କ୍ରିକେଟ ବିଶ୍ବକପ୍ : ଆଫ୍‌ଗାନିସ୍ତାନକୁ ପରାସ୍ତ କରିବା ଲକ୍ଷ୍ୟରେ ପାକିସ୍ତାନ

ଲିଡ୍‌ସ : ୨ଟି ମ୍ୟାଚ୍‌ର ଫଳାଫଳ ଚଳିତ ବିଶ୍ବକପ୍‌କୁ ଜୀବନ୍ତ କରିଦେଇଛି। ଇଂଲଣ୍ଡକୁ ଶ୍ରୀଲଙ୍କା ଏବଂ ନ୍ୟୁଜିଲାଣ୍ଡକୁ ପାକିସ୍ତାନ ପରାସ୍ତ କରିବା ପରେ ସେମିଫାଇନାଲର ଦୌଡ଼ ବେଶ୍ ପ୍ରତିଦ୍ବନ୍ଦ୍ବିତାମୂଳକ ହୋଇଯାଇଛି। ବିଶ୍ବକପ୍‌ର ଶେ​‌ଷ ୨ ସପ୍ତାହ ଔପଚାରିକ ହୋଇ ରହିଯିବ ବୋଲି ଯେଉଁମାନେ କହୁଥିଲେ; ସେମାନେ ଭୁଲ୍ ପ୍ରମାଣିତ ହୋଇଛନ୍ତି। ସେମିଫାଇନାଲ ଦୌଡ଼ରେ ଥିବା ଅନ୍ୟତମ ଦଳ ହେଉଛି ପାକିସ୍ତାନ। ଏହାର ଗୋଟିଏ ଲକ୍ଷ୍ୟ- ବାକି ୨ଟିଯାକ ମ୍ୟାଚ୍ ଜିତିବା। ଶନିବାର ଆଫ୍‌ଗାନିସ୍ତାନର ମୁକାବିଲା କରିବ ପାକିସ୍ତାନ। ଏହି ମ୍ୟାଚ୍ ଜିତି ଶେଷ ମ୍ୟାଚ୍‌ରେ ବାଂଲାଦେଶକୁ ପରାସ୍ତ କରିବା ଲକ୍ଷ୍ୟରେ ପାକିସ୍ତାନ ରହିବ। ଆଫ୍‌ଗାନିସ୍ତାନ ଏବେ ମଧ୍ୟ ତା’ର ପ୍ରଥମ ବିଜୟର ସନ୍ଧାନରେ ରହିଛି। ୭ଟି ମ୍ୟାଚ୍‌ରୁ ୭ଟି ପରାଜୟ ପରେ ପ୍ରମାଣିତ ହୋଇଯାଇଛି ଯେ ଆଫ୍‌ଗାନିସ୍ତାନକୁ ୫୦ ଓଭରର କ୍ରିକେଟରେ ବହୁତ ଉନ୍ନତି କରିବାକୁ ବାକିଅଛି। ତେବେ ଗତ ୨ଟି ମ୍ୟାଚ୍‌ରେ ଆଫ୍‌ଗାନିସ୍ତାନର ପ୍ରଦର୍ଶନ ଭଲ ରହିଛି। ଶେଷ ମ୍ୟାଚ୍‌ରେ ଭାରତକୁ ପରାସ୍ତ କରିବାର ବହୁତ ନିକଟବର୍ତ୍ତୀ ହୋଇଥିଲା ଆଫ୍‌ଗାନିସ୍ତାନ। ଏହା ପୂର୍ବରୁ ବାଂଲାଦେଶ ବିପକ୍ଷରେ ମଧ୍ୟ ଆଫ୍‌ଗାନିସ୍ତାନ କଡ଼ା ମୁକାବିଲା କରି ପାରିଥିଲା। ବିପର୍ଯ୍ୟୟ ଘଟାଇବା ଲକ୍ଷ୍ୟରେ ଆଫ୍‌ଗାନିସ୍ତାନ ରହିଛି।
କ୍ରିକେଟ ବିଶେଷଜ୍ଞମାନେ ଚଳିତ ବିଶ୍ବକପ୍‌ରେ ପାକିସ୍ତାନର ପ୍ରଦର୍ଶନ ୧୯୯୨ ବିଶ୍ବକପ୍‌ର ପ୍ରଦର୍ଶନ ଭଳି ହୋଇଛି ବୋଲି କହିଛନ୍ତି। ପାକିସ୍ତାନ ଦଳର ମଧ୍ୟ ବିଶ୍ବାସ ଜନ୍ମିଛି ଯେ ଏହା ସେମିଫାଇନାଲରେ ପହଞ୍ଚି ପାରିବ। ପୂର୍ବରୁ ଇଂଲଣ୍ଡକୁ ପରାସ୍ତ କରିଥିବା ପାକିସ୍ତାନ କ୍ରମାଗତ ୨ଟି ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ଓ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି। ତେଣୁ ଆଫ୍‌ଗାନିସ୍ତାନକୁ ହରାଇବା ଏହା ପାଇଁ କଷ୍ଟକର ହେବ ବୋଲି କ୍ରିକେଟ ପଣ୍ଡିତ ମନେ କରୁନାହାନ୍ତି। ତଥାପି ସେମିଫାଇନାଲ ଖେଳିବାର ଚାପ ପାକିସ୍ତାନୀ କ୍ରିକେଟରଙ୍କ ପ୍ରଦର୍ଶନକୁ ପ୍ରଭାବିତ କରିପାରେ। ଚୂଡ଼ାନ୍ତ ଏକାଦଶରେ ହାରିସ୍ ସୋହେଲ ସାମିଲହେବା ପାକିସ୍ତାନ ବ୍ୟାଟିଂକୁ ମଜ୍‌ଭୁତ କରିଛି। ଗତ ୨ଟିଯାକ ମ୍ୟାଚ୍‌ରେ ସୋହେଲ ଅର୍ଦ୍ଧଶତକ ମାରିଛନ୍ତି। ବାବର ଆଜମ୍ ମଧ୍ୟ ଚମତ୍କାର ବ୍ୟାଟିଂ କରୁଛନ୍ତି ଏବଂ ମହମ୍ମଦ ହଫିଜ୍ ମଧ୍ୟକ୍ରମରେ ଭଲ ଖେଳୁଛନ୍ତି। ତେ​‌େ​ବ ଦୁଇ ଓପ୍‌ନରଙ୍କୁ ବଡ଼ ଇନିଂସ ଖେଳିବାକୁ ପଡ଼ିବ। ମହମ୍ମଦ ଆମିର ଚମ୍ପିଆନ୍‌ଙ୍କ ପରି ବୋଲିଂ କରୁଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷରେ ବାମହାତି ପେସ୍ ବୋଲର ସାହିନ୍ ଆଫ୍ରିଦି ଭଲ ବୋଲିଂ କରିଥିବା ବେଳେ ଦୁଇ ସ୍ପିନର ସଦ୍ଦାବ୍ ଖାଁ ଓ ଇମାଦ୍ ୱାସିମ୍ ମଧ୍ୟ ଭଲ ବୋଲିଂ କରିଛନ୍ତି। ତେଣୁ ଆଫ୍‌ଗାନିସ୍ତାନ ବିପକ୍ଷରେ ପାକିସ୍ତାନ ନିଶ୍ଚୟ ଫେଭରିଟ୍।

Comments are closed.