ଟିକଟ ପାଇଁ ଜନସମୁଦ୍ର : ପାଇଲେ ୧୦ହଜାର, ମାଡ଼ ଖାଇଲେ, ଅସୁସ୍ଥ ହେଲେ, ନିରାଶରେ ଫେରିଲେ

କଟକ : କ୍ରିକେଟ ପାଇଁ ରାତି ଦିନ ଏକାକାର। ନାହିଁ ଶୀତକୁ ଡର କି ଶୋଷ ଆଉ ଭୋକ। ଟିକଟ ଖଣ୍ଡିଏ ଯୋଗାଡ କରିବା ନେଇ ଦିନରାତିକୁ ଏକାକାର କରି ଦେଇଥିଲେ କ୍ରିକେଟ୍‌ପ୍ରେମୀ। ପୁଲିସର ଲାଠିମାଡ, ଠେଲାପେଲା ମଧ୍ୟରେ ଟିକଟ ଖଣ୍ଡିଏ ସଂଗ୍ରହ କରିବା ନେଇ ଜୀବନକୁ ବାଜି ଲଗାଇ ଦେଇଥିଲେ ହଜାର ହଜାର କ୍ରିକେଟପ୍ରେମୀ। ବାରବାଟୀ କ୍ରିକେଟ ଇତିହାସର ୩୭ ବର୍ଷ ମଧ୍ୟରେ ପୂର୍ବରୁ କେବେ ଏମିତି ଦେଖିବାକୁ ମିଳିନଥିଲା। ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ୩ୟ ତଥା ନିର୍ଣ୍ଣାୟକ ମ୍ୟାଚ ରବିବାର ବାରବାଟୀ ଷ୍ଟାଡ଼ିୟମରେ ଖେଳାଯିବ। ଏଥିପାଇଁ ଗୁରୁବାର କାଉଣ୍ଟର ଟିକଟ ବିକ୍ରି କରା ଯାଇଥିଲା। ପୂର୍ବ ନିର୍ଦ୍ଧାରିତ କାର୍ୟ୍ୟସୂଚୀ ଅନୁଯାୟୀ, କାଉଣ୍ଟରରେ ୧୦ ହଜାର ୧୩୯ ଖଣ୍ଡ ଟିକଟ ବିକ୍ରି କରା ଯାଇଥିଲା। ଏଥିପାଇଁ ୧୨ଟି କାଉଣ୍ଟର ଖୋଲିଥିବା ବେଳେ ଶୃଙ୍ଖଳିତ ଭ​‌ାବେ ଟିକଟ ବିକ୍ରି ଲାଗି କମିଶନରେଟ୍‌ ପୁଲିସ ପକ୍ଷରୁ ମଧ୍ୟ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲ। ବ୍ୟାପକ ବ୍ୟବସ୍ଥା ସତ୍ତ୍ବେ ଅନେକ ଅବ୍ୟବସ୍ଥା ସୃଷ୍ଟି ହୋଇଥିଲା। ହଜାର ହଜାର କ୍ରିକେଟପ୍ରେମୀ ଟିକଟ ଖଣ୍ଡିଏ ଯୋଗାଡ଼ କରିବା ନେଇ ଅଧରାତିରୁ ବାରବାଟୀରେ ଡେରା ପକାଇଥିଲେ। ମାତ୍ର ୧୦ ହଜାର ୧୩୯ ଟିକଟ ବିକ୍ରି କରା ଯାଇଥିବା ବେଳେ ୮୦ ହଜାରରୁ ଉର୍ଦ୍ଧ୍ବ କ୍ରିକେଟପ୍ରେମୀ ଧାଡ଼ି ଲଗାଇଥିଲେ। ସେଥିମଧ୍ୟରୁ ୧୦ ପ୍ରତିଶତ କ୍ରିକେଟପ୍ରେମୀ ଟିକଟ ହାସଲ କରିଥିବାବେଳେ ୯୦ ପ୍ରତିଶତ ନିରାଶ ହୋଇ ଫେରିଥିଲେ। ପୁଲିସ ରାତିରେ ବ୍ୟାରିକେଡ ମଧ୍ୟକୁ ପ୍ରବେଶ ନେଇ ଟିକଟ ଆଶାୟୀଙ୍କୁ ସୁଯୋଗ ଦେଇନଥିଲା। ଫଳରେ ରାତିସାରା ଶୀତ କାକରରେ ଅତିବାହିତ କରିବା ପରେ କ୍ରିକେଟପ୍ରେମୀ ଭୋର ୫ଟାରୁ ଲାଇନ ଲଗାଇଥିଲେ।
ପୂର୍ବରୁ ସକାଳ ୯ଟାରୁ ଟିକଟ ବିକ୍ରି କରାଯିବା ନେଇ ଘୋଷଣା କରାଯାଇଥିବାବେଳେ ପ୍ରାୟ ୪୦ ମିନିଟ୍‌ ବିଳମ୍ବରେ ୯ଟା୪୦ରେ ଟିକଟ ବିକ୍ରି ଆରମ୍ଭ ହୋଇଥିଲା। ଟିକଟ ବିକ୍ରି ଲାଗି ୧୨ଟି କାଉଣ୍ଟରର ବ୍ୟବସ୍ଥା କରାଯାଇଥିଲା। ଷ୍ଟାଡ଼ିୟମର ମଧୁସୂଦନ ଛକରୁ ଆରମ୍ଭ କରି କେମ୍ବ୍ରିଜ ସ୍କୁଲ ପର୍ୟ୍ୟନ୍ତ ରାସ୍ତା ଲୋକାରାଣ୍ୟ ହୋଇପଡ଼ିଥିଲା। ବ୍ୟାରିକେଡ ମଧ୍ୟରେ ଟିକଟ ନେବା ଲାଗି କ୍ରିକେଟପ୍ରେମୀଙ୍କ ମଧ୍ୟରେ ଠେଲାପେଲା ଲାଗି ରହିଥିଲା। ଏପରିକି ପରିସ୍ଥିତି ଅଣାୟତ୍ତ ହେବାରୁ ପୁଲିସକୁ ଲାଠି ମାଡ କରିବାକୁ ପଡ଼ିଥିଲା। ଠେଲାପେଲାରେ ୧୦ରୁ ଅଧିକ କ୍ରିକେଟପ୍ରେମୀ ଅସୁସ୍ଥ ହୋଇପଡ଼ିଥିଲେ। ଅସୁସ୍ଥ ହୋଇପଡ଼ିଥିବା କ୍ରିକେଟପ୍ରେମୀଙ୍କୁ ଆମ୍ବୁଲାନ୍ସରେ ଚିକିତ୍ସା ପାଇଁ ହସ୍ପିଟାଲକୁ ନିଆ ଯାଇଥିଲା। ଟିକଟ ବିକ୍ରିକୁ ଶୃଙ୍ଖଳିତ କରିବା ନେଇ ପୁଲିସ ପକ୍ଷରୁ ଦିନତମାମ ଉଦ୍ୟମ କରାଯାଇଥିଲେ ମଧ୍ୟ କ୍ରିକେଟ ପାଗଳ ଦର୍ଶକ ଟିକଟ ପାଇଁ ସବୁକିଛି କରିବା ନେଇ ପ୍ରସ୍ତୁତ ହୋଇଥିବା ଦେଖିବାକୁ ମିଳିଥିଲା। ଏପରିକି ଟିକଟ ପାଇଁ ୧୫ ଘଣ୍ଟାରୁ ଅଧିକ ସମୟ ଧାଡ଼ିରେ ଛିଡ଼ା ହେବାକୁ ପଛାଇ ନଥିଲେ କ୍ରିକେଟପ୍ରେମୀ। କାଉଣ୍ଟରରେ ଟିକଟ କିଣିବା ଲାଗି ଯେଉଁଭଳି ଦର୍ଶକଙ୍କ ଉତ୍ସାହ କେବେ ପୂର୍ବରୁ ଏଭଳି ଦେଖିବାକୁ ମିଳିନଥିଲା। ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଶୃଙ୍ଖଳାର ପ୍ରଥମ ମ୍ୟାଚକୁ ୱେଷ୍ଟଇଣ୍ଡିଜ୍ ଓ ୨ୟ ମ୍ୟାଚକୁ ଭାରତ ଜିତିବା ପରେ କଟକରେ ହିଁ ନିର୍ଣ୍ଣାୟକ ହେବ। ଟିକଟ ବିକ୍ରି ଲାଗି ଦୁଇଦିନ ସମୟ ଧାର୍ୟ୍ୟ କରାଯାଇଥିଲେ ମଧ୍ୟ ଗୁରୁବାର ଅପରାହ୍ଣ ୪ଟା ସୁଦ୍ଧା ସମସ୍ତ ଟିକଟ ବିକ୍ରି ଶେଷ ହୋଇ ଯାଇଥିଲା।

ଫେରାଇଲେନି ବଳକା ଟଙ୍କା :
ଟିକଟରେ ଜିଏସ୍‌ଟି ଲାଗୁ କରାଯାଇଥିବାରୁ ଏହାର ଫାଇଦା ବ୍ୟାଙ୍କକୁ ମିଳିଥିବାବେଳେ ଟିକଟ ସଂଗ୍ରହ କରିଥିବା କ୍ରିକେଟପ୍ରେମୀଙ୍କୁ ନିରାଶ ହେବାକୁ ପଡ଼ିଥିଲା। ଜିଏସ୍‌ଟି ପାଇଁ ବିଭିନ୍ନ ଟିକଟର ମୂଲ୍ୟ ଅସମାନତା ରହିଥିଲା। ଏପରିକି ଗ୍ୟାଲେରୀ ଟିକଟ ମୂଲ୍ୟରେ ବିଶେଷ ଅସମାନତା ଦେଖିବାକୁ ମିଳିଥିଲା। ୨ ଓ ୪ ନମ୍ବର ଗ୍ୟାଲେରୀ ଟିକଟ ମୂଲ୍ୟ୫୯୦ ଓ ୧ ଓ ୩ ନମ୍ବର କାଉଣ୍ଟର ଟିକଟ ମୂଲ୍ୟ ୭୦୮ ଟଙ୍କା ରହିଥିଲା। ଜଣଙ୍କୁ ଦୁଇଟି ଲେଖାଏଁ ଟିକଟ ଯୋଗାଇ ଦିଆଯାଉଥିଲା। ୨ ଓ ୪ ନମ୍ବର ଗ୍ୟାଲେରୀ ଦୁଇଟି ଟିକଟ ମୂଲ୍ୟ ୧୧୮୦ ଟଙ୍କା ରହିଥିବାବେଳେ ଏକାଧିକ ଟିକଟଧାାରୀ ୧୨୦୦ ଟଙ୍କା ଦେଉଥିଲେ। ଅବଶିଷ୍ଟ ଟଙ୍କା ଫେରା ଯାଉନଥିଲା। ଏପରିକି ୫୦ ଟଙ୍କା ବଳକାକୁ ମଧ୍ୟ ଫେରା ଯାଇନଥିଲା। ୧ ଓ ୩ ଗ୍ୟାଲେରୀ ୨ଟି ଟିକଟ ମୂଲ୍ୟ ୧୪୧୬ ଟଙ୍କା ରହିଥିଲା। ଏଥିପାଇଁ କିଏ ୧୪୨୦ ଆଉ କିଏ ୧୪୫୦ ଟଙ୍କା ଦେଉଥିଲେ। ଅବଶିଷ୍ଟ ଟଙ୍କା ଟିକଟଧାରୀଙ୍କୁ ଖୁଚୁରା ନଥିବା ନେଇ କୁହା ଯାଇଥିଲା। ଏପରିକି ଟିକଟ ପାଇଁ ପାଗଳ ଥିବା କ୍ରିକେଟପ୍ରେମୀ ଅବଶିଷ୍ଟ ଟଙ୍କା ଆଣିବାକୁ ଜିଦ୍‌ କରିନଥିଲେ।

୬ ଘଣ୍ଟାରେ ସରିଗଲା ଟିକଟ:
ସାଧାରଣ ଦର୍ଶକଙ୍କ ପାଇଁ କାଉଣ୍ଟରରେ ୧୦ ହଜାର ୧୩୯ ଟିକଟ ବିକ୍ରି କରାଯାଇଥିଲା। ଏଥିପାଇଁ ୮୦ ହଜାରରୁ ଅଧିକ କ୍ରିକେଟପ୍ରେମୀ ବାରବାଟୀ ଷ୍ଟାଡ଼ିୟମ ଅଞ୍ଚଳରେ ଡେରା ପକାଇଥିଲେ। ଗ୍ୟାଲେରୀ ନମ୍ବର ୧ ଓ ୩, ୨ ଓ ୪ ଟିକଟ କମ୍‌ ମୂଲ୍ୟ ରହିଥିବାରୁ ଉକ୍ତ ଟିକଟକୁ ସଂଗ୍ରହ କରିବା ନେଇ ଅଧିକ ଉତ୍ସାହ ଦେଖିବାକୁ ମିଳିଥିଲା। ଗ୍ୟାଲେରୀ ନମ୍ବର ୧ ଲାଗି ୩୪୯୮ , ଦୁଇ ନମ୍ବର ଗ୍ୟାଲେରୀ ପାଇଁ ୪୭୭, ୩ ନମ୍ବର ଗ୍ୟାଲେରୀ ପାଇଁ ୩୭୩୬, ୪ ନମ୍ବର ଗ୍ୟାଲେରୀ ପାଇଁ ୯୮୨, ୬ ନମ୍ବର ଗ୍ୟାଲେରୀ ପାଇଁ ୧୫ ଖଣ୍ଡ, ସ୍ପେଶାଲ ଏନ୍‌କ୍ଲୋଜର -ଏ ପାଇଁ ୧୧୮୦, ନ୍ୟୁ ପ୍ୟାଭିଲିୟନ ପାଇଁ ୮୬ ଓ କର୍ପୋରେଟ ବକ୍ସର ୬୫ ଖଣ୍ଡ ଟିକଟ ବିକ୍ରି କରାଯାଇଥିଲା। ଏଥିପାଇଁ ୧୨ଟି କାଉଣ୍ଟର ଖୋଲିଥିଲା। ସମସ୍ତ ଟିକଟ ଅପରାହ୍ଣ ୪ଟା ସୁଦ୍ଧା ଶେଷ ହୋଇଯାଇଥିଲା। ଟିକଟ କିଣିବା ପାଇଁ ଅପରାହ୍ଣ ୪ଟା ପର୍ୟ୍ୟନ୍ତ କ୍ରିକେଟ​‌େପ୍ରମୀ ଆଶା ଛାଡ଼ି ନଥିଲେ। ଟିକଟ ଶେଷ ହେବା ପ​‌େ​‌ର ହଜାରହଜାର କ୍ରିକେଟପ୍ରେମୀ ନିରାଶ​‌େ​‌ର ଫେରିଥିଲେ।

ଲୁଟିଲେ ମନିପର୍ସ, ମୋବାଇଲ, ଟିକଟ:
ଟିକଟ କିଣିବା ଲାଗି ହଜାରହଜାର କ୍ରିକେଟପ୍ରେମୀ ବାରବାଟୀ ଷ୍ଟାଡ଼ିୟମ ଆଖପାଖରେ ରୁଣ୍ଡ ହୋଇଥିଲେ। ଟିକଟ କିଣିବା ଲାଗି କ୍ରିକେଟପ୍ରେମୀମାନଙ୍କ ଦୃ​‌ଷ୍ଟି ରହିଥିବାବେଳେ ଏହାର ସୁଯୋଗ ନେଇଥିଲେ ଲୁଟେରା। ଭିଡର ସୁଯୋଗ ନେଇ ଲୁଟେରମାନେ ମନିପର୍ସ, ମୋବାଇଲ ଲୁଟିଥିଲେ। ରାଜ୍ୟ ଓ ରାଜ୍ୟ ବାହାରୁ ଆସିଥିବା ୫୦ରୁ ଅଧିକ କ୍ରିକେଟପ୍ରେମୀ ମୋବାଇଲ ଓ ମନିପର୍ସ ଲୁଟ୍‌ର ଶିକାର ହୋଇଥିଲେ। ଅନ୍ୟପକ୍ଷରେ ଜଣେ କ୍ରିକେଟପ୍ରେମୀଙ୍କ ସୁନା ହାର ମଧ୍ୟ ଲୁଟ୍‌ ହୋଇଯାଇଥିଲା। ଏଭଳି ଘଟଣା ନେଇ ଦୁଇଜଣ ବ୍ୟକ୍ତିଙ୍କୁ ପୁଲିସ ସନ୍ଦେହରେ ଅଟକ ରଖିଥିବାବେଳେ ପରବର୍ତ୍ତୀ ସମୟରେ ଛାଡ଼ି ଦେଇଥିଲା। ସେହିପରି ଟିକଟ ସଂଗ୍ରହ କରିଥିବା କିଛି କ୍ରିକେଟ୍‌ ପ୍ରେମୀଙ୍କ ଟିକଟକୁ ଲୁଟେରା ଛଡାଇନେଇଥିଲେ।

ସମ୍ପର୍କୀୟଙ୍କୁ ଟିକଟ ଯୋଗାଇଲା ପୁଲିସ:
ଗୋଟିଏ ପଟେ ଟିକଟ ଖଣ୍ଡିଏ ପାଇଁ ରାଜ୍ୟର କୋଣ ଅନୁକୋଣରୁ କ୍ରିକେଟପ୍ରେମୀମାନେ ରାତିରୁ ଧାଡ଼ି ଲଗାଇଥିଲେ। ଏପରିକି ପୁଲିସର ମାଡ ଖାଇଥିଲେ ମଧ୍ୟ । ସେଥିମଧ୍ୟରୁ ହଜାରହଜାର କ୍ରିକେଟପ୍ରେମୀ ଟିକଟ ନପାଇ ହତାସ୍‌ ହୋଇ ଫେରିଥିଲେ। କିନ୍ତୁ ଏଭଳି ସ୍ଥିତିରେ କାଉଣ୍ଟର ପାଖରେ ରହିଥିବା ପୁଲିସ କର୍ମଚାରୀମାନେ ନିଜର ସମ୍ପର୍କୀୟମାନଙ୍କୁ ବ୍ୟାରିକେଡ ଭିତରେ ପୁରାଇ ଟିକଟ ଦେବାରେ ସକ୍ଷମ ହୋଇଥିଲେ। ବ୍ୟାରିକେଡରେ ଏଭଳି ଦୃଶ୍ୟକୁ ଧାଡ଼ିରେ ଛିଡ଼ା ହୋଇଥିବା କ୍ରିକଟପ୍ରେମୀ ବିରୋଧ କରିଥି​‌େ​‌ଲ ମଧ୍ୟ କୌଣସି ପୁଲିସ ଅଧିକାରୀ ଶୁଣିନଥିଲେ।

କଳାବଜାର ପାଇଁ ବସ୍ତି ମହିଳା ଟିକଟ କିଣିଲେ:
ଟିକଟ କଳାବଜାର କରିବା ପାଇଁ ପୂର୍ବରୁ କଳାବଜାରୀମାନେ ଯୋଜନା ମୁତାବକ ପ୍ରସ୍ତୁତ ହୋଇଥିଲେ। ଏଥିପାଇଁ ମହିଳା ମାନଙ୍କ ପାଇଁ ଉଦ୍ଧିଷ୍ଟ ଥିବା ୩ ନମ୍ବର କାଉଣ୍ଟରରେ ଏକାଧିକ ବସ୍ତିର ମହିଳା ମାନେ ଧାଡ଼ି ଲଗାଇଥିଲେ। କଳାବଜାରୀ ରାକେଟ ବସ୍ତିର ମହିଳାମାନଙ୍କୁ ଧାଡ଼ିରେ ଛିଡ଼ାକରି ଟିକଟ ସଂଗ୍ରହକ କରିଥିଲେ। ଜଣେ ମହିଳା ଗୋଟିଏ ଆଧାର କାର୍ଡ ଦେଖାଇ ୨ଟି ଟିକଟ ସଂଗ୍ରହ କରୁଥିଲେ। ପ୍ରାୟ ଶତାଧିକ ମହିଳା ଟିକଟ ସଂଗ୍ରହ କରି ଆଣି କଳାବଜାରୀମାନଙ୍କୁ ଯୋଗାଉଥିଲେ। ଉକ୍ତ କଳାବଜାରୀମାନେ ଉକ୍ତ ଟିକଟକୁ ମଧ୍ୟ ସଙ୍ଗେସଙ୍ଗେ ଡବଲ ମୂଲ୍ୟରେ ବିକ୍ରି କରୁଥିବାର ଦେଖିବାକୁ ମିଳିଥିଲା।

ଆଧାର କାର୍ଡ ଛାଡ଼ିଗଲେ:
ଟିକଟ ନେବା ଲାଗି ଆଧାର କାର୍ଡ ଦେଖାଇବା ବାଧ୍ୟତାମୂଳକ କରାଯାଇଥିଲା। ଏଥିପାଇଁ ଟିକଟ ନେବା ପାଇଁ ଆସିଥିବା କ୍ରିକେଟପ୍ରେମୀ ହାତରେ ଆଧାର କାର୍ଡ ଧରି ଆସିଥିଲେ। ଟିକଟ ସଂଗ୍ରହ ପାଇଁ କାଉଣ୍ଟରରେ ଆଧାର କାର୍ଡ ଦେଖାଇବା ସମୟରେ ଅନେକ କ୍ରିକେଟପ୍ରେମୀ ଆଧାର କାର୍ଡକୁ ଠେଲାପେଲା ମଧ୍ୟରେ ଛାଡ଼ି ଚାଲିଯାଇଛନ୍ତି। ଉକ୍ତ ଆଧାର କାର୍ଡକୁ ଓଡ଼ିଶା କ୍ରିକେଟ ଆସୋସିଏସନ ପକ୍ଷରୁ ସଂଗ୍ରହ କରାଯାଇ ରଖାଯାଇଛି।

Comments are closed.