କମୁଛି ବନ୍ୟା ; ବଢୁଛି ସାପ ଭୟ

କଟକ : କଟକ ଜିଲାରେ ଗତ କିଛି ଦିନ ହେବ ମହାନଦୀର ବନ୍ୟା ଜଳ ପ୍ରବାହିତ ହେବାରୁ ବାଙ୍କୀ ର ବହୁ ଅଞ୍ଚଳ ଏବେ ବି ଜଳ ବନ୍ଦୀ ହୋଇ ରହିଛି। ଆଜିକୁ ୪ ଦିନ ଅର୍ଥାତ ରବିବାର ବାଙ୍କୀ ନଦୀ କୁଣ୍ଡା ନାଳରେ ମହାନଦୀର ପଛୁଆ ଜଳ ପ୍ରବେଶ କରିବାରୁ ସେଠାରେ ଥିବା ବହୁ ଲୋକଙ୍କ ଘରେ ବନ୍ୟା ଜଳ ପ୍ରବେଶ କରିଥିଲା।
ଅବସର ପ୍ରାପ୍ତ ମଣ୍ଡଳ ଶିକ୍ଷା ଅଧିକାରୀ ରଞ୍ଜନ କୁମାର ସାମନ୍ତରାୟଙ୍କ ଘର ନଦୀ କୁଣ୍ଡା ନିକଟରେ ହୋଇଥିବାରୁ ଘର ଭିତରେ ହଠାତ ବନ୍ୟା ଜଳ ବୃଦ୍ଧି ପାଇ ଘର ଚାରିପଟେ ୯ ରୁ ୧୦ ଫୁଟ ବନ୍ୟା ଜଳ ଜମି ରହିଥିଲା । ରବିବାର ଦିନ ତାଙ୍କ ଘରେ ଏକ ବଡ଼ ନାଗ ସାପ ପଶିବାର ଦେଖି ସେ ସ୍ନେକ ହେଲ୍ପ ଲାଇନର ସଂଯୋଜକ ଲଳିତ ମୋହନ ପଣ୍ଡା ସହ ଯୋଗାଯୋଗ କରି ଥିଲେ। ତେବେ ତାଙ୍କ ଘର ଚାରି ପଟେ ପାଣିର ମାତ୍ରା ଅଧିକ ଥିବାରୁ ଏବଂ ଲାଇଫ ଜ୍ୟାକେଟ ଓ ଡ଼ଙ୍ଗାର ସୁବିଧା ନଥିବାରୁ ସେଠାକୁ ଯାଇ ସାପ ଉଦ୍ଧାର କରିବା ସମ୍ଭବ ହୋଇନଥିଲା । ତେଣୁ ପାଣି ଟିକେ କମିବା ପର୍ୟ୍ୟନ୍ତ ଉକ୍ତ ଘରଟିକୁ ବନ୍ଦ କରି ରଖିବା ସହ, ନିଜର ସବୁ ଘର ଚାରିପଟେ ଫିନାଇଲର ବ୍ୟବହାର ପାଇଁ ଲଳିତ ପରାମର୍ଶ ଦେଇଥିଲେ ।
୪ ଦିନ ହେବ ସାପ ଭୟରେ ସେ ସମୟ ଅତିବାହିତ କରୁଥିଲେ ରଞ୍ଜନଙ୍କ ପରିବାର । ବନ୍ୟା ଜଳ କିଛି ପରିମାଣରେ କମି ୫ ଫୁଟରେ ପ୍ରବାହିତ ହେବାରୁ ଗତକାଲି ସ୍ନେକ ହେଲ୍ପ ଲାଇନର ସଂଯୋଜକ ଲଳିତ ମୋହନ ପଣ୍ଡା ଓ ସଦସ୍ୟ ଦୁର୍ଗାମାଧବ ମହାପାତ୍ର ବନ୍ୟା ଜଳରେ ପଶି ସେଠାରେ ପହଞ୍ଚି ସାଢ଼େ ୪ ଫୁଟର ବଡ଼ ନାଗ ସାପଟିକୁ ସେଠାରୁ ଉଦ୍ଧାର କରି ଥିଲେ । ପାଣିରେ ପଶିବା ବେଳେ ନିକର ଜୋତାକୁକୁ ଶୁଖିଲା ରଖିବା ପାଇଁ ଲଳିତ ଜୋତାକୁ ସ୍ନେକ ହୁକରେ ଟେକି ଟେକି ବନ୍ୟା ଜଳ ଭିତରେ ନେବା , ରଞ୍ଜନଙ୍କ ଘରେ ସାପ ଉଦ୍ଧାର ପୂର୍ବରୁ ଜୋତା ପିନ୍ଧିବା, ତଥା ନାଗ ସାପକୁ ଉଦ୍ଧାର କଲା ପରେ ଅନୁରୂପ ଭାବେ ବ୍ୟାଗକୁ ଟେକି ଟେକି ବନ୍ୟା ଜଳ ଭିତରେ ପଶି ଆସିବା ଦେଖଣାହାରୀ ଙ୍କ ଭିତରେ କୌତୁହଳ ସୃଷ୍ଟି କରିଥିଲା । ସାପଟିକୁ ପାଣି ପଶି ନଥିବା ଏବଂ ଜନବସତି ନଥିବା ଏକ ଜାଗାରେ ଛାଡି ଦିଆଯାଇଛି ।

Comments are closed.