ଅର୍ଥ ଲଗାଣକାରୀ ସଂସ୍ଥାରୁ ଡକାୟତି ଘଟଣା, ଲୁଟ୍‌ ପରିମାଣ ସ୍ପଷ୍ଟ କଲାନି ପୁଲିସ

କଟକ: ଦିନ ଦ୍ୱିପହରେ ଜନଗହଳିପୂର୍ଣ୍ଣ ନୟାସଡକସ୍ଥିତ ଆଇଆଇଏଫଏଲ ସଂସ୍ଥାରୁ ଲୁଟ ହେବାର ୩୬ଘଣ୍ଟା ବିତିଯାଇଥିଲେ ମଧ୍ୟ ଅଭିଯୁକ୍ତଙ୍କ ସମ୍ପର୍କରେ କୌଣସି ସୁରାକ ପାଇନି କମିସନରେଟ ପୁଲିସ। ଡକାୟତି ଘଟଣାରେ ମାମଲା ରୁଜୁ ହେବାର ଗୋଟିଏ ଦିନ ବିତିଥିଲେ ସୁଦ୍ଧା ଲୁଟ୍ ସୁନା ଓ ଟଙ୍କାର ପରିମାଣ ସ୍ପଷ୍ଟ କରୁନାହିଁ। ପୁଲିସର ଏପରି ତଦନ୍ତ ପ୍ରକ୍ରିୟାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଉକ୍ତ ସଂସ୍ଥାରେ ବିପୁଳ ପରିମାଣର ସୁନା ରହିଥିଲା। ସମସ୍ତ ସୁନା ଲୁଟ୍ ହୋଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି। ଯାହାର ପରିମାଣ ୩୭କୋଲୋରୁ ଅଧିକ ହେବ ବୋଲି ଜଣାପଡିଛି।

ଲୁଟ୍ ହୋଇଥିବା ସୁନାର ଅନୁମାନିକ ମୁଲ୍ୟ ୧୮ କୋଟି ଟଙ୍କାରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି। ପୁଲିସ ସିସିଟିଭି ଫୁଟେଜ୍କୁ ଆଧାରକରି ଡାକୟତ ଦଳକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢଉ କରିଥିଲେ ମଧ୍ୟ ସଫଳ ହୋଇନାହିଁ। ଦୁର୍ବୃତ୍ତମାନେ ଗାଡି ଓ ସ୍ଥାନ ବଦଳାଉଥିବା ଜଣାପଡିଛି। ଏହି ଡକାୟତ ଦଳ ଜଗତପୁର- ଚାନ୍ଦବାଲି ରାସ୍ତା ଏବଂ ପରେ ଭାୟା ଶିଶୁଆ ବ୍ୟାରେଜ ଦେଇ ଜଗତସିଂହପୁର ଆଡକୁ ଯାଇଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି। ବିଭିନ୍ନ ସ୍ଥାନରେ ସିସି ଟିଭି ଫୁଟେଜ୍ ଯାଞ୍ଚ କରିବା ସହ ଜଗତସିଂହପୁର ଓ ନିଆଳିର ବିଭିନ୍ନ ସ୍ଥାନରେ ନାକାବନ୍ଦି କରି ପୁଲିସ ଯାଞ୍ଚ ଚଳାଇଛି। ଏହି ଅପରାଧୀ ଗ୍ୟାଙ୍ଗ ରାଜ୍ୟ ଭିତରର ହୋଇଥିବା ପୁଲିସ ଏକ ପ୍ରକାର ସ୍ପଷ୍ଟ ହୋଇଛି। ଡକାୟତି ପଛରେ ସଂସ୍ଥାର କର୍ମଚାରୀଙ୍କ ଲିଙ୍କ୍ ରହିବା ନେଇ ମଧ୍ୟ ପୁଲିସ ସନ୍ଦେହ କରୁଥିବା ବେଳେ ସେମାନଙ୍କ ଉପରେ କଡା ନଜର ରଖିଛି।

ଘଟଣା ମୁତାବକ, ନୟାସଡକରେ ଅର୍ଥଲଗାଣକାରୀ ସଂସ୍ଥା ଆଇଆଇଏଫଏଲ(ଇଣ୍ଡିଆ ଇନ୍ଫୋ ଲାଇନ୍ ଲିମିଟେଡ୍)ର ଏକ ଶାଖା କାର୍ୟ୍ୟାଳୟ ଗତକାଲି ସକାଳେ୪ ଜଣ ଦୁର୍ବୃତ୍ତ ମାସ୍କ ଓ ହେଲମେଟ ପିନ୍ଧି ମ୍ୟାନେଜରଠାରୁ ଷ୍ଟ୍ରଙ୍ଗରୁମର ଚାବି ଲକରରେ ଥିବା ପ୍ରାୟ ୩୭ କିଲୋ ସୁନା ଅଳଙ୍କାର ଓ ନଗଦ ୪ ଲକ୍ଷ ଟଙ୍କା ଲୁଟି ନେଇଥିଲେ । ସେମାନେ ୨ଟି ସ୍ପିଡ୍ ବାଇକ୍ରେ ସହର ଭିତରୁ ଖସି ଆସିବାରେ ସଫଳ ହୋଇଥିଲେ। ସୂଚନାପାଇ ପୁଲିସ ସାଇଣ୍ଟିଫିକ୍ ଟିମ ଓ ସନ୍ଧାନୀ କୁକୁର ସହ ତଦନ୍ତ ଆରମ୍ଭ କରିଥିଲା। ସନ୍ଧ୍ୟାରେ ସଂସ୍ଥାର ଜଣେ ଅଧିକାରୀ ଲାଲବାଗ ଥାନାରେ ଏତଲା ଦେଇଥିଲେ। ପୁଲିସ ଅଭିଯୋଗକୁ ଆଧାରକରି ଏକ ମାମଲା ରୁଜୁ କରିବା ସହ ୩ଟି ସ୍ୱତନ୍ତ୍ର ଟିମ୍ ସହାୟତାରେ ତଦନ୍ତ ଆରମ୍ଭ କରିଥିଲା। ଅଭିଯୁକ୍ତଙ୍କ ସଂକ୍ରାନ୍ତରେ କୌଣସି ସୂଚନା ପାଇପାରି ନଥିଲା।

Comments are closed.