ଆଖଣ୍ଡଳମଣିଙ୍କ ଜାଗରଯାତ୍ରା ପାଇଁ ପୀଠରେ ସମନ୍ବୟ ବୈଠକ: ରାତି ଗୋଟାଏରେ ସୁନାବେଶ, ଭୋର ୫ଟାରେ ଉଠିବ ମହାଦୀପ

ଆରଡି: ଆସନ୍ତା ୧୮ରେ ଅର୍ଥାତ ଶନିବାର ଦିନ ବାବା ଆଖଣ୍ଡଳମଣିଙ୍କ ମହାଶିବରାତ୍ରୀ(ଜାଗରଯାତ୍ରା)। ଏଥିପାଇଁ ପୀଠରେ ଦ୍ବିତୀୟ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଜାଗରଯାତ୍ରାର ଅଧ୍ଯକ୍ଷ ତଥା ଜିଲାପାଳ ସିଦ୍ଧେଶ୍ବର ବଳିରାମ ବନ୍ଦୋର, ଏସପି ବରୁଣ ଗୁଣ୍ଠପାଲି, ମନ୍ଦିର ଟ୍ରଷ୍ଟି ତଥା ଉପଜିଲାପାଳ ମନୋଜ ପାତ୍ର, ଡିଆଇଭି ଦିଲିପ ଭୂୟାଁ, ଧାମନଗର ଏସଡିପିଓ,ଧୁଷୁରୀ ଥାନା ଆଇଆଇସି, ଆରଡି ଫାଣ୍ଡି ଅଧିକାରୀ ସୁରେନ୍ଦ୍ର ମଲ, ଚାନ୍ଦବାଲି ବିଡିଓ ଜ୍ଯୋତିବିକାଶ ଦାସ, ପୂର୍ତ୍ତ ବିଭାଗର ଅଧିକାରୀ ଅମ୍ବିକା ସ୍ବାଇଁ, ମନ୍ଦିର ନିର୍ବାହି ଅଧିକାରୀ ବିଦ୍ଯାଧର ପଲାଇ, ବରିଷ୍ଠ ସେବାୟତ ଗଦାଧର ପାଢୀ, ଅରବିନ୍ଦ ପାଢୀ, ଆଶିଷ ପାଢୀ, ସଂଜୟ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

ପ୍ରଥମେ ସେବାୟତଙ୍କ ପକ୍ଷରୁ ନୀତିକାନ୍ତି ସମ୍ବନ୍ଧରେ ସୂଚନା ଦିଆଯାଇଥିଲା । ଭୋର ୪ଟାରେ ମନ୍ଦିର ଦ୍ବାରଫିଟା ଯିବା ମଙ୍ଗଳ ଆଳତୀ , କନିକାରାଜାଙ୍କ ପକ୍ଷରୁ ପହିଲି ଘର୍ଷଣ ଲାଗି, ସକାଳ ୫ଟାରେ ପାଳିଆ ସେବାୟତଙ୍କ ପକ୍ଷରୁ ଅନ୍ନନୀତି(ଖେଚୁଡି) ଭୋଗ ଲାଗି ହେବା ପରେ ରାତ୍ର୧୧ଟା ଯାଏଁ ଭକ୍ତଙ୍କ ଦର୍ଶନ ପାଇଁ ସାହଣ ମେଲା ରହିବ। ସଂଧ୍ୟା ୬ଟାରୁ ରାତ୍ର ୧୨ଟା ଯାଏଁ ଚାରି ପ୍ରହର ଘର୍ଷଣ ଓ ଅଭିଷେକ ସରିବା ପରେ ରାତ୍ର ୧ଟାରେ ସୁନାବେଶ ଓ ଭୋର ୫ଟାରେ ମନ୍ଦିର ଚୂଡାକୁ ମହାଦୀପ ଉଠିବ ବୋଲି ଆଲୋଚନା ହୋଇଥିଲା। ଜାଗରଯାତ୍ରା ପାଇଁ ମନ୍ଦିରର ପରିସରରେ ସମସ୍ତ ପ୍ରସ୍ତୁତି କାର୍ଯ୍ଯ ଚୂଡାନ୍ତ ପ୍ରଯ୍ଯାୟରେ ପହଁଚିଥିବା ବେଳେ ମନ୍ଦିର ବେଢା ପରିସର, ଗର୍ଭଗୃହ, ପ୍ରାଚେରୀ, ଚାରିଦ୍ବାର ମନ୍ଦିର, କବାଟରେ ପିତଳ ଛାଉଣି କାର୍ଯ୍ଯ ସରିଥିବା ବେଳେ ଆଲୋକିକରଣ କାର୍ଯ୍ଯ ଜାରି ରହିଛି।

ବିଶେଷକରି ବିଗତ ୨ବର୍ଷ ମହାମାରୀ କରୋନା ପାଇଁ ଜାଗରଯାତ୍ରାରେ ଭକ୍ତଙ୍କୁ ବାରଣ କରାଯାଇଥିବାରୁ ଚଳିତବର୍ଷ ୨ଲକ୍ଷରୁ ଉର୍ଦ୍ଧ ଭକ୍ତଙ୍କ ସମାଗମ ହେବ ବୋଲି ପ୍ରଶାସନ ପକ୍ଷରୁ ଆକଳନ କରାଯାଇଛି। ସେଥିପାଇଁ ଯାତାୟତ ଠାରୁ ଆରମ୍ଭ କରି, ପାନୀୟଜଳ, ସ୍ବାସ୍ଥ୍ୟ, ପରିମଳ ଉପରେ ଗୁରୁତ୍ବର ଭାବେ ଆଲୋଚନା କରିଥିଲେ ଜିଲାପାଳ ଶ୍ରୀ ବନ୍ଦୋର।
ସେହିପରି ବେତାଳିଗାଁ ବଜାର ଠାରୁ ଆରମ୍ଭ କରି ମଠଡିହ, ଆରଡି ପାନ୍ଥନିବାସ ଆଦି ୫ଟି ସ୍ଥାନରେ ଅସ୍ଥାୟୀ ଟ୍ରାଫିକ ପୋଷ୍ଟ ସହ ସ୍ଥଳପଥ ଓ ଜଳପଥରେ ତ୍ରିସ୍ତରୀୟ ସୁରକ୍ଷା ବ୍ଯବସ୍ଥା କରାଯିବ ବୋଲି ଏସପି ବରୁଣ ଗୁଣ୍ଠପାଲି କହିଥିଲେ। ତାହାସହ ଭକ୍ତଙ୍କ ଦର୍ଶନ ନିମନ୍ତେ ମନ୍ଦିର ଦକ୍ଷିଣଦ୍ବାର ଠାରୁ ଶିବଗଙ୍ଗା ପୁଷ୍କରିଣୀ ଯାଏଁ ସ୍ବତନ୍ତ୍ର ବ୍ଯାରିକେଡ କରାଯିବ ବୋଲି ଡିଆଇଭି ଡିଏସପି ଶ୍ରୀ ଭୂୟାଁ କହିଥିଲେ।

ସେହିପରି ଭକ୍ତମାନେ ଗୋଟିଏ ଦ୍ବାରରେ ପ୍ରବେଶ କରି ଅନ୍ଯ ୩ଟି ଦ୍ବାର ଦେଇ ପ୍ରସ୍ଥାନ କରିବେ, ଏଥିପାଇଁ ମନ୍ଦିର ଭିତର ବେଢା ସହ ମନ୍ଦିର ପରିସରରେ ୩ଥାକିଆ ସୁରକ୍ଷା ବ୍ଯବସ୍ଥା କରାଯିବ ବୋଲି ବୈଠକରେ ପୁଲିସ ପକ୍ଷରୁ ସୂଚନା ଦିଆଯାଇଥିଲା। ଭକ୍ତମାନେ ଆଣିଥିବା ୪ଚକିଆ ଓ ୨ଚକିଆ ଯାନ ପାନ୍ଥନିବାସ, ପୁରୁଣା ବସଷ୍ଟାଣ୍ଡ, ବାଇପାସଛକ ମୋଟ ୩ଟି ସ୍ଥାନରେ ପାର୍କିଂ କରାଯିବ।

Comments are closed.