ସାଇବର ଠକେଇ: ଟଙ୍କା ମିଳୁଛି, ଧରାପଡୁନାହାନ୍ତି ଅପରାଧୀ

ଭୁବନେଶ୍ବର: ସାଇବର ଅପରାଧୀ ପ୍ରତ୍ୟେକ ଦିନ ରାଜ୍ୟରେ ଏକାଧିକ ଲୋକଙ୍କୁ ଠକୁଛନ୍ତି। ଏହି ଅଦୃଶ୍ୟ ଅପରାଧୀଙ୍କ କବଳରୁ ଟଙ୍କା ଫେରାଇ ଆଣିବା ଲାଗି କମିସନରେଟ୍‌ ପୁଲିସ ପକ୍ଷରୁ ଉଦ୍ୟମ ପ୍ରଶଂସନୀୟ। ହେଲେ ୬ମାସ ମଧ୍ୟରେ ରାଜ୍ୟରୁ ୫ କୋଟିରୁ ଅଧିକ ଲୁଟି ନେଇସାରିଲେଣି। ଗୋଟିଏ ହେଲେ ମାମଲାରେ କମିସନରେଟ୍‌ ପୁଲିସ କାହାରିକୁ ଗିରଫ କରିପାରିନାହିଁ। ସାଇବର ଅପରାଧୀଙ୍କ ଥଳକୂଳ ପାଉ ନ ଥିବା ପୁଲିସକୁ ନିକଟରେ ମିଳିଛି ସଫଳତା। ସହିଦନଗର ଥାନାର ଏକ ସାଇବର ଠକେଇ ମାମଲାର ତଦନ୍ତ କରିବା ବେଳେ ସିମ୍‌କାର୍ଡ ଜାଲିଆତି କରୁଥିବା ଦଳର ୭ ଜଣଙ୍କୁ ଠାବ କରିଛି। ଏହି ମାମଲାର ଚେର ଖୋଜିବାକୁ ପୁଲିସ ରାଜ୍ୟ ବାହାରକୁ ଗଲେ ସାଇବର ଅପରାଧୀ ଧରାପଡ଼ିବେ ବୋଲି ଆଶା କରାଯାଉଛି।

କମିସନରେଟ୍‌ ପୁଲିସର ସାଇବର ସେଲ୍‌ ସୂଚନା ଅନୁସାରେ ଗତ ଜୁନ୍ ମାସରେ ସାଇବର ଅପରାଧୀ ରାଜ୍ୟରେ ୪୬୩ ଜଣଙ୍କୁ ଠକିଛନ୍ତି। ରାଜଧାନୀର ୨୨୯ ଜଣଙ୍କଠାରୁ ସାଇବର ଅପରାଧୀ ୮୩, ୦୮,୬୬୨ ଟଙ୍କା ଠକେଇ କରିଥିବା ବେଳେ ସାରା ରାଜ୍ୟରୁ ୧,୫୩,୨୯,୭୮୦ ଟଙ୍କା ଠକେଇ କରିଛନ୍ତି। କମିସନରେଟ୍‌ ସାଇବର ସେଲ୍‌ର ଅଧିକାରୀ ବହୁ ଉଦ୍ୟମ କରି ୧୫,୦୫,୮୦୦ ଟଙ୍କା ଫେରସ୍ତ ଆଣିବାରେ ସକ୍ଷମ ହୋଇଛନ୍ତି। ଜୁନ୍ ମାସରେ କମିସନରେଟ୍‌ ପୁଲିସରେ ୧୪ଟି ମାମଲା ରୁଜୁ ହୋଇଛି। ସାଇବର ଅପରାଧୀ ଠକେଇ ଲାଗି ବ୍ୟବହାର କରୁଥିବା ୬୭ଟି ମୋବାଇଲ୍‌ ଫୋନ୍‌ ସଂଖ୍ୟାକୁ ବନ୍ଦ କରିଛି। ଭୁବନେଶ୍ବର ସହରାଞ୍ଚଳ ଜିଲାରେ ୯୩ ଜଣଙ୍କଠାରୁ ୟୁପିଆଇ ମାଧ୍ୟମରେ ଠକେଇ କରାଯାଇଥିବା ବେଳେ ୭୭ ଜଣଙ୍କର କ୍ରେଡିଟ୍‌/ଡେବିଟ୍‌ କାର୍ଡ ମାଧ୍ୟମରେ ଠକେଇ ହୋଇଛି। ସେହିପରି ୫୯ ଜଣଙ୍କୁ ଟେଲିଫୋନ୍‌ ମାଧ୍ୟମରେ ଯୋଗାଯୋଗ କରି ଠକେଇ ହୋଇଥିବା କମିସନରେଟ୍‌ ପୁଲିସ ସୂତ୍ରରୁ ଜଣାପଡ଼ିଛି।

Comments are closed.