ବର୍ଷା-ଅନୁଭବ ବିବାଦ: ମଧ୍ୟସ୍ଥତା ପ୍ରକ୍ରିୟା ବିଫଳ

କଟକ: କଟକ ପରିବାର ଅଦାଲତରେ ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲାରେ ଶେଷ ହେଲା ଉଭୟଙ୍କ ମଧ୍ୟରେ ମଧ୍ୟସ୍ଥତା। ପରିବାର ଅଦାଲତ ବିଚାରପତି ନିଜ ଚାମ୍ବରରେ ମଙ୍ଗଳବାର ଏହି ମଧ୍ୟସ୍ଥତା କରିଥିଲେ। ମଧ୍ୟସ୍ଥତାରୁ କୌଣସି ଫଳାଫଳ ମିଳି ପାରି ନାହିଁ । ମଙ୍ଗଳବାର ପରିବାର ଅଦାଲତରେ ଉଭୟ ବର୍ଷା ପ୍ରିୟଦର୍ଶିନୀ ଓ ଅନୁଭବ ମହାନ୍ତି ହାଜର ହୋଇ ବିଭିନ୍ନ ପ୍ରସଙ୍ଗରେ ନିଜ ମତ ରଖିଥିଲେ। ଆରୋପ ପ୍ରତ୍ୟାରୋପ ଭିତରେ ଆଲୋଚନା ଚାଲିଥିଲା। ଏହାପରେ ଅନୁଭବଙ୍କ ତରଫରୁ ଏକ ପିଟିସନ ଦାଖଲ କରାଯାଇ ମଧ୍ୟସ୍ଥତା ପ୍ରକ୍ରିୟା‌ ବନ୍ଦ କରିବାକୁ ନିବେଦନ କରାଯାଇଥିଲା। ଅଦାଲତ ଏପରି ପିଟିସନକୁ ଗ୍ରହଣ କରି ମଧ୍ୟସ୍ଥତା ପ୍ରକ୍ରିୟା ବନ୍ଦ ପାଇଁ ନିର୍ଦେଶ ଦେଇଛନ୍ତି। ପୂର୍ବରୁ ଅନୁଭବଙ୍କ ସାକ୍ଷ୍ୟ ଗ୍ରହଣ ଶେଷ ହୋଇଥିବା ବେଳେ ପରବର୍ତ୍ତୀ ଶୁଣାଣି ସମୟରେ ବର୍ଷା ହାଜର ହୋଇ ସାକ୍ଷୀ ଦେବେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ସେପ୍ଟେମ୍ବର ୯ ତାରିଖର ନିର୍ଦ୍ଦେଶ ପାଳନ କରି ସେପ୍ଟେମ୍ବର ୧୪ରେ ଉଭୟ ପରିବାର ଅଦାଲତରେ ହାଜର ହୋଇଥିଲେ। ପୂର୍ବ ନିର୍ଦେଶ ମୁତାବକ ଉଭୟ ଦାଖଲ କରିଥିବା ୫ ହଜାର ଟଙ୍କାର ପ୍ରମାଣ ଦେଇଥିଲେ। ଅଦାଲତ ମଧ୍ୟସ୍ଥତା ପ୍ରକ୍ରିୟା ମାଧ୍ୟମରେ ବିବାଦର ସମାଧାନ ପାଇଁ ଉଦ୍ୟମ କରିଥିଲେ। ଏହି ପ୍ରକ୍ରିୟା ଅସଂପୂର୍ଣ୍ଣ ରହିଥିବାରୁ ପୁଣି ସେପ୍ଟେମ୍ବର ୨୭ରେ ହାଜର ହେବାକୁ ଅନୁଭବ ଓ ବର୍ଷାଙ୍କୁ ପରିବାର ଅଦାଲତ ନିର୍ଦେଶ ଦେଇଥିଲେ।

Comments are closed.