କ୍ରିକେଟ ବେଳେ ଭାରତ ଉପରେ ପାକିସ୍ତାନର ସାଇବର ଆକ୍ରମଣ

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଦୀର୍ଘ ବର୍ଷ ବ୍ୟବଧାନରେ ଗତ ଅକ୍ଟୋବର ୨୪ରେ ଖେଳା ଯାଇଥିଲା କ୍ରିକେଟ। ଟି-୨୦ ବିଶ୍ବକପ୍‌ ପ୍ରତିଯୋଗିତାର ଏହି ଖେଳରେ ଭାରତ ପ୍ରଥମ ଥର ପାକିସ୍ତାନୀ ଆକ୍ରମଣରେ ଧରାଶାୟୀ ହୋଇଥିଲା। ସେଦିନ ପାକିସ୍ତାନ ପକ୍ଷରୁ ଭାରତ ଉପରେ ଏହି ଆକ୍ରମଣ କେବଳ କ୍ରିକେଟରେ ସୀମିତ ନ ଥିଲା; ବରଂ ସାଇବର କ୍ଷେତ୍ରରେ ବହୁଗୁଣ ଅଧିକ ଥିଲା।

ସୂଚନାନୁଯାୟୀ, ଅକ୍ଟୋବର ୨୪ରେ ଭାରତ ଉପରେ ପାକିସ୍ତାନ ପକ୍ଷରୁ ୪ ଲକ୍ଷ ୯୦ ହଜାର ସାଇବର ଆକ୍ରମଣ ହୋଇଥିଲା। ଏହା ଖେଳର ୬ ଦିନ ପୂର୍ବରୁ ଆରମ୍ଭ ହୋଇଥିଲା ଓ ଖେଳ ଦିନ ସର୍ବାଧିକ ପ୍ରାୟ ୩ ଲକ୍ଷ ଆକ୍ରମଣ ହୋଇଥିଲା ବୋଲି ଟେଲି ଯୋଗାଯୋଗ ସମୀକ୍ଷା ସଂସ୍ଥା ‘ସବେକ୍ସ’ର ସାଇବର ସୁରକ୍ଷା ବିଭାଗ ‘ସେକ୍‌ଟ୍ରିଓ’ ପକ୍ଷରୁ ଏହି ସୂଚନା ଦିଆଯିବା ସହ କୌଣସି କ୍ରୀଡ଼ାକୁ ନେଇ ଏଭଳି ସାଇବର ଆକ୍ରମଣ ଉପମହାଦେଶରେ ପ୍ରଥମ ବୋଲି କୁହାଯାଇଛି। ଭାରତରେ ସକ୍ରିୟ ‘ହନି ପଟ୍ସ ନେଟ୍‌ୱର୍କ’ ମାଧ୍ୟମରେ ଆକ୍ରମଣର ସୂଚନା ମିଳିଥିବା ସେକ୍‌ଟ୍ରିଓ ଦର୍ଶାଇଛି। ଅଧିକାଂଶ ସାଇବର ଆକ୍ରମଣ ପ୍ରତ୍ୟକ୍ଷ ଭାବେ ପାକିସ୍ତାନୀ ଆଇପି ଠିକଣାରୁ ହୋଇଥିବା ଏବଂ ୨୪ତାରିଖ ରାତି ୯ଟାରୁ ଏହା ବୃଦ୍ଧି ପାଇଥିବା ହନି ପଟ୍ସରୁ ସ୍ପଷ୍ଟ ହୋଇଛି। ପାକିସ୍ତାନ ବ୍ୟତୀତ ଦକ୍ଷିଣ-ପୂର୍ବ ଏସିଆ ଏବଂ ପୂର୍ବ ୟୁରୋପ୍‌ରୁ ମଧ୍ୟ କିଛି ଆକ୍ରମଣ ହୋଇଥିବାର ପ୍ରମାଣ ମିଳିଥିବା ପ୍ରକାଶ।

Comments are closed.