କ୍ରିକେଟ ବିଶ୍ବକପ୍ : ନ୍ୟୁଜିଲାଣ୍ଡ-ପାକିସ୍ତାନ ମୁକାବିଲା ଆଜି

ବର୍ମିଂହାମ୍ : ଚଳିତ ବିଶ୍ବକପ୍‌ରେ ବୁଧବାର ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ମଧ୍ୟରେ ୩୩ତମ ଲିଗ୍ ମ୍ୟାଚ୍ ଖେଳାଯିବ। ଲିଗ୍ ପର୍ଯ୍ୟାୟରେ ଏହା ଏକ ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍। ସେମିଫାଇନାଲ ଖେଳିବା ଆଶା ବଜାୟ ରଖିବା ପାଇଁ ପାକିସ୍ତାନକୁ ଏହି ମ୍ୟାଚ୍ ନିଶ୍ଚୟ ଜିତିବାକୁ ପଡ଼ିବ। ଅନ୍ୟପକ୍ଷରେ ସେମିଫାଇନାଲରେ ପ୍ରାୟ ପହଞ୍ଚି ସାରିଥିବା ନ୍ୟୁଜିଲାଣ୍ଡ ଏହି ମ୍ୟାଚ୍ ଜିତି ତା’ର ସ୍ଥିତିକୁ ଆହୁରି ମଜ୍‌ଭୁତ କରିବାକୁ ଚାହିଁବ। ଭାରତ ପରେ ନ୍ୟୁଜିଲାଣ୍ଡ ହେଉଛି ଏପରି ଦଳ; ଯାହା ଅଦ୍ୟାବଧି କୌଣସି ମ୍ୟାଚ୍ ହାରିନାହିଁ। ତେଣୁ ନ୍ୟୁଜିଲାଣ୍ଡ ତା’ର ଏହି ବିଜୟଧାରା ଅବ୍ୟାହତ ରଖିବା ସହ ପଏଣ୍ଟ ଟେବୁଲ୍‌ର ପ୍ରଥମ ୨ଟି ସ୍ଥାନ ମଧ୍ୟରେ ରହିବାର ପ୍ରୟାସ କରିବ। ପାକିସ୍ତାନ ଅଦ୍ୟାବଧି ୬ଟି ମ୍ୟାଚ୍‌ରୁ ୨ଟି ବିଜୟ ସହ ୫ ପଏଣ୍ଟ ପାଇ ଟେବୁଲର ୭ମ ସ୍ଥାନରେ ରହିଛି। ଗତ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ୪୯ ରନ୍‌ରେ ପରାସ୍ତକରି ଏବେ ଦୃଢ଼ ମନୋବଳ ହାସଲ କରିଛି ପାକିସ୍ତାନ। ତେଣୁ ଏହା ମଧ୍ୟ ବିଜୟଧାରା ବଜାୟ ରଖିବାକୁ ଚାହିଁବ।
ରବିବାର ଦକ୍ଷିଣ ଆଫ୍ରିକା ବିପକ୍ଷରେ ପାକିସ୍ତାନ ଯେପରି ପ୍ରଦର୍ଶନ କଲା; ସେପରି ପ୍ରଦର୍ଶନ କଲେ ଏହାକୁ ପରାସ୍ତ କରିବା ନ୍ୟୁଜିଲାଣ୍ଡ ପାଇଁ ବେଶ୍‌ କଷ୍ଟକର ହେବ। ପାକିସ୍ତାନର ପ୍ରାୟ ସମସ୍ତ ପ୍ରମୁଖ ବ୍ୟାଟ୍‌ସମ୍ୟାନ୍ ଭଲ ବ୍ୟାଟିଂ କରିଥିବା ବେଳେ ସାହିନ୍ ଶାହା ଆଫ୍ରିଦିଙ୍କୁ ଛାଡ଼ି ସମସ୍ତ ବୋଲର ଭଲ ପ୍ରଦର୍ଶନ କରିଥିଲେ। ମଧ୍ୟକ୍ରମ​‌େ​‌ର ପାକିସ୍ତାନ ଯେଉଁ ବ୍ୟାଟ୍‌ସମ୍ୟାନଙ୍କୁ ଖୋଜୁଥିଲା; ହାରିସ୍ ସୋହେଲ ସେହି ଅଭାବ ପୂରଣ କରିଛନ୍ତି। ଦକ୍ଷିଣ ଆଫ୍ରିକାର ଶକ୍ତିଶାଳୀ ବୋଲିଂ ବିପକ୍ଷରେ ଆକ୍ରମଣାତ୍ମକ ବ୍ୟାଟିଂକରି ସୋହେଲ ମାତ୍ର ୫୯ ବଲ୍‌ରୁ ୮୯ ରନ୍ କରିଥିଲେ। ପାକିସ୍ତାନର ରନ୍‌ ମେସିନ୍ ବାବର ଆଜମ୍ ଅର୍ଦ୍ଧଶତକ ମାରିଥିବା ବେଳେ ଦୁଇ ଓପ୍‌ନର ଫଖର ଜମାନ୍ ଓ ଇମାମ୍ ଉଲ୍‌ ହକ୍ ୪୪ ରନ୍ ଲେଖାଏଁ କରିଥିଲେ। ପରେ ପାକିସ୍ତାନର ବୋଲର ପେସାଦାର ପ୍ରଦର୍ଶନ କରିଥିଲେ। ମହମ୍ମଦ ଆମିର ତାଙ୍କ ପ୍ରଭାବଶାଳୀ ବୋଲିଂ ଜାରି ରଖିଥିବା ବେଳେ ୱହାବ୍ ରିଆଜ୍ ଓ ସଦ୍ଦାବ ଖାଁ ୩ଟି ଲେଖାଏଁ ୱିକେଟ ନେଇଥିଲେ। ପାକିସ୍ତାନର ଦୁଇ ସ୍ପିନର ସଦ୍ଦାବ୍ ଖାଁ ଓ ଇମାଦ୍ ୱାସିମ୍ ମଧ୍ୟ ଭଲ ବୋଲିଂ କରିଥିଲେ। ତେବେ ବିଫଳ ହୋଇଥିବା ବାମହାତି ପେସ୍ ବୋଲର ସାହିନ୍ ଆଫ୍ରିଦିଙ୍କ ସ୍ଥାନରେ ପାକିସ୍ତାନ ପେସ୍ ବୋଲର ହାସନ୍ ଅଲୀଙ୍କୁ ଖେଳାଇପାରେ। ତେବେ ପାକିସ୍ତାନକୁ ମନେ ରଖିବାକୁ ହେବ ଯେ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ମ୍ୟାଚ୍‌କୁ ଛାଡ଼ି ଏହାର ବ୍ୟାଟିଂ ବିଫଳ ହୋଇଛି। ତେଣୁ ଏପରି ଅନିୟମିତ ବ୍ୟାଟିଂ ପ୍ରଦର୍ଶନ ପାକିସ୍ତାନ ପାଇଁ ଘାତକ ସାବ୍ୟସ୍ତ ହୋଇପାରେ।
ଗତ ବିଶ୍ବକପ୍‌ର ରନର୍ସଅପ୍ ନ୍ୟୁଜିଲାଣ୍ଡ ଚଳିତ ବିଶ୍ବକପ୍‌ରେ ଅଦ୍ୟାବଧି ଚମତ୍କାର ପ୍ରଦର୍ଶନ କରିଛି। ତେବେ ଏହା ଜିତିଥିବା ୫ଟି ମ୍ୟାଚ୍ ଟୁର୍ଣ୍ଣାମେଣ୍ଟର ୫ ଦୁର୍ବଳ ଦଳ ବିପକ୍ଷରେ। ଭାରତ ବିପକ୍ଷରେ ନ୍ୟୁଜିଲାଣ୍ଡର ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୋଇଛି। ଏବେ ୩ଟି କଷ୍ଟସାଧ୍ୟ ମ୍ୟାଚ୍ ନ୍ୟୁଜିଲାଣ୍ଡକୁ ଖେଳିବାର ଅଛି। ଏହି ୩ଟି ମ୍ୟାଚ୍ ଜିତିବାର ସମସ୍ତ ଦକ୍ଷତା ନ୍ୟୁଜିଲାଣ୍ଡର ଅଛି। ଦଳର ୩ ପେସ୍ ବୋଲର- ଟ୍ରେଣ୍ଟ୍ ବୋଲ୍‌ଟ, ମ୍ୟାଟ୍‌ ହେନ୍‌ରି ଓ ଲୋକି ଫର୍ଗୁସନ୍ ଚମତ୍କାର ବୋଲିଂ କରିଛନ୍ତି। ତେବେ ଦଳର ବ୍ୟାଟିଂ ଭାର ସମ୍ଭାଳିଛନ୍ତି ଅଧିନାୟକ କେନ୍ ୱିଲିୟମ୍‌ସନ। ଏହି ଟ୍ବେଣ୍ଟି୨୦ କ୍ରିକେଟ ଯୁଗରେ ୱିଲିୟମ୍‌ସନ କଳାତ୍ମକ ବ୍ୟାଟିଂକରି ୨ଟି ଶତକ ସହ ୩୭୩ ରନ୍ କରି ସାରିଲେଣି। ଅଭିଜ୍ଞ ରସ୍ ଟେଲର ମଧ୍ୟ ଭଲ ବ୍ୟାଟିଂ କରୁଛନ୍ତି।

Comments are closed.