ମାସକରେ ସାଇବର ଅପରାଧୀ ଠକି ନେଲେ ୬୦ ଲକ୍ଷ

ଭୁବନେଶ୍ବର: ସାଇବର ଅପରାଧୀ ଗତ ସେପ୍‌ଟେମ୍ବର ମାସରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ୬୦.୪୮ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଠକାମିର ସମ୍ମୁଖୀନ ହୋଇଥିବା ବ୍ୟକ୍ତିବିଶେଷ କମିସନରେଟ୍‌ ପୁଲିସ ସାଇବର ଅପରାଧ ସହାୟତା କେନ୍ଦ୍ରକୁ ଯୋଗାଯୋଗ କରିଥିଲେ। ମୋଟ ୪୮୫ ଜଣ ସେପ୍‌ଟେମ୍ବର ମାସରେ ସାଇବର ସହାୟତା କେନ୍ଦ୍ରରେ ଅଭିଯୋଗ କରିଥିଲେ। ସେମାନଙ୍କଠାରୁ ଦୁର୍ବୃତ୍ତମାନେ ବିଭିନ୍ନ ବାହାନାରେ ୬୦,୪୮,୪୮୫ ଟଙ୍କା ଠକି ନେଇଛନ୍ତି। ରାଜଧାନୀରୁ ୨୩୧ ଜଣ ଅଭିଯୋଗ କରିଥିବା ବେଳେ ରାଜ୍ୟର ବିଭିନ୍ନ ସ୍ଥାନରୁ ୨୫୪ ଜଣ ଠକାମି ହୋଇଥିବା ନେଇ ସାଇବର ସହାୟତା କେନ୍ଦ୍ରକୁ ଯୋଗାଯୋଗ କରିଥିଲେ ବୋଲି ଜଣାପଡିଛି।

ଉପଯୁକ୍ତ ସମୟ ଅର୍ଥାତ ଠକାମିର ଏକ ଘଣ୍ଟା ମଧ୍ୟରେ ଯେଉଁମାନେ ସାଇବର ସହାୟତା କେନ୍ଦ୍ରକୁ ଯୋଗାଯୋଗ କରିଛନ୍ତି ସେମାନଙ୍କର ଟଙ୍କା ଫେରସ୍ତ କରାଯାଇପାରିଛି। ସାଇବର ସହାୟତା କେନ୍ଦ୍ରର ଅଭିଜ୍ଞ କର୍ମଚାରୀମାନେ ୧୭,୪୫,୬୧୪ ଟଙ୍କା ସାଇବର ଅପରାଧୀଙ୍କଠାରୁ ଫେରାଇ ଆଣିବାରେ ସକ୍ଷମ ହୋଇଛନ୍ତି। ୟୁପିଆଇ ମାଧ୍ୟମରେ ୧୩୬ ଜଣଙ୍କୁ ଠକେଇ କରାଯାଇଥିବା ବେଳେ କ୍ରେଡିଟ୍‌ କାର୍ଡ ବାବଦରେ ୩୦ ଜଣ ଏବଂ ଟେଲିଫୋନ୍‌ରେ ଯୋଗାଯୋଗ କରି ୬୫ ଜଣଙ୍କୁ ଠକେଇ କରାଯାଇଛି। ଠକେଇ ବାବଦରେ ବ୍ୟବହୃତ ହୋଇଥିବା ୭୨ଟି ଟେଲିଫୋନ୍‌ ନମ୍ବରକୁ ଅଚଳ କରାଯାଇଥିବା ଜଣାପଡିଛି।

Comments are closed.