ଏସସିବିରେ ଆଉ ଏକ ସଫଳତା, କରୋନା କଟକଣାରେ ହେଲା ଅସ୍ଥିମଜ୍ଜା ପ୍ରତିରୋପଣ

କଟକ : କରୋନା ଭୂତାଣୁ ସଂକ୍ରମଣକୁ ନେଇ କଟକଣା ଲାଗି ରହିଥିବାବେଳେ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟରେ ଜଣେ ରକ୍ତକର୍କଟ ରୋଗୀର ବୋନମ୍ୟାରୋ (ଅସ୍ଥିମଜ୍ଜା) ପ୍ରତିରୋପଣ କରାଯାଇଛି। ରବିବାର ରକ୍ତରୋଗ ବିଭାଗରେ ୭୭ତମ ବ୍ୟକ୍ତିଙ୍କର ଅସ୍ଥିମଜ୍ଜା ପ୍ରତିରୋପଣ ହୋଇଥିଲା। ଅସ୍ଥିମଜ୍ଜା ପ୍ରତିରୋପଣ ପରେ ସମ୍ପୃକ୍ତ ରୋଗୀ ସୁସ୍ଥ ଥିବା ଜଣାପଡିଛି। ଅଟୋଲାଗସ ପ୍ରତିରୋପଣ ପଦ୍ଧତିରେ ସୁସ୍ଥ ଅସ୍ଥିମଜ୍ଜା ସଂଗ୍ରହ କରାଯାଇ ସମ୍ପୃକ୍ତ ରୋଗୀଠାରେ ପ୍ରତିରୋପଣ କରାଯାଇଥିଲା। ଖୁବଶୀଘ୍ର ଆଉ ଜଣେ ରୋଗୀର ଅସ୍ଥିମଜ୍ଜା ପ୍ରତିରୋପଣ କରାଯିବ ବୋଲି ବିଭାଗ ସୂତ୍ରରୁ ଜଣାପଡିଛି।
ନୟାଗଡ ଜିଲା ଖମାରସାହିର ସତ୍ୟବାଦୀ ନାୟକ ରକ୍ତକର୍କଟରେ ଆକ୍ରାନ୍ତ ହୋଇ ଚିକିତ୍ସା ପାଇଁ ଭୁବନେଶ୍ୱରସ୍ଥିତ ଏମସ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ଉନ୍ନତ ସ୍ୱାସ୍ଥ୍ୟସେବା ନ ମିଳିବାରୁ ୨୦୨୦ ମେ ୨୯ତାରିଖରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ସତ୍ୟବାଦୀଙ୍କ ବୋନମ୍ୟାରୋ ପ୍ରତିରୋପଣ କରିବାକୁ ବିଭାଗୀୟ ଡାକ୍ତର ନିଷ୍ପତ୍ତି ନେଇଥିଲେ। କରୋନା ମହାମାରୀ ପାଇଁ ଜରୁରୀ ଅସ୍ତ୍ରୋପଚାର ବନ୍ଦ ରହିବାରୁ ତାଙ୍କର ବୋନମ୍ୟାରୋ ପ୍ରତିରୋପଣ ସମ୍ଭବ ହୋଇନଥିଲା। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କଟକଣା ପ୍ରତ୍ୟାହାର କରାଯିବା ପରେ ସତ୍ୟବାଦୀଙ୍କର ବୋନମ୍ୟାରୋ ପ୍ରତିରୋପଣ ପାଇଁ ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ବିଭାଗୀୟମୁଖ୍ୟ ପ୍ରଫେସର ଡାକ୍ତର ଆର.କେ. ଜେନାଙ୍କ ନେତୃତ୍ୱରେ ଏକ ଡାକ୍ତରୀ ଦଳ ଗଠିତ ହୋଇଥିଲା। ସହକାରୀ ପ୍ରଫେସର ଡା. ମନମୋହନ ବିଶ୍ୱାଳ, ଆର.ଏନ. ସାହୁ, ଦେବୀ ଜେନା, ରଶ୍ମିରଞ୍ଜନ, ସେବିକା ସ୍ନେହା ମଙ୍ଗରାଜ, ମନ୍ଦାକିନୀ, ଅନୁ ପ୍ରମୁଖ ରହିଥିଲେ। ଦୀର୍ଘ ୪ଘଣ୍ଟାରୁ ଊର୍ଦ୍ଧ୍ବ ସମୟଧରି ଏହି ପ୍ରତିରୋପଣ ଚାଲିଥିଲା। ଏହି ପ୍ରତିରୋପଣ ପରେ ଏସ୍‍ସିବିରେ ଏ ପର୍ଯ୍ୟନ୍ତ ୭୭ଜଣଙ୍କ ଅସ୍ଥିମଜ୍ଜା ପ୍ରତିରୋପଣ ହୋଇସାରିଲାଣି।

ସୂଚନାଯୋଗ୍ୟ, ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ସରକାରୀ ମେଡିକାଲରେ ଏହି ଚିକିତ୍ସା ସୁବିଧା ଦେଶରେ ପ୍ରଥମ। ପ୍ରାୟ ୪କୋଟି ୫୦ଲକ୍ଷ ଟଙ୍କା ବ୍ୟୟରେ ଏସସିବି ମେଡିକାଲର ହେମାଟୋଲିଜି ବିଭାଗରେ ଏହି ସୁବିଧା ଉପଲବ୍ଧ କରାଯାଇଛି। ରକ୍ତ କର୍କଟ, ରକ୍ତଶିକୁଳୀ, ଥାଲାସେମିଆ ଏବଂ କର୍କଟ ପୀଡ଼ିତ ରୋଗୀଙ୍କ କ୍ଷେତ୍ରରେ ଏହି ଚିକିତ୍ସା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଜରୁରୀ ବୋଲି ବିଭାଗୀୟ ମୁଖ୍ୟ କହିଛନ୍ତି। ପୀଡ଼ିତ ଜଣକ କେମୋଥେରାପି ଏବଂ ରେଡିଓଥେରାପି ନେଇସାରିବା ପରେ ତାଙ୍କ ଶରୀରରେ ଏହା ପ୍ରତିରୋପଣ କରାଯାଇଥାଏ ବୋଲି ବିଭାଗୀୟ ମୁଖ୍ୟ ପ୍ରଫେସର ଜେନା କହିଛନ୍ତି। ଏକାଥରକେ ଦୁଇ ଜଣ ପୀଡିତଙ୍କର ବୋନ୍‌ମ୍ୟାରୋ ପ୍ରତିରୋପଣ କରାଯିବାର ସୁବିଧା ରହିଛି।

Comments are closed.