ଏସସିବି: କାଗଜପତ୍ରରେ ଲିଭର ପ୍ରତିରୋପଣ ଅର୍ଥ ସତ୍ତ୍ବେ ଅଟକିଛି ୧୦ ବର୍ଷ

କଟକ:  କଟକ ବଡ଼ ଡାକ୍ତରଖାନାରେ ବିଶେଷଜ୍ଞ ଡାକ୍ତରୀ ଦଳଙ୍କ କାଡାଭେରିକ୍‌ କିଡ୍‌ନୀ ଟ୍ରାନ୍ସପ୍ଲାଣ୍ଟ(ମୃତ ବ୍ୟକ୍ତିର କିଡ୍‌ନୀକୁ ଆଣି ଅନ୍ୟ ରୋଗୀଠାରେ ପ୍ରତିରୋପଣ) ବେଶ୍‌ ପ୍ରଶଂସା ସାଉଣ୍ଟିଛି। ରାଜ୍ୟ ସରକାରଙ୍କୁ ଏଥିପାଇଁ ବିଭିନ୍ନ ମହଲରୁ ବାହାବା ମଧ୍ୟ ମିଳୁଛି। ତେବେ ଏହାରି ଭିତରେ ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲର ଆଉ ଏକ ମହଦାକାଂକ୍ଷୀ ଯୋଜନା କିଭଳି ଦଶନ୍ଧି ଧରି ଶୀତଳଭଣ୍ଡାରରେ ପଡ଼ିରହିଛି ତାହା ସାମ୍ନାକୁ ଆସିଛି। ରାଜ୍ୟ ସରକାର ଏସ୍‌ସିବିର ନବକଳେବର ପାଇଁ ବ୍ୟାପକ ଯୋଜନା ଆରମ୍ଭ କରିବାକୁ ଯାଉଥିବାବେଳେ ଏଠାରେ ଲିଭର(ଯକୃତ) ପ୍ରତିରୋପଣ ବ୍ୟବସ୍ଥା ୧୦ବର୍ଷ ହେଲା ଅନିଶ୍ଚିତତା ଦେଇ ଗତି କରୁଛି।

ସୂଚନାନୁଯାୟୀ, ଏସ୍‌ସିବିରେ ଲିଭର ପ୍ରତିରୋପଣ ବ୍ୟବସ୍ଥା ପାଇଁ ରାଜ୍ୟ ସରକାର ୫ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ କରିସାରିଲେଣି; କିନ୍ତୁ କାର୍ଯ୍ୟ ଆରମ୍ଭ ହେବାର କୌଣସି ଚିହ୍ନବର୍ଣ୍ଣ ନାହିଁ। ମଡୁଲାର ଓଟି ପାଇଁ ଟେଣ୍ଡର ହେଲା। ଷ୍ଟେରିଲାଇଜେସନ ଯନ୍ତ୍ରପାତି ପାଇଁ ଏକ ଘରୋଇ ସଂସ୍ଥାକୁ ଅର୍ଥ ଦିଆଯାଇଥିଲା। ଡାକ୍ତର, ସେବିକା, କର୍ମଚାରୀଙ୍କୁ ସ୍ୱତନ୍ତ୍ର ତାଲିମ ବି ପ୍ରଦାନ କରାଗଲା। ଏ ବାବଦରେ ମୋଟା ଅଙ୍କର ଅର୍ଥ ସରକାରୀ ରାଜକୋଷରୁ ବ୍ୟୟ କରାଗଲା। ଏମିତିକି ଓଟି ପାଇଁ ଥିବା ସ୍ବତନ୍ତ୍ର ଲାଇଟ୍‌, ଭେଣ୍ଟିଲେଟର ସମେତ ବହୁ ଗୁରୁତ୍ୱପୂର୍ଣ୍ଣ ଯନ୍ତ୍ରପାତିର ଏବେ କୁଆଡ଼େ ଉଭାନ୍‌ ହୋଇଯାଇଛି। ସତେଯେମିତି ଏସସିବିରେ କେବଳ କାଗଜକଲମରେ ହିଁ ଲିଭର ପ୍ରତିରୋପଣ କାର୍ଯ୍ୟ ଆଗେଇ ଚାଲିଛି।

ନିକଟରେ ମସ୍ତିଷ୍କ ମୃତ ପ୍ରିୟଙ୍କାରାଣୀଙ୍କ କିଡ୍‌ନୀ କଢ଼ାଯାଇ ଏସ୍‌ସିବିରେ ଜଣେ ରୋଗୀଙ୍କ ଶରୀରରେ ପ୍ରତିରୋପଣ କରାଯାଇଥିଲା। ଅନ୍ୟ ଅଙ୍ଗ ପ୍ରତ୍ୟଙ୍ଗ ପ୍ରତିରୋପଣ ପାଇଁ ରାଜ୍ୟର କୌଣସି ଡାକ୍ତରଖାନାରେ ଆନୁଷଙ୍ଗିକ ସୁବିଧା ନ ଥିବାରୁ ତାଙ୍କର ଲିଭର, ହୃତ୍‌ପିଣ୍ଡ, ଅଗ୍ନ୍ୟାଶୟ, ଚକ୍ଷୁ ପ୍ରଭୃତି ଅଙ୍ଗ କାମରେ ଲାଗିଲା ନାହିଁ। ଯଦି ଏଠାରେ ଲିଭର ଟ୍ରାନ୍ସପ୍ଲାଣ୍ଟ ଚାଲୁଥା’ନ୍ତା, ତେବେ ହୁଏତ ଲିଭର ନଷ୍ଟ ହୋଇଥିବା ଜଣେ ରୋଗୀଙ୍କ ଜୀବନ ବଞ୍ଚାଯାଇପାରିଥା’ନ୍ତା ଏବଂ ଆଉ ଏକ ସଫଳତା ମଧ୍ୟ ଏସସିବି ଇତିହାସରେ ଯୋଡ଼ି ହୋଇଥାନ୍ତା। ମାତ୍ର ଦୁର୍ଭାଗ୍ୟ ଯେ, ଯୋଜନା କାଗଜକଲମରେ ଚାଲୁଥିବାରୁ ବାସ୍ତବରେ ପ୍ରତିଫଳିତ ହୋଇପାରିଲା ନାହିଁ।

କଟକ ବଡ଼ ଡାକ୍ତରଖାନାରେ କିଡ୍‌ନୀ ପ୍ରତିରୋପଣ ପୂର୍ବରୁ ଲିଭର ପ୍ରତିରୋପଣ ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଥିଲେ। ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜି ବିଭାଗରେ ଲିଭର ପ୍ରତିରୋପଣ ପାଇଁ ୨୦୧୦-୧୧ରେ ସ୍ୱାସ୍ଥ୍ୟ ବିଭାଗ ଅର୍ଥ ବ୍ୟବସ୍ଥା କରିଥିଲା। ପ୍ରାଥମିକ ପର୍ଯ୍ୟାୟରେ ଆଶୁଚିକିତ୍ସା ବିଭାଗର ୩ୟ ଓ ୪ର୍ଥ ମହଲାରେ ଲିଭର ପ୍ରତିରୋପଣ କରିବାକୁ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଥିଲେ। ୩ୟ ମହଲାରେ ଷ୍ଟେରିଲାଇଜେସନ ପ୍ରକୋଷ୍ଠ ଏବଂ ୪ର୍ଥ ମହଲାରେ ଏକ ଅତ୍ୟାଧୁନିକ ମଡୁଲାର ଅସ୍ତ୍ରୋପଚାର ଗୃହ(ଓଟି) ତିଆରି କରିବା ସକାଶେ ସରକାର ଅର୍ଥ ଯୋଗାଇ ଦେଇଥିଲେ।

ଷ୍ଟେରିଲାଇଜେସନ ସାମଗ୍ରୀ ପାଇଁ ଭୁବନେଶ୍ୱରର ଏକ ଘରୋଇ ସଂସ୍ଥାକୁ ଲକ୍ଷାଧିକ ଟଙ୍କା ପ୍ରଦାନ କରାଯାଇଥିଲା। ସମ୍ପୃକ୍ତ ସଂସ୍ଥା ଏ ପର୍ଯ୍ୟନ୍ତ କୌଣସି ଯନ୍ତ୍ରପାତି ମେଡିକାଲରେ ସ୍ଥାପନ କରି ନ ଥିବାବେଳେ ବିଲ୍‌ କରି ଲକ୍ଷାଧିକ ଟଙ୍କା ନେଇଥିବା ଜଣାପଡିଛି। ମଡୁଲାର ଓଟି ପାଇଁ ଟେଣ୍ଡର ଆହ୍ୱାନ କରାଯାଇଥିଲା। ଟେଣ୍ଡର ପାଇଥିବା ସଂସ୍ଥାକୁ ଏ ପର୍ଯ୍ୟନ୍ତ କାର୍ଯ୍ୟାଦେଶ ଦିଆଯାଇ ନାହିଁ। ଓଟି କିମ୍ବା ଷ୍ଟେରିଲାଇଜେସନ ପ୍ରକୋଷ୍ଠ ପ୍ରସ୍ତୁତ ହୋଇ ନ ଥିବାବେଳେ
୨୦୧୪ରୁ ୨୦୧୬ ମଧ୍ୟରେ ଦୁଇଟି ପର୍ଯ୍ୟାୟରେ ୮ଜଣ ଡାକ୍ତର, ଜଣେ ରେଡିଓଲୋଜିଷ୍ଟ ଓ ୧୧ଜଣ ସେବିକାଙ୍କୁ ତାଲିମ ସକାଶେ ନୂଆଦିଲ୍ଲୀସ୍ଥିତ ଆପୋଲୋ ଇନ୍ଦ୍ରପ୍ରସ୍ଥ ହସ୍ପିଟାଲକୁ ପଠାଯାଇଥିଲା। ଏକ ମାସ ପାଇଁ ଏହିସବୁ କର୍ମଚାରୀ ଓ ଡାକ୍ତର ଉକ୍ତ ହସ୍ପିଟାଲରେ ତାଲିମ ନେଇଥିଲେ। ସେହିପରି ଓଟି ପାଇଁ କ୍ରୟ ହୋଇଥିବା ଏକ ଅତ୍ୟାଧୁନିକ ଲାଇଟ କେଉଁଠି ଅଛି, ତାହାର ମଧ୍ୟ କୌଣସି ସୂଚନା ନାହିଁ।

ଦଶନ୍ଧି ତଳୁ ଲିଭର ପ୍ରତିରୋପଣ ଲାଗି ହୋଇଥିବା ବ୍ୟବସ୍ଥା ଏବଂ ଏନେଇ କରାଯାଇଥିବା ଅର୍ଥ ବରାଦ ସତ୍ତ୍ବେ ଆଜି ପର୍ଯ୍ୟନ୍ତ ଏହା କାର୍ଯ୍ୟକାରୀ ହୋଇ ନପାରିବା ପ୍ରଶାସନିକ ବିଫଳତାକୁ ସାମ୍ନାକୁ ଆଣିଛି। ସରକାର ଏ ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କଲେ, ଅନେକ ରୋଗୀ ଏହାର ସୁଫଳ ପାଇପାରନ୍ତେ।

Comments are closed.