ମାତିଛନ୍ତି ସାଇବର ଠକ

ମାସକରେ ନେଇଗଲେ ୮୪ ଲକ୍ଷ ୭୮ ହଜାର, ଫେରି ପାଇଲେ ମାତ୍ର ୨ ଲକ୍ଷ ୫୩ ହଜାର

ଭୁବନେଶ୍ବର : ରାଜଧାନୀରେ ମାତିଛନ୍ତି ସାଇବର ଠକ। ସାମାନ୍ୟ ଅସାବଧାନତା ଏବଂ ଭୁଲ କାରଣରୁ ଲୋକମାନେ କ୍ଷଣିକରେ ଲକ୍ଷ ଲକ୍ଷ ଟଙ୍କା ହରାଉଛନ୍ତି।  ପ୍ରତ୍ୟେକ ଦିନ ଲୋକଙ୍କୁ ଠକିବା ନେଇ ନୂଆ କୌଶଳ ଆପଣାଉଛନ୍ତି। ଗତ ମାର୍ଚ୍ଚ ମାସରେ କମିସନରେଟ ପୁଲିସର ସାଇବର ହେଲ୍‌ପ ଡେସ୍କକୁ  ଠକେଇ ବାବଦକୁ ମୋଟ ୬୨୯ଟି ଫୋନ୍‌ କଲ୍‌ ଆସିଥିଲା। ସେଥି ମଧ୍ୟରେ କେବଳ ଭୁବନେଶ୍ବରରୁ ୩୧୦ଟି କଲ୍‌ ରିସିଭ କରାଯାଇ ଘଟଣାର ତଦନ୍ତ ଚାଲିଛି।

ପୁଲିସ ସୂଚନା ମୁତାବକ ମୁଖ୍ୟତଃ ସାଧାରଣ ଲୋକେ ୩ ପ୍ରକାର ଠକେଇର ଶିକାର ହେଉଛନ୍ତି। ୟୁପିଆଇ ମାଧ୍ୟମରେ ୧୭୦ଟି ଠକେଇ, କ୍ରେଡିଟ କିମ୍ବା ଡେବିଟ କାର୍ଡରେ ୮୦ଟି ଠକେଇ, ଅନ୍ୟାନ୍ୟ ଉପାୟରେ ପ୍ରାୟ ୩୭୯ଟି ସାଇବର ଠକେଇ ହୋଇଛି। ମାର୍ଚ୍ଚ ମାସରେ କେବଳ ରାଜଧାନୀରେ ୮୪ଲକ୍ଷ ୭୮ହଜାର ୩୯୪ ଟଙ୍କାର ସାଇବର ଠକେଇ ହୋଇଥିଲା। ତେବେ ସେଥିମଧ୍ୟରୁ ୨ଲକ୍ଷ ୫୩ ହଜାର ୬୪୭ଟଙ୍କା ଫେରାଇ ଆଣିବାରେ କିମ୍ବା ବ୍ଲକ କରିବାରେ ପୁଲିସ ସକ୍ଷମ ହୋଇଛି। ଠକେଇର ସମ୍ମୁଖୀନ ହୋଇଥିବା ଲୋକମାନେ ଏହି ଟଙ୍କା ଫେରି ପାଇବେ ବୋଲି ପୁଲିସ କହିଛି। ଅପରପକ୍ଷରେ ସାଇବର ଠକେଇରେ ରୋକ ଲଗାଇବାକୁ ହେଲେ ଅନଲାଇନ ଦେଣନେଣ ବେଳେ ଲୋକମାନେ ନିଜ ନିଜ ସ୍ତରରେ ଅଧିକ ସତର୍କ ହେବା  ଜରୁରୀ ବୋଲି ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ା

Comments are closed.