ମଧୁବାବୁଙ୍କ ନାମରେ ରେଳଚଳାଚଳ ନେଇ ଦାବି, ସମାଧିପୀଠର ଉନ୍ନତିକରଣ

କଟକ: ଉତ୍କଳ ସମ୍ମିଳନୀରର ନୂତନ ଭାବେ ପ୍ରତିଷ୍ଠିତ ହୋଇଥିବା ଉତ୍କଳ ଯୁବ ସେବକ ବାହିନୀ କଟକ ଜିଲା ଶାଖା ପକ୍ଷରୁ ଗୁଗଲମିଟ୍ ଜରିଆରେ ଆଜି ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଂଗଠନର ଆବାହକ ସନ୍ତୋଷ ମହାରଣା ଅଧ୍ୟକ୍ଷତା କରିଥିଲେ। ବୈଠକରେ ସଂଗଠନର ଆଗାମୀ କାର୍ଯ୍ୟପନ୍ଥା ଓ ଜନ ସମାଜରେ ମଧୁବାବୁଙ୍କ ଚିନ୍ତା ଓ ଚେତନାର କିପରି ଅଧିକରୁ ଅଧିକ ପ୍ରସାର ଲାଭ କରିପାରିବ ସେ ସଂପର୍କରେ ଆଲୋଚନା କରାଯାଇଥିଲା। ଦୀର୍ଘ ଦିନ ଧରି ସଂଗଠନ ପକ୍ଷରୁ ମଧୁବାବୁଙ୍କ ସମାଧି ପୀଠର ଉନ୍ନତି ସହ ଏହାର ରକ୍ଷଣାବେକ୍ଷଣ ପାଇଁ ମୁଖ୍ୟମନ୍ତ୍ରୀ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀଙ୍କ ନିକଟରେ ଦାବି କରାଯାଉଥିଲେ ମଧ୍ୟ ଏ ନେଇ କୌଣସି ପଦକ୍ଷେପ ନିଆଯାଉନଥିବାରୁ ବୈଠକରେ ଉଦ୍‌ବେଗ ପ୍ରକାଶ ପାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଉତ୍କଳ ସମ୍ମିଳନୀ ପଶ୍ଚିମ ସିଂହଭୂମ ଜିଲ୍ଲା ଚାଇଁବସା ଶାଖାର ସଭାପତି ଡ. ସୁଶାନ୍ତ ମହାରଣା ଯୋଗଦେଇ କେନ୍ଦ୍ରସରକାର ମଧୁବାବୁଙ୍କ ନାମରେ କୌଣସି ଗୋଟିଏ ଯାତ୍ରୀବାହୀ ଟ୍ରେନ୍ର ନାମକରଣ ଉପରେ ଗୁରୁତ୍ୱାରୋପ କରିଥିଲେ।

 

ସମ୍ମାନିତ ଅତିଥି ଭାବେ ଉତ୍କଳ ସମ୍ମିଳନୀ ପଶ୍ଚିମ ସିଂହଭୂମ ଜିଲା ଚାଇଁବସା ଶାଖାର ସଦସ୍ୟ ଜଗତ କିଶୋର ସାମଲ ମଧୁବାବୁଙ୍କ ସମାଧିପୀଠର ଉନ୍ନତି ତଥା ତାଙ୍କ ଦ୍ୱାରା ଏକଦା ପ୍ରକାଶ ପାଉଥିବା ‘ଦି ଉତ୍କଳ’ ସମ୍ବାଦପତ୍ରର ପୁନଃ ପ୍ରସାରଣ ଉପରେ ଜୋର ଦେଇଥିଲେ। ସେହିପରି ଉତ୍କଳ ଯୁବ ସେବକ ବାହିନୀ କଟକ ଜିଲା ଶାଖାର ସକ୍ରିୟ ସଭ୍ୟ ତଥା ଆଇନଜୀବୀ ଜଗନ୍ନାଥ ମହାନ୍ତି କୁଟିର ଶିଳ୍ପରେ ସଫଳତା ଲାଭ କରିଥିବା ସଫଳ ଉଦ୍ୟୋଗୀଙ୍କ ନିମନ୍ତେ ମଧୁବାବୁଙ୍କ ସ୍ମୃତିରେ ରାଜ୍ୟସ୍ତରୀୟ ପୁରସ୍କାର ପ୍ରଦାନ ନିମନ୍ତେ ଦାବି କରିଥିଲେ। ସଂଗଠନର ସଦସ୍ୟ ସାର୍ଥକ ରାୟ ଅନ୍ଲାଇନ୍ ମାଧ୍ୟମରେ ସଭାକାର୍ଯ୍ୟ ପରିଚାଳନା କରିଥିଲାବେଳେ ଆଇନଜୀବୀ ଗଗନ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.