ବାରବାଟୀ ଦିନିକିଆ : ଟସ୍ ଗୁରୁତ୍ବପୂର୍ଣ୍ଣ

ପହଞ୍ଚିଲେ ଦୁଇଦଳର ଖେଳାଳୀ

କଟକ : ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ଚଳିତ ସିରିଜର ଶେଷ ତଥା ଚୁଡାନ୍ତ ମ୍ୟାଚ ପାଇଁ ବାରବାଟୀ ଷ୍ଟାଡିୟମରେ ଦୁଇ ଦଳର ଖେଳାଳି ପହଞ୍ଚିଛନ୍ତି । କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଦୁଇ ଦଳର ଖେଳାଳୀ କଟକରେ ପହଞ୍ଚିଛନ୍ତି । ତେବେ ଏହି ମ୍ୟାଚରେ ଟସ୍ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଳାଇବ। ଦୁଇ ଦଳ ସିରିଜ ଜିତିବା ଲକ୍ଷ୍ୟ ରଖିଛନ୍ତି।

ପ୍ରଥମ ୨ଟି ମ୍ୟାଚ ଭଳି ବାରବାଟୀରେ ଟସ୍‌ର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିବ। ପିଚ୍‌ ନିଶ୍ଚିତ ଭାବେ ବ୍ୟାଟିଂ ଉପଯୋଗୀ ହେବ ବୋଲି ପୂର୍ବାନୁମାନ କରିଛନ୍ତି ୱେଷ୍ଟଇଣ୍ଡିଜ୍‌ କ୍ରିକେଟ ଦଳର ମୁଖ୍ୟ ପ୍ରଶିକ୍ଷକ ଫିଲ୍‌ ସିମନ୍‌ସ। ଭାରତ ବିପକ୍ଷରେ ଆମେ ପ୍ରଥମ ୨ଟି ମ୍ୟାଚରେ ଭଲ କ୍ରିକେଟ ଖେଳିଛୁ। ପ୍ରଥମ ମ୍ୟାଚରେ ବିଜୟ ପରେ ୨ୟ ମ୍ୟାଚ୍‌ରେ ଭାରତ ଦୃଢ଼ତାର ସହିତ ପ୍ରତ୍ୟାବର୍ତ୍ତନ କରିଛି। ପ୍ରଥମ ୨ ମ୍ୟାଚ୍‌ରେ ହାଇସ୍କୋରିଂ ପିଚ୍‌ ରହିଥିବା ବେଳେ ବାରବାଟୀରେ ମଧ୍ୟ ସେଭଳି ପିଚ୍‌ ଦେଖିବାକୁ ମିଳିବ।

ଟସ୍‌ ଦୁଇ ଦଳ ପାଇଁ ଗୁରୁତ୍ବପୂର୍ଣ୍ଣ ହେବ। ୩୦୦ରୁ ୩୨୦ ରନ୍‌ ଟାର୍ଗେଟ ରହିବା ନେଇ ଆଶା କରାଯାଉଛି ବୋଲି ସିମନ୍‌ସ କହିଛନ୍ତି । ଭାରତ ବିଶ୍ବ କ୍ରିକେଟର ଅନ୍ୟତମ ଶ୍ରେଷ୍ଠ ଦଳ। ଘରୋଇ ପଡ଼ିଆରେ ଭାରତକୁ ଚ୍ୟାଲେଞ୍ଜ ଦେବା ନେଇ ଆମେ ପ୍ରସ୍ତୁତ ରହିଛୁ। ଶେଷ ମ୍ୟାଚକୁ ଜିତି ସିରିଜ୍‌ ବିଜୟ ଆମର ଲକ୍ଷ୍ୟ ବୋଲି ସିମନ୍‌ସ କହିଛନ୍ତି।

ଅନ୍ୟପକ୍ଷରେ ବାରବାଟୀ ଦିନିକିଆ ପାଇଁ ସାରା ରାଜ୍ୟରେ କ୍ରିକେଟ ମାନିଆ ଦେଖିବାକୁ ମିଳିଛି । ଗାଁରୁ ସହର ସବୁଆଡେ କ୍ରିକେଟ ଜ୍ୱର। ରବିବାର ଦିନ ସାଢେ ଗୋଟାଏରେ ମ୍ୟାଚ ଆରମ୍ଭ ହେବାକୁ ଥିବାବେଳେ ସକାଳୁ ସକାଳୁ କଟକରେ କ୍ରିକେଟ ପ୍ରେମୀଙ୍କ ଭିଡ ଦେଖିବାକୁ ମିଳିଥିଲା।

ସେହିପରି ୱେଷ୍ଟଇଣ୍ଡିଜ୍‌ ପ୍ରଥମ ମ୍ୟାଚରେ ଜିତିବା ପରେ ୨ୟ ମ୍ୟାଚରେ ଆମେ ପ୍ରତ୍ୟାବର୍ତ୍ତନ କରିଛୁ। ପ୍ରଥମ ମ୍ୟାଚରେ ପରାଜିତ ପରେ ଆମକୁ ଅବଶିଷ୍ଟ ୨ଟି ମ୍ୟାଚ କର ବା ମର ସ୍ଥିତି ସୃଷ୍ଟି ହୋଇଥିଲା। ୨ୟ ମ୍ୟାଚକୁ ଜିତି ସିରିଜ୍‌ ବରାବର କରିବାରେ ସକ୍ଷମ ​ହୋଇଛୁ। ବାରବଟୀରେ ନିର୍ଣ୍ଣାୟକ ଲଢେଇ ପାଇଁ ଆମେ ପ୍ରସ୍ତୁତ ବୋଲି  ଭାରତୀୟ ଦଳର ଯୁବ ମଧ୍ୟକ୍ରମ ବ୍ୟାଟ୍‌ସମମ୍ୟାନ ଶ୍ରେୟାସ ଆୟର କହିଛନ୍ତି ।

ଶନିବାର ଭାରତୀୟ ଦଳ ଅଭ୍ୟାସ ପରେ ସାମ୍ବାଦିକ ସମ୍ମିଳନୀରେ ଶ୍ରେୟାସ କହିଥିଲେ, ଘରୋଇ କ୍ରିକେଟ ହେଉ ବା ଅନ୍ତର୍ଜାତୀୟ ମ୍ୟାଚ୍‌; ସବୁବେଳେ ନିଜ ପ୍ରଦର୍ଶନ ଉପରେ ଗୁରୁତ୍ବ ଦେଇଥାଏ। ପ୍ରଥମେ ୫ନଂ ସ୍ଥାନରେ ଖେଳୁଥିଲି ଏବଂ ୪ନଂ ସ୍ଥାନରେ ବ୍ୟାଟିଂ କରିବାକୁ ପଡ଼ୁଛି। ମଧ୍ୟକ୍ରମରେ ବ୍ୟାଟିଂକରିବା ସବୁବେଳେ ଆହ୍ବାନଭରା ରହିଥାଏ। ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ପ୍ରଥମ ୨ ମ୍ୟାଚରେ ନିଜର ଦାୟିତ୍ବକୁ ସଠି୍କ୍‌ ଭାବେ ସମ୍ପାଦନ କରିବାରେ ସକ୍ଷମ ହୋଇଛି । ଯେକୌଣସି ଅର୍ଡରରେ ବ୍ୟାଟିଂ କରିବାକୁ ନେଇ ମୁଁ ପ୍ରସ୍ତୁତ ବୋଲି ଆୟାର କହିଛନ୍ତି। ବ୍ୟାଟିଂ ଅଡରରେ ଜଣେ ଦୁଇଜଣ ଖେଳାଳି ସଫଳ ହୋଇପାରିଲେ ଦଳକୁ ବିଜୟରେ ସହାୟକ କରିଥାଏ। ଏବେ ଦଳର ସମସ୍ତ ଖେଳାଳି ଫର୍ମରେ ରହିଛନ୍ତି। ଅଧିନାୟକ ବିରାଟ କୋହଲି ପ୍ରଥମ ୨ଟି ମ୍ୟାଚରେ ବିଫଳ ହୋଇଛନ୍ତି। ତାଙ୍କ ଫର୍ମକୁ ନେଇ ବିତର୍କ କରାଯିବା ଅନୁଚିତ। ବିରାଟ ଜଣେ କିମ୍ବଦନ୍ତୀ ଏବଂ ଆନ୍ତର୍ଜାତିକ କ୍ରିକେଟରେ ବହୁତ ରନ୍ ସ୍କୋର୍ କରିଛନ୍ତି। ଏପରି ବ୍ୟାଟ୍‌ସମ୍ୟାନ୍ ମାତ୍ର ୨ଟି ମ୍ୟାଚ୍‌ରେ ବିଫଳ ହେବା ପରେ ତାଙ୍କ ଉପରେ ପ୍ରଶ୍ନ ଉଠିବା ଅନୁଚିତ। ବାରବାଟୀରେ ପିଚ୍‌ ଓ ଆଉଟ୍‌ଫିଲ୍‌ଡ ଭଲ ରହିଛି। ଆଉଟ୍‌ଫିଲ୍ଡ ଫାଷ୍ଟରହି। ଅଭ୍ୟାସ ସମୟରେ ଦର୍ଶକଙ୍କ ଉତ୍ସାହ ଦେଖି ଆମେ ବହୁତ ଆନନ୍ଦିତ। ଏଭଳି ଉତ୍ସାହ ଅଭ୍ୟାସ ସମୟରେ ​କେବେ ପୂର୍ବରୁ ଦେଖିବାକୁ ମିଳିନଥିଲା। ଭାରତ ଭଲ ଖେଳିବା ସହିତ ସିରିଜ୍‌ ବିଜୟୀ ହେବ ବୋଲି ଶ୍ରେୟାସ କହିଛନ୍ତି।

Comments are closed.