉଥିବା ସାଧାରଣରେ ଆଲୋଚନା ହେଉଛି।

Comments are closed.